ଦୁନିଆର ଚତୁର୍ଥ ସର୍ବବୃହତ ଅର୍ଥବ୍ୟବସ୍ଥା ହେଲା ଭାରତ, ଜାପାନକୁ ପକାଇଲା ପଛରେ: ନୀତି ଆୟୋଗ ସିଇଓ

Published By : Prameya-News7 Bureau | May 24, 2025 IST

ନୂଆଦିଲ୍ଲୀ: ଆର୍ଥିକ ମୋର୍ଚ୍ଚାରେ ଇତିହାସ ରଚିଛି ଭାରତ । ନୀତି ଆୟୋଗ ସିଇଓ ବିଭିଆର ସୁବ୍ରମଣ୍ୟମ ଦେଶର ଅର୍ଥନୀତିକୁ ନେଇ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ଏବେ ଦୁନିଆର ଚତୁର୍ଥ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇଛି । ଏହି ମାମଲାରେ ଭାରତ ଏବେ ଜାପାନକୁ ପଛରେ ପକାଇଛି ।

ସୁବ୍ରମଣ୍ୟମ ନୀତି ଆୟୋଗର ୧୦ମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ପାଇଁ ଏବେ ଅନୁକୂଳ ପରିବେଶ ରହିଛି । ଦେଶର ଆର୍ଥିକ ସ୍ଥିତି ମଜଭୁତ ଅଛି । ପିଟିଆଇକୁ ସେ କହିଛନ୍ତି ଯେ ଏବେ ଆମେ ଦୁନିଆର ଚତୁର୍ଥ ବଡ଼ ଅର୍ଥବ୍ୟବସ୍ଥା । ଆମ ଅର୍ଥବ୍ୟବସ୍ଥା ଏବେ ୪ ଟ୍ରିଲିୟନ ଡଲାରର ।

ସୁବ୍ରମଣ୍ୟମ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିର ଡାଟାକୁ ଉଲ୍ଲେଖ କରିଛନ୍ତି । ଆଇଏମଏଫ୍ ଅନୁସାରେ, ଭାରତର ଅର୍ଥବ୍ୟବସ୍ଥା ଜାପାନଠାରୁ ବଡ଼ ହୋଇଛି । ସେ ଆହୁରି କହିଛନ୍ତି ଯେ ଏବେ କେବଳ ଆମେରିକା, ଚୀନ ଓ ଜର୍ମାନୀ ହିଁ ଭାରତ ଆଗରେ ଅଛନ୍ତି । ଯଦି ସଠିକ୍ ଯୋଜନା ଅନୁସାରେ କାମ କରାଯାଏ, ତେବେ ଆଗାମୀ ୨.୫-୩ ବର୍ଷରେ ଆମେ ତୃତୀୟ ବୃହତ ଅର୍ଥନୀତି ହୋଇପାରିବା ।

ଉଲ୍ଲେଖଯୋଗ୍ୟ ଯେ ଦିନ ପୂର୍ବରୁ ଫିଚ୍ ରେଟିଂ ଏଜେନ୍ସି ଭାରତର ୨୦୨୮ ଯାଏ ହାରାହାରି ବାର୍ଷିକ ବୃଦ୍ଧି କ୍ଷମତା ଅନୁମାନକୁ ୬.୪ ପ୍ରତିଶତ କରିଥିଲା । ରେଟିଂ ଏଜେନ୍ସି ୨୦୨୩ ନଭେମ୍ୱରର ୬.୨ ପ୍ରତିଶତ ନେଇ ନିଜ ଅନୁମାନକୁ ସଂଶୋଧିତ କରି ବଢାଇଛି ।

ଏହା ପୂର୍ବରୁ IMFର ୱାର୍ଲଡ୍ ଇକୋନୋମିକ୍ ଆଉଟ୍‌ଲୁକ୍ ଏପ୍ରିଲ୍ ୨୦୨୫ ସଂସ୍କରଣରେ କୁହାଯାଇଥିଲା ଯେ ୨୦୨୫ ଶେଷ ସୁଦ୍ଧା ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହେବ । ଜାପାନକୁ ଅତିକ୍ରମ କରି ଭାରତ ଏହି ଉପଲବ୍ଧି ହାସଲ କରିବ । ୨୦୨୫ (FY୨୬) ପାଇଁ ଭାରତର ନୋମିନାଲ୍ GDP ୪,୧୮୭.୦୧୭ ବିଲିୟନ ଡଲାର ହେବ ବୋଲି ଅନୁମାନ କରିଥିଲା । ଯାହା ଜାପାନର ସମ୍ଭାବ୍ୟ GDP ୪,୧୮୬.୪୩୧ ବିଲିୟନ ଡଲାରଠାରୁ ସାମାନ୍ୟ ଅଧିକ ହେବ ବୋଲି କୁହାଯାଇଥିଲା ।

IMF ପୂର୍ବାନୁମାନ ନିଜ ରିପୋର୍ଟରେ ଅନୁମାନ କରିଥିଲା ଯେ ଜର୍ମାନୀକୁ ପଛରେ ପକାଇ ଭାରତ ତୃତୀୟ ବୃହତ ଅର୍ଥନୀତି ହେବାର ସମ୍ଭାବନା ମଧ୍ୟ ରହିଛି । ୨୦୨୮ ସୁଦ୍ଧା ଭାରତର GDP ୫,୫୮୪.୪୭୬ ବିଲିୟନ ଡଲାର ହେବ । ଯାହା ଜର୍ମାନୀର ୫,୨୫୧.୯୨୮ ବିଲିୟନ ଡଲାରକୁ ଟପିବ । ୨୦୨୭ ମସିହାରେ ଭାରତ ୫,୦୬୯.୪୭ ବିଲିୟନ ଡଲାର GDP ସହିତ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ । ରିପୋର୍ଟ ଅନୁସାରେ ଆମେରିକା ଓ ଚାଇନା ବିଶ୍ୱର ପ୍ରଥମ ଦୁଇ ଅର୍ଥବ୍ୟବସ୍ଥା ହୋଇ ରହିବେ । କେବଳ ଚଳିତ ବର୍ଷ ନୁହେଁ, ବରଂ ଦଶନ୍ଧି ଶେଷ ଯାଏ ସେମାନେ ନିଜ ସ୍ଥାନ ବଜାୟ ରଖିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.