ନୂଆଦିଲ୍ଲୀ ୪।୮: ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଟ୍ରାନ୍ସପୋର୍ଟ ଆସୋସିଏସନ (ଆଇଏଟିଏ) ସୋମବାର କହିଛି ଯେ ୨୪.୧ କୋଟି ଯାତ୍ରୀଙ୍କ ସଞ୍ଚାଳନ ସହିତ ୨୦୨୪ ମସିହାରେ ଭାରତ ବିଶ୍ୱର ପଞ୍ଚମ ସର୍ବ ବୃହତ୍ତ ଏଭିଏସନ ବଜାର ପାଲଟିଛି। ଏହି ଅବସରରେ ମୁମ୍ବାଇ ଓ ଦିଲ୍ଲୀ ବିମାନ ବନ୍ଦର ବିଶ୍ୱର ସବୁଠୁ ବ୍ୟସ୍ତତମ ବିମାନବନ୍ଦରଙ୍କ ମଧ୍ୟରେ ସାମିଲ ଥିଲେ। ଆଇଏଟିଏ ବିଶ୍ୱର ୩୫୦ ବିମାନ କମ୍ପାନୀଙ୍କ ପ୍ରତିନିଧିତ୍ୱ କରନ୍ତି। ସୋମବାର ବିଶ୍ୱ ଏୟାରପୋର୍ଟ ପରିସଂଖ୍ୟାନ ଜାରି କରିଛନ୍ତି।
ଏହି ପରିସଂଖ୍ୟାନ ଅନୁସାରେ ଗତବର୍ଷ ଭାରତରେ ବିମାନ ଯାତ୍ରୀଙ୍କ ସଂଖ୍ୟା ୨୧.୧ କୋଟି ଥିଲା, ଯାହା ପିଛିଲା ବର୍ଷ ୨୦୨୩ ତୁଳନାରେ ୧୧.୧ ପ୍ରତିଶତ ଅଧିକ ଥିଲା। ଏହି ଅବଧିରେ ଜାପାନ ବିମାନବନ୍ଦରମାନେ ୨୦.୫ କୋଟି ଯାତ୍ରୀଙ୍କୁ ସଞ୍ଚାଳିତ କରିଥିଲେ, ଫଳରେ ବାର୍ଷିକ ବୃଦ୍ଧି ୧୮.୬% କୁ ପହଞ୍ଚିଥିଲା। ତେବେ ୮୭.୬ କୋଟି ଯାତ୍ରୀଙ୍କ ସହିତ ଆମେରିକା ବିଶ୍ୱର ସର୍ବ ବୃହତ୍ତ ଏଭିଏସନ ମାର୍କେଟ୍ ହୋଇ ରହିଛି।
ତେବେ ଏଥିରେ ଆମେରିକାର ଘରୋଇ ବଜାରର ମୁଖ୍ୟ ଯୋଗଦାନ ଥିଲା। ସେହିପରି ୭୪.୧ କୋଟି ଯାତ୍ରୀଙ୍କ ସହିତ ଚୀନ୍ ଦ୍ୱିତୀୟ ସ୍ଥାନରେ ରହିଛି ଓ ଏଥିରେ ୨୦୨୩ ତୁଳନାରେ ୧୮.୭% ବୃଦ୍ଧି ହୋଇଛି। ୨୬.୧ କୋଟି ଯାତ୍ରୀଙ୍କ ସହିତ ବ୍ରିଟେନ ତୃତୀୟ ସ୍ଥାନରେ ଥିବା ବେଳେ ୨୪.୧ କୋଟି ଯାତ୍ରୀଙ୍କ ସହିତ ସ୍ପେନ ଚତୁର୍ଥ ସ୍ଥାନରେ ରହିଛି। ଏହି ତଥ୍ୟରେ ପ୍ରତ୍ୟେକ ଦେଶକୁ ଯାତାୟାତ କରିଥିବା ସମସ୍ତ ଅନ୍ତର୍ଜାତୀୟ ଓ ଘରୋଇ ଯାତ୍ରୀଙ୍କୁ ମଧ୍ୟ ସାମିଲ କରାଯାଇଛି।
ଶୀର୍ଷ ୧୦ଟି ବିମାନ ବନ୍ଦର ମଧ୍ୟରେ ମୁମ୍ବାଇ ଓ ଦିଲ୍ଲୀ ୨୦୨୪ ମସିହାରେ ୫୯ ଲକ୍ଷ ଯାତ୍ରୀଙ୍କ ସହିତ ସବୁଠୁ ବ୍ୟସ୍ତତମ ଶ୍ରେଣୀର ସପ୍ତମ ସ୍ଥାନରେ ରହିଛି। ଏହି ତଥ୍ୟ ଏଭିଏସନ କ୍ଷେତ୍ରର ବୃଦ୍ଧି ଓ ବିକାଶ ଦିଗରେ ଏକ ସକରାତ୍ମକ ସଂକେତ ଦେଉଛି।