ଲିଡ୍ସ: ପ୍ରଥମ ଦିନରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିବା ଭାରତୀୟ ବ୍ୟାଟର ଦ୍ଵିତୀୟ ଦିନ ଖେଳରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି। ଏକଦା ୪୩୦ ରନରେ ୩ ଓ୍ଵିକେଟ୍ ହରାଇ ବିଶାଳ ସ୍କୋର ଆଡ଼କୁ ମୁହାଁଉଥିବା ଭାରତ ୪୭୧ ରନରେ ଅଲଆଉଟ୍ ହୋଇଛି। ଅର୍ଥାତ ଦଳ ଅବଶିଷ୍ଟ ୪୧ ରନରେ ୭ ଓ୍ଵିକେଟ୍ ହରାଇଛି। ଦ୍ଵିତୀୟ ଦିନରେ ଋଷଭ ପନ୍ତ ୧୩୪ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଅଧିନାୟକ ଶୁଭମନ ଗିଲ୍ ସର୍ବାଧିକ ୧୪୭ ରନ କରିଛନ୍ତି। ଓପନର ଜୟସ୍ବାଲ ୧୦୧ ରନର ଶତକୀୟ ଇନିଂସ ଖେଳିଛନ୍ତି।
ଭାରତ ପ୍ରଥମ ଦିନର ଅସମାପ୍ତ ଖେଳ ୩୫୯/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଆଶା କରାଯାଉଥିଲା ଦଳ ଅନ୍ତତଃ ୫୦୦ ସ୍କୋର କରିବ। ଦ୍ଵିତୀୟ ଦିନର ପ୍ରଥମ ସେସନରେ ୧୨୭ ରନ କରି ଅପରାଜିତ ଥିବା ଅଧିନାୟକ ଶୁଭମନ ଗିଲ୍ ଓ ଋଷଭ ପନ୍ତ ଭଲ ବ୍ୟାଟିଂ କରିଥିଲେ। ଉଭୟ ଆଜି ଚତୁର୍ଥ ଓ୍ଵିକେଟ୍ରେ ୭୧ ରନ ଯୋଡ଼ିଥିଲେ। ତେବେ ୪୩୦ ରନ ସ୍କୋରରେ ଭାରତ ଚତୁର୍ଥ ଓ୍ଵିକେଟ୍ ହରାଇଥିଲା। ଗିଲ୍ ୧୪୭ ରନ କରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ଗିଲ୍ ଓ ପନ୍ତ ଚତୁର୍ଥ ଓ୍ଵିକେଟ୍ ଭାଗିଦାରୀରେ ୨୦୯ ରନ ଯୋଡ଼ିଥିଲେ। ଅନ୍ୟପଟେ ପନ୍ତ ଟେଷ୍ଟ କ୍ୟାରିୟରରେ ସପ୍ତମ ଶତକ ହାସଲ କରିଥିଲେ।
ଗିଲ୍ଙ୍କ ପରେ ୮ ବର୍ଷ ପରେ ଟେଷ୍ଟ କ୍ରିକେଟ୍ରେ ପଦାର୍ପଣ କରିଥିବା କରୁଣ ନାୟର ଖାତା ଖୋଲି ପାରି ନଥିଲେ। ଶତକ ପରେ ଦ୍ରୁତ ବ୍ୟାଟିଂ କରୁଥିବା ପନ୍ତ ଏଲବିଡବ୍ଲ୍ୟୁ ହୋଇଥିଲେ। ସେ ୧୭୮ ବଲ୍ରେ ୧୨ ଚୌକା ଓ ୬ ଛକା ସହ ୧୩୪ ରନର ଦମଦାର ଇନିଂସ ଖେଳିଥିଲେ। ଏହା ପରେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ଶାର୍ଦ୍ଦୁଳ ଠାକୁର ୧ ରନ, ବୁମରା ୦, ରବିନ୍ଦ୍ର ଜାଡ଼େଜା ୧୧ ରନ ଓ ପ୍ରସିଦ୍ଧ କୃଷ୍ଣା ୧ ରନ କରି ଆଉଟ୍ ହୋଇଥିଲେ। ଏକଦା ୪୩୦ ରନରେ ୩ ଓ୍ଵିକେଟ୍ ହରାଇ ବେଶ ମଜବୁତ ସ୍ଥିତିରେ ଥିବା ଭାରତ ଶେଷ ୭ ଓ୍ଵିକେଟ୍ ମାତ୍ର ୪୧ ରନରେ ହରାଇ ୪୭୧ ରନରେ ଅଲଆଉଟ୍ ହୋଇଛି।
ବୋଲିଂରେ ଇଂଲଣ୍ଡ ପକ୍ଷରୁ ଅଧିନାୟକ ବେନ ଷ୍ଟୋକ୍ସ ୪ ଓ ଜୋଶ ଟଙ୍ଗ ୪ଟି ଲେଖାଏଁ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ବ୍ରାୟଡନ କର୍ସ ଓ ଶୋଏବ ବସିର ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ପ୍ରଥମ ଦିନରେ ଯଶସ୍ଵୀ ଜୟସ୍ଵାଲ ୧୦୧ ରନର ଇନିଂସ ଖେଳିଥିବା ବେଳେ କେଏଲ ରାହୁଲ ୪୨ ରନ କରିଛନ୍ତି। ଟେଷ୍ଟ ପଦାର୍ପଣ କରିଥିବା ସାଇ ସୁଦର୍ଶନ ଖାତା ଖୋଲି ପାରି ନ ଥିଲେ।