ନୂଆଦିଲ୍ଲୀ: ଗୋଟିଏ ପଟେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିବା ବେଳେ ଅନ୍ୟପଟେ ଭାରତ ଆମେରିକାରୁ ତୁଳା ଆମଦାନୀ କରିବା ଉପରେ ଶୁଳ୍କ ଛାଡ ଜାରି ରଖିଛି। ଆମେରିକାରୁ ଆସୁଥିବା ତୁଳା ଉପରେ ଆମଦାନୀ ଶୁଳ୍କ ଛାଡ଼କୁ ଆଉ ୩ ମାସ ବଢାଇ ଦେଇଛନ୍ତି ଭାରତ ସରକାର। ଅର୍ଥାତ୍ ଭାରତୀୟ କମ୍ପାନୀମାନେ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବିନା ଆମଦାନୀ ଶୁଳ୍କରେ ଆମେରିକାରୁ ତୁଳା ଆମଦାନୀ କରିପାରିବେ। ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସରେ ଖବର ପ୍ରକାଶ ପାଇଛି।
ବର୍ତ୍ତମାନ ଭାରତୀୟ ପୋଷାକ ଶିଳ୍ପ ଆମେରିକାର ଚାପରେ ରହିଛି। ବଲିଅନ ଡଲାର କ୍ଷତି ହେବାର ଆଶଙ୍କା ଦେଖା ଦେଇଛି। ଏହି ସମୟରେ ଘରୋଇ ଉଦ୍ୟୋଗକୁ ସହଯୋଗ କରିବାକୁ ବିନା ଶୁଳ୍କରେ ତୁଳା ଆମଦାନୀ ଅନୁମତିକୁ ସରକାର ୩ ମାସ ବଢ଼ାଇଛନ୍ତି ବୋଲି ରୟଟର୍ସ ରିପୋର୍ଟ ପ୍ରକାଶ କରିିଛି।
ସରକାର ପୂର୍ବରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଆମଦାନୀ କପା ଉପରେ ୧୧% ଶୁଳ୍କ ପ୍ରତ୍ୟାହାର କରିଥିଲେ। ଏବେ ଶୁଳ୍କ ଛାଡ଼ ଆଉ ୩ ମାସ ଘୁଞ୍ଚିବା ପରେ ବୟନ ଶିଳ୍ପ କମ୍ପାନୀଗୁଡ଼ିକ ଏବେ ଅଷ୍ଟ୍ରେଲିଆ, ବ୍ରାଜିଲ, ଆମେରିକା ଏବଂ ଆଫ୍ରିକା ଭଳି ଦେଶଗୁଡ଼ିକରୁ ଶସ୍ତା କପା ସଂଗ୍ରହ କରିପାରିବେ।
ତେବେ ବିନା ଶୁଳ୍କରେ ଆମଦାନୀ କରିବା ଘରୋଇ କପା ଚାଷକୁ କ୍ଷତି ପହଞ୍ଚାଇବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ବିଶ୍ୱ କପା ମୂଲ୍ୟ ବୃଦ୍ଧି ପାଇବାର ଆଶା କରାଯାଉଛି। ଶିଳ୍ପ ବିଶେଷଜ୍ଞମାନଙ୍କର କହିବା କଥା ହେଲା ଆମଦାନୀ ଘରୋଇ କପା ମୂଲ୍ୟ ଉପରେ ଚାପ ପକାଇବ। କାରଣ ମିଲ୍ ଶସ୍ତା ବିଦେଶୀ ଯୋଗାଣକୁ ସ୍ଥାନାନ୍ତରିତ କରୁଛି। ଆମଦାନୀ ହୋଇଥିବା କପା ବର୍ତ୍ତମାନ ସ୍ଥାନୀୟ ଉତ୍ପାଦିତ ତୁଳନାରେ ୫-୭% ଶସ୍ତା, ଉନ୍ନତ ମାନର ରହିଛି। ତେଣୁ ଘରୋଇ କ୍ଷେତ୍ର ପ୍ରଭାବିତ ହେବ।