ନୂଆଦିଲ୍ଲୀ: ଘାତକ ମିଶାଇଲ ତିଆରି କରୁଛି ଭାରତ। ଆମେରିକାର ବଙ୍କର ବଷ୍ଟର ଅପେକ୍ଷା ଅଧିକ ବିପଦଜନକ। ଗୋଟିଏ ଝଟ୍କାରେ ଧ୍ୱଂସ ହୋଇଯିବ କିରାନା ପାହାଡରେ ଥିବା ପାକିସ୍ତାନର ପରମାଣୁ ପ୍ରତିଷ୍ଠାନ। ଇସ୍ରାଏଲ-ଇରାନ ଯୁଦ୍ଧ ଦେଖି ପ୍ରତିରକ୍ଷା କ୍ଷେତ୍ରକୁ ସଶକ୍ତ କରୁଛି ଭାରତ। ଅଗ୍ନି-୫ ମିଶାଇଲର ଅପଗ୍ରେଡେଡ୍ ନନ୍ ନ୍ୟୁକ୍ଲିୟର ଭାରିଆଣ୍ଟର ବିକାଶ କରୁଛି DRDO। ୭.୫ ଟନ୍ ଭାରୀ ଯୁଦ୍ଧାସ୍ତ୍ର ବହନ କରିପାରିବ ଏହି ମିଶାଇଲର ନୂଆ ଏଡିସନ। ୨୫୦୦ କିଲୋମିଟର ପର୍ଯ୍ୟନ୍ତ କରିପାରିବ ଲକ୍ଷ୍ୟଭେଦ। ଭାରତରେ ଏପରି ମିଶାଇଲ ତିଆରିକୁ ନେଇ ପାକିସ୍ତାନ ଏବଂ ଚୀନ୍ ଆଲର୍ଟ।
ଅଗ୍ନି-୫ ହେଉଛି ଭାରତର ସବୁଠାରୁ ଉନ୍ନତ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିଶାଇଲ (ICBM)। ଏହା DRDO ଦ୍ୱାରା ବିକଶିତ ହୋଇଛି। ଏହା ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ। ଏହାର ଟାର୍ଗେଟ ୭୦୦୦ କିଲୋମିଟରରୁ ଅଧିକ। ଏହାକୁ ଚୀନ୍, ପାକିସ୍ତାନ ଏବଂ ୟୁରୋପର କିଛି ଅଂଶ ପର୍ଯ୍ୟନ୍ତ ପହଞ୍ଚିବାକୁ ସକ୍ଷମ କରିଥାଏ।
କିନ୍ତୁ ରିପୋର୍ଟ ଅନୁଯାୟୀ, ଭାରତ ଏବେ ଅଗ୍ନି-୫ର ଅପଗ୍ରେଡେଡ୍ ନନ୍ ନ୍ୟୁକ୍ଲିୟର ଭାରିଆଣ୍ଟ ବିକଶିତ କରୁଛି। ଯେଉଁଥିରେ 7.5 ଟନର ଭାରୀ ଯୁଦ୍ଧାସ୍ତ୍ର ରହିବ। ଏହି ନୂଆ ଏଡିସନର ଅନେକ ଫିଚର ରହିଛି। ଏହି ମିଶାଇଲରେ ଦୁଇ ପ୍ରକାରର ଯୁଦ୍ଧାସ୍ତ୍ର ବିକଶିତ ହେଉଛି। ପ୍ରଥମଟି ଏୟାରବ୍ରଷ୍ଟ ଯୁଦ୍ଧାସ୍ତ୍ର। ଦ୍ୱିତୀୟଟି ବଙ୍କର-ବଷ୍ଟର ଯୁଦ୍ଧାସ୍ତ୍ର।
ଏୟାରବ୍ରଷ୍ଟ ଓ୍ୱାରହେଡରେ ଏହି ଯୁଦ୍ଧାସ୍ତ୍ର ବାୟୁରେ ବିସ୍ଫୋରଣ ଘଟାଇବ। ଏକ ବଡ଼ ଅଞ୍ଚଳରେ ବିମାନବନ୍ଦର, ରାଡାର ଷ୍ଟେସନ ଏବଂ ସାମରିକ ଘାଟି ଭଳି ଭିତ୍ତିଭୂମି ଗଠନକୁ ନଷ୍ଟ କରିଦେବ। ଏହାକୁ ବିମାନବନ୍ଦରକୁ ଅକ୍ଷମ କରିବା, ବିମାନକୁ ନଷ୍ଟ କରିବା ଏବଂ ବଡ଼ ସାମରିକ ପ୍ରତିଷ୍ଠାନକୁ ନଷ୍ଟ କରିବା ପାଇଁ ବ୍ୟବହାର କରାଯାଇପାରିବ। ଏହା ଏକ ବଡ଼ ଅଞ୍ଚଳକୁ ପ୍ରଭାବିତ କରେ, ଗୋଟିଏ ଝଟକାରେ ଶତ୍ରୁର ସାମରିକ ଶକ୍ତିକୁ ଦୁର୍ବଳ କରିଦିଏ।
ସେହିପରି ବଙ୍କର୍-ବଷ୍ଟର ଓ୍ୱାରହେଡ ଏହି ଯୁଦ୍ଧାସ୍ତ୍ର ବିଶେଷ ଭାବରେ ୮୦-୧୦୦ ମିଟର ଗଭୀର ମାଟିତଳ ଲକ୍ଷ୍ୟସ୍ଥଳକୁ ନଷ୍ଟ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହାକୁ ପରମାଣୁ ଅସ୍ତ୍ର ଡିପୋ, କମାଣ୍ଡ ସେଣ୍ଟର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଟାର୍ଗେଟ କରିବା ପାଇଁ ବ୍ୟବହାର କରାଯିବ। ଏହି ଯୁଦ୍ଧାସ୍ତ୍ର କଠିନ କଂକ୍ରିଟ୍ ଏବଂ ଇସ୍ପାତକୁ ଭେଦ କରିପାରିବ। ଅର୍ଥାତ ଇରାନ ପରମାଣୁ ପ୍ରତିଷ୍ଠାନ ପରି ନ୍ୟୁକ୍ଲିୟର ବେସକୁ ଧ୍ୱଂସ କରିବାର କ୍ଷମତା ରହିବ।
ଏହି ନୂଆ ଏଡିସନର ପରିସର ୨୫୦୦ କିଲୋମିଟର ପର୍ଯ୍ୟନ୍ତ ଭେଦ କରିପାରିବ। କିନ୍ତୁ ଏହା ବର୍ତ୍ତମାନର ଅଗ୍ନି-୫ର ପରିସର ଠାରୁ କମ୍। 7.5 ଟନ୍ ଓଜନର ଯୁଦ୍ଧାସ୍ତ୍ର ମିଶାଇଲରେ ପେଲୋଡ୍ ହେବା ଯୋଗୁଁ ଏହା ଲକ୍ଷ୍ୟଭେଦ ପୂର୍ବ ଏଡିସନ ଅପେକ୍ଷା କମ୍ ରହିବ। ଏହି ମିଶାଇଲ ଏକ କ୍ୟାନିଷ୍ଟର-ପ୍ରକ୍ଷେପଣ ପ୍ରଣାଳୀ ବ୍ୟବହାର କରେ। ଯାହାଦ୍ୱାରା ସହଜରେ ସଡ଼କ କିମ୍ବା ରେଳ ମାଧ୍ୟମରେ ପରିବହନ ଏବଂ ନିୟୋଜିତ କରିହେବ। ପ୍ରତିକୂଳ ପାଣିପାଗ ଏବଂ ଯେକୌଣସି ଭୂଖଣ୍ଡରେ ପ୍ରକ୍ଷେପଣ କରିବାକୁ ଏହା ସକ୍ଷମ ହେବ। ଅପଗ୍ରେଡେଡ୍ ଅଗ୍ନି-୫ରେ ଏକ ରିଙ୍ଗ୍ ଲେଜର ଜାଇରୋସ୍କୋପ୍ ଏବଂ ଜିପିଏସ୍ ବେସ୍ଡ ନାଭିଗେସନ୍ ପ୍ରଣାଳୀ ଅଛି। ଏହାଦ୍ୱାରା ସଠିକ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହେବ। ଏହି ମିଶାଇଲ ଘଣ୍ଟାପ୍ରତି ପ୍ରାୟ ୨୯ ହଜାର କିମି ବେଗରେ ଉଡ଼ିପାରେ। ଏହାକୁ ବିଶ୍ୱର ସବୁଠାରୁ ଦ୍ରୁତତମ ମିଶାଇଲ ମଧ୍ୟରୁ ଗୋଟିଏ। ଏହି ମିଶାଇଲ ବର୍ତ୍ତମାନ ପ୍ରାରମ୍ଭିକ ବିକାଶ ପର୍ଯ୍ୟାୟରେ ଅଛି। DRDO ଡିଜାଇନ୍ ଏବଂ ଇଞ୍ଜିନିୟରିଂ କାର୍ଯ୍ୟ ଆରମ୍ଭ କରିଛି, କିନ୍ତୁ ଏହାର ପ୍ରଥମ ପରୀକ୍ଷଣ ଏପର୍ଯ୍ୟନ୍ତ କରାଯାଇ ନାହିଁ।