ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା ବାଣିଜ୍ୟ ପ୍ରତିବନ୍ଧକ, ବିଶ୍ୱ ଅଭିବୃଦ୍ଧିକୁ ମନ୍ଥର କରିବା ଏବଂ ଆର୍ଥିକ ଗତିଶୀଳତାକୁ ପରିବର୍ତ୍ତନ କରୁଛି। ଏଣୁ ବିଶ୍ୱ ଅର୍ଥନୈତିକ ଫୋରମ ୨୦୨୫ ଦୃଷ୍ଟିକୋଣ ଅର୍ଥନୀତିକୁ ନେଇ ସେତେଟା ଭଲ ଦେଖାଯାଉ ନାହିଁ। ହେଲେ ସମସ୍ତ ଅନିଶ୍ଚିତତା ମଧ୍ୟରେ, ଭାରତକୁ ନେଇ କିନ୍ତୁ ଆଶା ଉଜ୍ଜ୍ୱଳ ରହିଛି ବୋଲି କହିଛନ୍ତି ବିଶ୍ୱ ଅର୍ଥନୈତିକ ଫୋରମର ସଭାପତି ଏବଂ ସିଇଓ ବର୍ଜ ବ୍ରେଣ୍ଡେ। ଜାତୀୟ ଗଣମାଧ୍ୟମ ବିଜନେଶ ଟୁଡେକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବର୍ତ୍ତମାନ ସାରା ବିଶ୍ୱରେ ଦେଖାଯାଉଥିବା ଅର୍ଥନୈତିକ ଅସ୍ଥିରତା ସମ୍ପର୍କରେ ଆଲୋକପାତ କରିଥିଲେ ବ୍ରେଣ୍ଡେ। ସେ କହିଥିଲେ ବର୍ତ୍ତମାନର ଭୂରାଜନୈତିକ ପୃଷ୍ଠଭୂମି ସତ୍ତ୍ୱେ, ବିଶ୍ୱ ଅର୍ଥନୀତି ଆଶାଠାରୁ ଅଧିକ ସ୍ଥିର। କିଛି ସ୍ଥିତି ଅଭିବୃଦ୍ଧିକୁ ଗତି ଦେଉଛନ୍ତି। ତେବେ ବୃହତ ଅର୍ଥନୀତି ମଧ୍ୟରେ ଭାରତର ସ୍ଥାନ ଉଜ୍ଜ୍ୱଳ ରହିଛି। ଯଦି ଏହିପରି ସ୍ଥିତି ଜାରି ରହେ, ତେବେ ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ। ଯାହାର ଜିଡିପି ୫ ଟ୍ରିଲିୟନ ଡଲାର ହେବ। ବୋଧହୁଏ ଚଳିତ ବର୍ଷ ଭାରତ ଏହି ସଫଳତା ପାଇପାରେ ବୋଲି ସେ କହିଛନ୍ତି।
ସେହିପରି ଅର୍ଥନୈତିକ ଅଭିବୃଦ୍ଧିରେ ବାଧକ ସାଜିବାର ଦୁଇଟି ପ୍ରମୁଖ କାରଣ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ବିଶ୍ୱ ଅର୍ଥନୈତିକ ଫୋରମର ସଭାପତି ବର୍ଜ ବ୍ରେଣ୍ଡେ। ସେ କହିଥିଲେ ଯେ ୟୁକ୍ରେନରେ ସଂଘର୍ଷ ସହ ସମ୍ଭାବ୍ୟ ପୂର୍ଣ୍ଣାଙ୍ଗ ଯୁଦ୍ଧ ସବୁଠାରୁ ଚ୍ୟାଲେଞ୍ଜିଂ କାରଣ ହେଉଛି। ଦ୍ୱିତୀୟଟି ହେଉଛି ବାଣିଜ୍ୟ ଯୁଦ୍ଧ। ଏପର୍ଯ୍ୟନ୍ତ, ବିଶ୍ୱ ଅଭିବୃଦ୍ଧି ପାଇଁ ଏହା ଭଲ ସାବ୍ୟସ୍ତ ହୋଇ ନାହିଁ। ଆମେ ଗତ ଦଶନ୍ଧିରେ ପ୍ରାୟ ୪% ଧାରା ଅଭିବୃଦ୍ଧି ଠାରୁ ବହୁତ ତଳେ ଅଛୁ। ବର୍ତ୍ତମାନ ଏହା ହୁଏତ ୩% ତଳେ ରହିଛି। ତୃତୀୟ କାରଣଟି ହେଉଛି ବିଶ୍ୱର ବର୍ଦ୍ଧିତ ଋଣ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏତେମାତ୍ରାରେ ବିଶ୍ୱ ଋଣ ବଢ଼ିବା ଆମେ ଦେଖି ନାହୁଁ ବୋଲି ସେ କହିଛନ୍ତି।
ଟ୍ରେଡ୍ ରିସେଟ୍ ସମ୍ପର୍କରେ ମଧ୍ୟ ବ୍ରେଣ୍ଡେଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ କହିଥିଲେ ଯେ ବାଣିଜ୍ୟରେ ଏକ ସଂରଚନାତ୍ମକ ପରିବର୍ତ୍ତନ ଆସିଛି। ନିକଟ ଅତୀତରେ ଉତ୍ପାଦନ ବାଣିଜ୍ୟର ପ୍ରେରକ ଥିଲା, କିନ୍ତୁ ଏବେ ଆମେ ପ୍ରକୃତ ଅଭିବୃଦ୍ଧି ଦେଖୁଛୁ ଡିଜିଟାଲ୍ ବାଣିଜ୍ୟ ଏବଂ ସେବା କ୍ଷେତ୍ରରେ। ଏଗୁଡ଼ିକ ଉତ୍ପାଦନ ବାଣିଜ୍ୟ ତୁଳନାରେ ତିନି ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏବଂ ମୁଁ ଭାବୁଛି ଭାରତ ତୁଳନାତ୍ମକ ଭାବରେ ଭଲ ପ୍ରଦର୍ଶନ କରିବାର ଏହା ଏକ କାରଣ ହୋଇପାରେ। କାରଣ ଭାରତ ସେବା ଏବଂ ଡିଜିଟାଲ ବାଣିଜ୍ୟରେ ବହୁତ ମଜଭୁତ।
ତେବେ କେବଳ ଯେ ଟ୍ରମ୍ପଙ୍କ ଟାରିଫ ବିଶ୍ୱ ଅର୍ଥନୈତିରେ ଅସ୍ଥିରତା ସୃଷ୍ଟି କରୁଛି ତାହା ନୁହେଁ ବାଣିଜ୍ୟ ଲାଇସେନ୍ସ ଜନିତ ନୀତି ମଧ୍ୟ ଏଥିପାଇଁ ଦାୟୀ ବୋଲି ସେ କହିଥିଲେ।
ବର୍ତ୍ତମାନ ସାରା ବିଶ୍ୱ ଗ୍ଲୋବାଲ ସପ୍ଲାଏ ଚେନ୍ ପାଇଁ ଚୀନ ଠାରୁ ବାହାରି ଅନ୍ୟ ଦେଶ ସନ୍ଧାନରେ ଅଛନ୍ତି। ଏଭଳି ସ୍ଥିତିରେ ଭାରତ ଏକ ଉତ୍ତମ ସ୍ଥାନରେ ଅଛି ବୋଲି ଆପଣ ଭାବୁଛନ୍ତି ?
ଏହାର ଉତ୍ତର ଦେଇ ବ୍ରେଣ୍ଡେ କହିଛନ୍ତି, ଏହାର ସଂକ୍ଷିପ୍ତ ଉତ୍ତର ହେଲା ହଁ । ଗତ ଦଶନ୍ଧିରେ, ଭାରତ ଏହାର ଜିଡିପି ଦୁଇଗୁଣ କରିଛି। ଏବଂ ଯଦି ଆଗାମୀ ବର୍ଷଗୁଡ଼ିକରେ ଏହା ୬-୭% ହାରରେ ଅଭିବୃଦ୍ଧିକୁ ବଜାୟ ରଖିପାରେ, ତେବେ ଭାରତ ଖୁବ୍ ଶୀଘ୍ର ୧୦ ଟ୍ରିଲିୟନ ଡଲାରର ଅର୍ଥନୀତି ହୋଇଯିବ। କେବଳ ସେତିକି ନୁହେଁ ବନ୍ଧୁ ସହଯୋଗ ଯୋଗୁ ମଧ୍ୟ ଭାରତର ଲାଭ ହୋଇଛି। ଏହା ବ୍ୟତୀତ, ଭାରତରେ ଜନସଂଖ୍ୟାଗତ ଲାଭାଂଶ ହେତୁ ଏକ ବିରାଟ ସୁଯୋଗ ମଧ୍ୟ ରହିଛି। ଭାରତରେ ମଧ୍ୟମ ବୟସ ୨୮ ବର୍ଷ, ପ୍ରତିବର୍ଷ କାର୍ଯ୍ୟଶକ୍ତି ବୃଦ୍ଧି ପାଉଛି, ଏବଂ ଏଠାରେ ବହୁତ ଟେକ୍ନୋଲୋଜି ଜ୍ଞାନୀ ଯୁବକ ଯୁବତୀ ଅଛନ୍ତି। ଭାରତକୁ ସରକାରୀ ନିୟନ୍ତ୍ରଣମୁକ୍ତି, ପ୍ରଶାସନିକ ପ୍ରକ୍ରିୟାର ସରଳୀକରଣ ଏବଂ ଅନାବଶ୍ୟକ ନିୟମାବଳୀ ହ୍ରାସ, ଭିତ୍ତିଭୂମିରେ ଉନ୍ନତି ଆଣିବା ଉପରେ ଅଧିକ କାମ କରିବାକୁ ପଡିବ। ଯଦି ଭାରତ ଏହା କରେ, ତେବେ ଏହା ଆଗାମୀ ଦଶନ୍ଧିଗୁଡ଼ିକରେ ଭୂରାଜନୈତିକ ଏବଂ ଭୂଅର୍ଥନୈତିକ ଦୃଷ୍ଟିରୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବର୍ଜ ବ୍ରେଣ୍ଡେ କହିଛନ୍ତି।
କୃତିମ ବୁଦ୍ଧିମତା(ଏଆଇ) ଯୁଗରେ କ’ଣ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି ହୋଇପାରିବ?
ଏହାର ଉତ୍ତରରେ ବ୍ରେଣ୍ଡେ କହିଛନ୍ତି ଯେ ପ୍ରଯୁକ୍ତିବିଦ୍ୟାରେ ପ୍ରତ୍ୟେକ ଆଦର୍ଶଗତ ପରିବର୍ତ୍ତନ କିଛି ଚାକିରି ହ୍ରାସ କିମ୍ବା ଶେଷ କରିପାରେ, କିନ୍ତୁ ଏହା ଆହୁରି ଉଚ୍ଚ ମାନର ଅଧିକ ନିଯୁକ୍ତି ମଧ୍ୟ ସୃଷ୍ଟି କରିପାରିବ। ଉତ୍ପାଦକତା ଉପରେ ଏଆଇ ର ଏକ ବିରାଟ ପ୍ରଭାବ ପଡ଼ିଥାଏ। ଆମର ଅର୍ଥନୀତିଜ୍ଞମାନେ କୁହନ୍ତି ଯେ ଏଆଇ ସକ୍ରିୟ ଭାବରେ କାର୍ଯ୍ୟକାରୀ କଲେ ଉତ୍ପାଦକତା ୧୦% ବୃଦ୍ଧି ପାଇପାରିବ। ସେହି ଲାଭକୁ ପୁନଃନିବେଶ କରାଯାଇପାରିବ ବୋଲି ବ୍ରେଣ୍ଡେ କହିଛନ୍ତି।
ଏହି ବହୁଧ୍ରୁବୀୟ ବିଶ୍ୱରେ ଅର୍ଥନୀତିଗୁଡ଼ିକ କେଉଁ ସଂସ୍କାର କିମ୍ବା ନିବେଶକୁ ପ୍ରାଥମିକତା ଦେବା ଉଚିତ ବୋଲି ଆପଣ ବିଶ୍ୱାସ କରନ୍ତି?
ବ୍ରେଣ୍ଡେଙ୍କ ଉତ୍ତର- ଏହି ମୁହୂର୍ତ୍ତରେ କୌଣସି ପରାମର୍ଶ ଦେବା କଷ୍ଟକର, କିନ୍ତୁ ମୁଁ କହିବି ଶିକ୍ଷା, ଗବେଷଣା ଏବଂ ବିକାଶରେ ବିନିଯୋଗ କରନ୍ତୁ। ଅତ୍ୟଧିକ ଋଣଗ୍ରସ୍ତ ହେବାରୁ ଦୂରେଇ ରୁହନ୍ତୁ। ଏଥିସହିତ ଅନ୍ୟ ଦେଶମାନଙ୍କ ସହିତ ଭଲ ବାଣିଜ୍ୟ ଚୁକ୍ତିନାମା କରିବା ମଧ୍ୟ ଆବଶ୍ୟକ। କାରଣ ବହୁପକ୍ଷୀ ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ଅନାବଶ୍ୟକ ପ୍ରଶାସନିକ କଟକଣାକୁ ଏଡ଼ାଇବାକୁ ପରାମର୍ଶ ଦେବି। ଭିତ୍ତିଭୂମିରେ ନିବେଶ, ସୁଶାସନ, ଉତ୍କୃଷ୍ଟ ଅଦାଲତରେ ମଧ୍ୟ ବିନିଯୋଗ କରିବାକୁ ପରାମର୍ଶ ଦେବି।