୫୮ ବର୍ଷ ମରୁଡ଼ିର ଅନ୍ତ, ଏଜବାଷ୍ଟନରେ ଇତିହାସ ରଚିଲା ଭାରତ; ଇଂଲଣ୍ଡକୁ ହରାଇ ବିଦେଶ ମାଟିରେ ହାସଲ କଲା ବୃହତ ବିଜୟ

Published By : Prameya-News7 Bureau | July 06, 2025 IST

ଏଜବାଷ୍ଟନ: ଯେଉଁ କାମ କପିଲ ଦେବଙ୍କଠୁ ନେଇ ଧୋନୀ ଏବଂ କୋହଲି କରି ପାରି ନ ଥିଲେ ସେହି କାମ କରି ଦେଖାଇଛନ୍ତି ଶୁଭମନ ଗିଲ୍।  ଏଜବାଷ୍ଟନରେ ୫୮ ବର୍ଷ ମରୁଡିର ଅନ୍ତଘଟାଇ ଐତିହାସିକ ବିଜୟ ହାସଲ କରିଛି ଭାରତୀୟ ଦଳ। ଘରୋଇ ଇଂଲଣ୍ଡକୁ ହରାଇ ଏଜବାଷ୍ଟନରେ ଜିତିଛି ପ୍ରଥମ ଟେଷ୍ଟ। ଅଧିନାୟକ ଶୁଭମନ ଗିଲ୍‌ଙ୍କ ଐତିହାସିକ ଇନିଂସ ସହ ଆକାଶ ଦୀପଙ୍କ ଘାତକ ବୋଲିଂ ବଳରେ ଭାରତ ଘରୋଇ ଇଂଲଣ୍ଡକୁ ଦ୍ଵିତୀୟ ଟେଷ୍ଟରେ ୩୩୬ ରନରେ ହରାଇଛି। ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୧-୧ରେ ବରାବର କରିଛି ଶୁଭମନ ଗିଲ୍‌ଙ୍କ ଦଳ। ଭାରତ ଦ୍ଵାରା ଧାର୍ଯ୍ୟ ୬୦୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୨୭୧ ରନରେ ଅଲଆଉଟ୍ ହୋଇଛି। ଏଥିସହ ବିଦେଶ ମାଟିରେ ଭାରତ ନିଜର ସବୁଠୁ ବଡ଼ ବିଜୟ ହାସଲ କରିଛି। ଏହା ପୂର୍ବରୁ ଭାରତ ବିଦେଶ ମାଟିରେ ୨୦୧୯ରେ ଆଣ୍ଟିଗୁଆରେ ଓ୍ଵେଷ୍ଟଇଣ୍ଡିକୁ ୩୧୮ ରନରେ ପରାସ୍ତ କରିଛି। ଏଜବାଷ୍ଟନରେ ଭାରତ ପୂର୍ବରୁ ୮ଟି ମ୍ୟାଚ୍ ୭ଟି ହାରିଥିବା ବେଳେ ଗୋଟିଏ ଡ୍ର ରହିଥିଲା। ଆକାଶ ଦୀପ ପ୍ରଥମ ଇନିଂସରେ ୪ ଓ ଦ୍ଵିତୀୟ ଇନିଂସରେ ୬ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମହମ୍ମଦ ସିରାଜ ଉଭୟ ଇନିଂସରେ ୭ ଓ୍ଵିକେଟ୍ ନେଇଛନ୍ତି।

ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡ ଟେଷ୍ଟରେ ଭାରତ ପାଇଁ ଏକ ଦୁଃସ୍ୱପ୍ନ ପାଲଟିଥିଲା। ଟିମ୍ ଇଣ୍ଡିଆ ୧୯୬୭ ମସିହାରେ ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲା, କିନ୍ତୁ ଏପର୍ଯ୍ୟନ୍ତ ଏଜବାଷ୍ଟନରେ ଟେଷ୍ଟ ମ୍ୟାଚ୍ ଜିତି ପାରି ନ ଥିଲା। କପିଲ ଦେବ, ବିରାଟ କୋହଲି ଏବଂ ଏମଏସ ଧୋନିଙ୍କ ପରି କିମ୍ବଦନ୍ତୀ ମଧ୍ୟ ନିଜ ଅଧିନାୟକତ୍ୱରେ ଏହି ଗ୍ରାଉଣ୍ଡରେ ଭାରତକୁ ଜିତାଇ ପାରିନାହାନ୍ତି। ଶେଷରେ ଶୁଭମନ ଗିଲ ତାଙ୍କ ଅଧିନାୟକତ୍ୱରେ ୪୮ ବର୍ଷର ପରାଜୟ ଧାରା ସମାପ୍ତ କରିଛନ୍ତି।

୬୦୮ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୭୨ ରନ କରିଥିଲା। କ୍ରିଜରେ ଥିଲେ ଓଲି ପୋପ୍ ଓ ହ୍ୟାରି ବ୍ରୁକ। ତେବେ ଦଳୀୟ ସ୍କୋର ୮୦ ରନ ସ୍କୋରରେ ଓଲି ପୋପ(୨୪)ଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଆକାଶ ଦୀପ। ପ୍ରଥମ ଇନିଂସର ଶତକବୀର ହ୍ୟାରି ବ୍ରୁକ(୨୩ ରନ)ଙ୍କୁ ଏଲବିଡବ୍ଲ୍ୟୁ କରି ଭାରତକୁ ବହୁତ ବଡ଼ ସଫଳତା ଦେଇଥିଲେ ଆକାଶ ଦୀପ। ୮୩ ରନରେ ୫ ଓ୍ଵିକେଟ୍ ହରାଇବା ପରେ ଇଂଲଣ୍ଡର ସ୍ଥିତି ଶୋଚନୀୟ ରହିଥିଲା। ଏହା ପରେ ଅଧିନାୟକ ବେନ ଷ୍ଟୋକ୍ସ ଓ ଜେମି ସ୍ମିଥ ଇନିଂସକୁ କିଛି ସମୟ ସମ୍ଭାଳିଥିଲେ। ଦୁଇ ବ୍ୟାଟର ଷଷ୍ଠ ଓ୍ଵିକେଟ୍ ପାଇଁ ୭୦ ରନ ଯୋଡ଼ି ଦଳର ସ୍କୋରକୁ ୧୫୩ ରନରେ ପହଞ୍ଚାଇଥିଲେ। ବେନ ଷ୍ଟୋକ୍ସଙ୍କୁ ପାଭିଲିୟନ ପଠାଇଥିଲେ ଓ୍ଵାଶିଂଟନ ସୁନ୍ଦର। ଷ୍ଟୋକ୍ସ ୩୩ ରନ କରି ଆଉଟ୍ ହୋଇଥିଲେ। 

ଅନ୍ୟପଟେ ଜେମି ସ୍ମିଥ ଅର୍ଦ୍ଧଶତକ ହାସଲ କରି ଭାରତୀୟ ବିଜୟକୁ ବିଳମ୍ବ କରିଥିଲେ। କ୍ରିସ ଓ୍ଵକ୍ସ(୭)ଙ୍କୁ ପାଭିଲିୟନ ପଠାଇଥିଲେ ପ୍ରସିଦ୍ଧ କୃଷ୍ଣ। ପ୍ରଥମ ଇନିଂସ ପରି ଦ୍ଵିତୀୟ ଇନିଂସରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଜେମି ସ୍ମିଥଙ୍କୁ ଆକାଶ ଦୀପ ଆଉଟ୍  କରି ଟେଷ୍ଟ କ୍ରିକେଟ୍‌ ପ୍ରଥମ ୫ ଓ୍ଵିକେଟ୍ ହାସଲ କରିଛନ୍ତି। ବ୍ରାଇଡନ କାର୍ସଙ୍କୁ ଆଉଟ୍ କରି ଆକାଶ ଦୀପ ଇଂଲଣ୍ଡ ଇନିଂସକୁ ୨୭୧ ରନରେ ଅନ୍ତ ଘଟାଇଥିଲେ। ଆଉ ଭାରତ ମ୍ୟାଚ୍‌କୁ ୩୩୬ ରନରେ ହରାଇଛି। ଇଂଲଣ୍ଡର ଦ୍ଵିତୀୟ ଇନିଂସରେ ଆାକାଶ ଦୀପ ୯୯ ରନ ଦେଇ ୬ ଓ୍ଵିକେଟ୍ ନେଇ ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ମହମ୍ମସ ସିରାଜ, ପ୍ରସିଦ୍ଧ କୃଷ୍ଣ, ରବୀନ୍ଦ୍ର ଜାଡ଼େଜା ଓ ଓ୍ଵାଶିଂଟନ ସୁନ୍ଦର ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।

ସୂଚନାଯୋଗ୍ୟ, ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଇନିଂସରେ ୫୮୭ ରନର ବିଶାଳ ସ୍କୋର କରିଥିଲା। ଅଧିନାୟକ ଶୁଭମନ ଗିଲ୍ ୨୬୯ ରନର ଐତିହାସିକ ପାଳି ଖେଳିଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୮୯ ରନ ଓ ଯଶସ୍ଵୀ ଜୟସ୍ଵାଲ ୮୭ ରନ କରିଥିଲେ। ଜବାବରେ ଇଂଲଣ୍ଡ ୪୦୭ ରନରେ ଅଲଆଉଟ୍ ହୋଇଥିଲା। ଜେମି ସ୍ମିଥ ଅପରାଜିତ ୧୮୪ ରନ କରିଥିବା ବେଳେ ହ୍ୟାରି ବ୍ରୁକ ୧୫୮ ରନ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ସିରାଜ ୬ ଏବଂ ଆକାଶ ଦୀପ ୪ ଓ୍ଵିକେଟ୍ ନେଇଥିଲେ। ଭାରତ ପ୍ରଥମ ଇନିଂସରେ ୧୮୦ ରନର ଅଗ୍ରଣୀ ହାସଲ କରିଥିଲା। ଏହା ପରେ ଭାରତ ଦ୍ଵିତୀୟ ଇନିଂସରେ ୪୨୭/୫ରେ ପାଳି ସମାପ୍ତି ଘୋଷଣା କରିଥିଲା। ଅଧିନାୟକ ଶୁଭମନ ଗିଲ୍ ୧୬୧ ରନର ଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ବାଦ୍ ରବୀନ୍ଦ୍ର ଜାଡ଼େଜା ଅପରାଜିତ ୬୯ ରନ, ଋଷଭ ପନ୍ତ ୬୫ ରନ ଓ କେଏଲ ରାହୁଲ ୫୫ ରନ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.