ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜରେ ଛାତ୍ରୀଙ୍କୁ ରାଗିଂ ଘଟଣା। ଆଣ୍ଟି ରାଗିଂ ବୈଠକରେ ତଦନ୍ତ ସରିବା ପରେ ତଦନ୍ତ ସରିବା ପରେ ରାଗିଂ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଲେ ମେଡିକାଲ ଅଧ୍ୟକ୍ଷା ପ୍ରଫେସର ଡାକ୍ତର ସୁଚିତ୍ରା ଦାସ। ଆଣ୍ଟି ରାଗିଂ ସେଲରେ ଜୈନିକ ଛାତ୍ରୀଙ୍କ ବାପା ଇମେଲ ଜରିଆରେ ଅଭିଯୋଗ କରିଥିବା ମିଛ ବୋଲି କହିଲେ ଅଧ୍ୟକ୍ଷା।
ସେ କହିଛନ୍ତି ଜୈନିକ ଛାତ୍ରୀଙ୍କ ବାପା ସ୍ୱସ୍ତିକ ମଣ୍ଡଳ ରାଗିଂ ନେଇ ଅଭିଯୋଗ କରିଥିବା ଦର୍ଶାଯାଇଛି। ଯେତେବଳେକି ଛାତ୍ରୀଙ୍କ ବାପା ସ୍ୱସ୍ତିକ ନୁହଁନ୍ତି। ଛାତ୍ରୀଙ୍କ ବାପା ହେଉଛନ୍ତି ନିରଞ୍ଜନ ମଣ୍ଡଳ। ରାଗିଂ ନେଇ ଝିଅ ଅଭିଯୋଗ କରିନାହିଁ ଏବଂ ଆଣ୍ଟି ରାଗିଂ ସେଲରେ ମଧ୍ୟ ଏନେଇ ଅଭିଯୋଗ କରିନଥିବା ତଦନ୍ତରୁ ଜଣାପଡ଼ିଛି। ଆହୁରି ମଧ୍ୟ ୪ ଜଣ ଛାତ୍ରୀ ମଧ୍ୟ ରାଗିଂ ବିଷୟରେ କିଛି ଜାଣି ନାହାଁନ୍ତି।
ତେବେ ଇମେଲ କାହା ନାମରେ ଆସିଥିଲା କିଏ ଏଭଳି ଅଭିଯୋଗ ଆଣିଥିଲା ସେ ନେଇ ସାଇବର ଥାନାରେ ଅଭିଯୋଗ କରାଯିବା ନେଇ କହିଛନ୍ତି ମେଡିକାଲ କଲେଜ ଅଧ୍ୟକ୍ଷା।
ସୂଚନାଥାଉକି, ସୋମବାର ଏମ୍କେସିଜି ମେଡିକାଲ କଲେଜରେ କିଛି ସିନିୟର ଛାତ୍ରୀ ନିଜର ଜୁନିୟରମାନଙ୍କୁ ରାଗିଂ କରିଥିବାର ଅଭିଯୋଗ ହୋଇଥିଲା। କୁହାଯାଇଥିଲା ସିନିୟରମାନେ ସେମାନଙ୍କ ହୋମଓ୍ୱାର୍କ ଜୁନିୟରଙ୍କ ମାଧ୍ୟମରେ କରାଉଛନ୍ତି। ତେବେ ଅଭିଯୋଗ ପରେ ପୂରା ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଏମ୍କେସିଜି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଆଣ୍ଟିଂ ରାଗିଂ ସେଲ୍କୁ ନିର୍ଦ୍ଦେଶ ଦେଇଥିଲା। ଏପିରିକି ୪ ଜଣ ସିନିୟର ଛାତ୍ରୀଙ୍କୁ ସୋମବାର ଆଣ୍ଟି ରାଗିଂ କମିଟି ନିକଟରେ ହାଜର ହେବାକୁ ନୋଟିସ ହୋଇଥିଲା।