ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁରୁବାର ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ 'ଦ ଅଫିସର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଅଫ୍ ଦ ଘାନା'ରେ ସମ୍ମାନିତ କରାଯାଇଛି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘାନା ସଂସଦଙ୍କୁ ସମ୍ୱୋଧିତ କରିଥିଲେ । ନିଜ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବୋଚ୍ଚ ସମ୍ମାନ ପାଇଁ ଘାନକୁ କୃତଜ୍ଞତା ଜଣାଇଥିଲେ । ଘାନା ସଂସଦକୁ ସମ୍ୱୋଧିତ କରିବାରେ ଗତ ତିନି ବର୍ଷରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଏହି ପ୍ରତିଷ୍ଠିତ ସଂସଦକୁ ସମ୍ୱୋଧିତ କରି ମୁଁ ଅତ୍ୟନ୍ତ ଗୌରବ ଅନୁଭବ କରୁଛି । ଘାନାକୁ ଆସିବା ମୋ ପାଇଁ ସୌଭାଗ୍ୟର କଥା । ଏହି ଭୂମି ଗଣତନ୍ତ୍ରର ଭାବନାରେ ଓତପ୍ରୋତ । ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ପ୍ରତିନିଧି ରୂପେ ମୁଁ ମୋ ସହ ୧.୪ ବିଲିୟନ ଭାରତୀୟଙ୍କ ସଦଭାବନା ଓ ଶୁଭକାମନା ନେଇ ଆସିଛି । ଘାନାରୁ ମିଳିଥିବା ସର୍ବୋଚ୍ଚ ସମ୍ମାନ ପାଇଁ ମୁଁ ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ କୃତଜ୍ଞତା ଜଣାଉଛି । ଘାନା ସୁନାର ଭୂମି ରୂପେ ପରିଚିତ । ଏହା କେବଳ ଆପଣଙ୍କ ମାଟି ତଳେ ଥିବା ଖଣିଜ ପାଇଁ ନୁହେଁ, ବରଂ ଆପଣଙ୍କ ହୃଦୟର ଭାବନା ଓ ଶକ୍ତି ପାଇଁ ମଧ୍ୟ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଆଜି ଜଣେ ଦୂରଦର୍ଶୀ ନେତାଙ୍କ ସହ ଘାନାର ଲୋକପ୍ରିୟ ବରପୁତ୍ର ଡ.କ୍ୱୋମ ନକ୍ରୁମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା । ସେ ଥରେ କହିଥିଲେ ଆମକୁ ଏକଜୁଟ୍ ରଖୁଥିବା ଶକ୍ତି ଆମକୁ ବିଭାଜନ କରୁଥିବା ଶକ୍ତିଠାରୁ ବହୁ ଅଧିକ । ତାଙ୍କ ଶବ୍ଦ ଆମର ମିଳିତ ଯାତ୍ରାର ମାର୍ଗଦର୍ଶକ ଅଟେ ।
#WATCH | Addressing the Parliament of the Republic of Ghana, PM Narendra Modi says, "India is the mother of democracy. For us, democracy is not merely a system; it is a part of our fundamental values...India has over 2,500 political parties, 20 different parties governing… pic.twitter.com/9jCGlQUnfI
— ANI (@ANI) July 3, 2025
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଥିଲେ, ଭାରତରେ ୨୫୦୦ ରାଜନୈତିକ ଦଳ ଅଛନ୍ତି । ୨୦ଟି ଭିନ୍ନ ଭିନ୍ନ ଦଳ ବିଭିନ୍ନ ରାଜ୍ୟରେ ସରକାର ଚଳାଉଛନ୍ତି । ଏହି କାରଣରୁ ଭାରତ ଆସୁଥିବା ଲୋକଙ୍କୁ ଭବ୍ୟ ସ୍ୱାଗତ କରାଯାଏ । ଚା’ରେ ଚିନି ମିଶାଯିବା ପରି ଭାରତର ଲୋକ ଘାନାରେ ମିଶିଯାଆନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ଆମ ନଜରରେ ଘାନା ଏକ ସଶକ୍ତ ରାଷ୍ଟ୍ର । ସାମଗ୍ରିକ ପ୍ରଗତି ପାଇଁ ଆପଣଙ୍କର ପ୍ରତିବଦ୍ଧତା ଘାନାକୁ ପୂରା ଆଫ୍ରିକା ମହାଦେଶ ପାଇଁ ପ୍ରେରଣାର କେନ୍ଦ୍ର କରିଛି । ଭାରତ ଏବଂ ଘାନାର ସମ୍ପର୍କ ବହୁତ ମଜଭୁତ । ଭାରତ-ଘାନା ସାମଗ୍ରିକ ବିକାଶ ଆଡ଼କୁ ଅଗ୍ରସର ହେଉଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ, ଆମ ପାଇଁ ଗଣତନ୍ତ୍ର ଏକ ବ୍ୟବସ୍ଥା ନୁହେଁ ବରଂ ଏକ ସଂସ୍କୃତି । ଗତ କିଛି ବର୍ଷ ମଧ୍ୟରେ ଘାନାରେ ଦ୍ରୁତ ବିକାଶ ହୋଇଛି । ବର୍ତ୍ତମାନ, ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ପ୍ରଗତିଶୀଳ ଅର୍ଥନୀତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ କହିଥିଲେ - ବିଶ୍ୱ ଏହି ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି, ଯେଉଁଥିରେ ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ସବୁଠୁ ବଡ଼ ସମସ୍ୟା । ଏହି ପ୍ରତିକୂଳ ସମୟରେ, ଭାରତର ଗଣତନ୍ତ୍ର ଆଶାର କିରଣ ରହିଛି । ଭାରତର ଲୋକମାନେ ଶାନ୍ତି, ସୁରକ୍ଷା ଏବଂ ବିକାଶରେ ବିଶ୍ୱାସ କରନ୍ତି ।
ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱ ଜଳବାୟୁ ପରିବର୍ତ୍ତନ, ମହାମାରୀ, ଆତଙ୍କବାଦ ଏବଂ ସାଇବର ସୁରକ୍ଷା ଭଳି ନୂତନ ଏବଂ ଜଟିଳ ସଙ୍କଟର ସମ୍ମୁଖୀନ ହେଉଛି । ଗତ ଶତାବ୍ଦୀରେ ନିର୍ମିତ ଅନୁଷ୍ଠାନଗୁଡ଼ିକ ପ୍ରତିକ୍ରିୟା ଦେବା ପାଇଁ ସଂଘର୍ଷ କରୁଛନ୍ତି । ପରିବର୍ତ୍ତିତ ପରିସ୍ଥିତି ପାଇଁ ବିଶ୍ୱ ଶାସନରେ ବିଶ୍ୱସନୀୟ ଏବଂ ପ୍ରଭାବଶାଳୀ ସଂସ୍କାର ଆବଶ୍ୟକ । ଆମ କାର୍ଯ୍ୟକାଳରେ ଆଫ୍ରିକୀୟ ସଂଘ G-୨୦ର ସ୍ଥାୟୀ ସଦସ୍ୟ ହୋଇପାରିଥିବାରୁ ଆମେ ଗର୍ବିତ ।