ଅପରେସନ ସିନ୍ଦୂର କାଳରେ ରାଫେଲ ଓ ସୁଖୋଇ ସାମ୍ନାକୁ ଆସିଯାଇଥିଲେ ପାକିସ୍ତାନର JF-17 ଓ ମିରାଜ, ଜାଣନ୍ତୁ ହେଲା କ’ଣ?

Published By : Prameya-News7 Bureau | June 11, 2025 IST

ନୂଆଦିଲ୍ଲୀ ୧୧।୬:ଅପରେସନ ସିନ୍ଦୂର କାଳରେ ୬ଓ ୭ ମେ ରାତିରେ ଭାରତୀୟ ବାୟୁସେନା ଡଗଫାଇଟରେ ପାକିସ୍ତାନର ଯୁଦ୍ଧବିମାନ ଖସାଇ ଦେଇଥିଲା। ଭାରତ ଖୁବ୍ ଶୀଘ୍ର ପ୍ରମାଣ ସହ ଏହା ଉପସ୍ଥାପନ କରିବ। ଦେଶର ପ୍ରତିରକ୍ଷା ସମ୍ପର୍କିତ ଟପ୍ ସୋର୍ସ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ୬-୭ ମେ ରାତିରେ ଭାରତୀୟ ବାୟୁସେନାର ରାଫେଲ ଓ ସୁଖୋଇ ବିମାନ ଅପରେସନରେ ଥିବା ବେଳେ ପାକିସ୍ତାନ ବାୟୁସେନା ତାର ଜେଏଫ-୧୭, ଜେ-୧୦ ଓ ମିରାଜ ଯୁଦ୍ଧବିମାନ ଦ୍ୱାରା ରୋକିବାକୁ ଚେଷ୍ଟା କରିଥିଲା। 

ଏହି ସମୟରେ ପାକିସ୍ତାନ ବାୟୁସେନା ବିମାନଙ୍କୁ ଭାରତୀୟ ବାୟୁସେନା ରାସ୍ତାରୁ ହଟାଇ ଦେଇଥିଲେ। ଅପରେସନ ସିନ୍ଦୂର କାଳରେ ପାକିସ୍ତାନର କେତେ କ୍ଷୟକ୍ଷତି ହୋଇଛି ଏବେ ତଥ୍ୟ ଓ ପ୍ରମାଣ ସହ ଭାରତ ତାର ସୂଚନା ଦେବ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ୬ ଓ ୭ ମେ ରାତିରେ ଅପରେସନ ସିନ୍ଦୂର ହାତକୁ ନେଇଥିଲା। ଏଥିରେ ଭାରତୀୟ ବାୟୁସେନା ସୀମା ଉଲ୍ଲଂଘନ ନ କରି ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କ ୯ଟି ଆଡ୍ଡା ଧ୍ୱଂସ୍ତ କରିଥିଲା। 

ଭାରତର ଏହି କାର୍ଯ୍ୟାନୁଷ୍ଠାନରେ ଅନୁନ୍ୟ ୧୦୦ ଆତଙ୍କବାଦୀ ପ୍ରାଣ ହରାଇଥିବାର ଭାରତ ସରକାର ପୁଷ୍ଟି କରିଥିଲେ। ତେବେ ଭାରତର କାର୍ଯ୍ୟାନୁଷ୍ଠାନରେ ବିବ୍ରତ ପାକିସ୍ତାନ ଯୁଦ୍ଧବିରାମ ଉଲ୍ଲଂଘନ କରି ସୀମା ସେପାଖରୁ ଭାରତ ଉପରକୁ ଆକ୍ରମଣ ବଢାଇ ଦେଇଥିଲା। ଜବାବରେ ଭାରତ ମଧ୍ୟ ଆକ୍ରମଣ ବଢାଇବା ସହ ସୀମା ସେପାଖରେ ପାକିସ୍ତାନର ୧୧ରୁ ଅଧିକ ବାୟୁସେନା ଘାଟିକୁ ମାଟିରେ ମିସାଇ ଦେଇଛି। ଏଥିରେ ନୂର ଖାନ ଏୟାରବେସ୍ ଯାହାକୁ ପାକିସ୍ତାନ ବାୟୁସେନାର ମେରୁଦଣ୍ଡ କୁହାଯାଏ ତାହା ମଧ୍ୟ ଧ୍ୱଂସ୍ତ ହୋଇଛି। 

ଏହା ଛଡା ଭାରତୀୟ ବାୟୁସେନା ଆକ୍ରମଣରେ ପାକିସ୍ତାନର ସୁକ୍କୁର ଏୟାରବେସ୍, ଚୁନିୟା ଏୟାରବେସ୍, ରଫିକୀ ଏୟାରବେସ୍ ଓ ରହୀମୟାର ଖାନ ଏୟାର ବେସ୍ ମଧ୍ୟ ଧ୍ୱଂସ୍ତ ବିଧ୍ୱଂସ୍ତ ହୋଇଥିଲା। ଏହି କ୍ଷୟକ୍ଷତିର ପ୍ରମାଣ ଭାରତୀୟ ବାୟୁସେନା ଉପଗ୍ରହ ଚିତ୍ର ମାଧ୍ୟମରେ ଦେଇ ସାରିଛି। ଯେଉଁଥିରୁ ଜଣାପଡୁଛି ଭାରତୀୟ ସେନା ପାକିସ୍ତାନକୁ ଆଣ୍ଠୁ ମାଡ଼ି ବସାଇ ଦେଇଥିଲା। ଏହା ଛଡା ଅପରେସନ ସିନ୍ଦୂର କାଳରେ ପାକିସ୍ତାନୀ ଏୟାର ଡିଫେନ୍ସ ଏଚକ୍ୟୁ-୯କୁ ମଧ୍ୟ ଉଡାଇ ଦେଇଥିଲା, ଯାହାକୁ ସେ ଚୀନ୍ ଠାରୁ କିଣିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.