ଲଣ୍ଡନ ୧୭।୭: କୀର ଷ୍ଟାର୍ମରଙ୍କ ନେତୃତ୍ୱାଧୀନ ବ୍ରିଟେନ ସରକାର ଐତିହାସିକ ପଦକ୍ଷେପ ନେବାକୁ ଯାଉଛି। ଏଥିରେ ଦେଶରେ ଭୋଟ ଦେବାର ସର୍ବନିମ୍ନ ବୟସ ସୀମା ହ୍ରାସ କରି ୧୬ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଣୁ ଆଗାମୀ ସାଧାରଣ ନିର୍ବାଚନରେ ବ୍ରିଟେନର ସବୁ ୧୬ ଓ ୧୭ ବର୍ଷ ବୟଷ୍କଙ୍କୁ ଭୋଟ ଦାନର ଅଧିକାର ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଉଲ୍ଲେଖୋଯୋଗ୍ୟ ଯେ ବ୍ରିଟେନରେ ମତଦାନର ବୟସରେ ପରିବର୍ତ୍ତନ ଶେଷ ଥର ୧୯୬୯ ମସିହାରେ ହୋଇଥିଲା।
ଏହି ସଂଶୋଧନରେ ମତାଧିକାର ସାବ୍ୟସ୍ତ କରିବାର ବୟସ ୨୧ରୁ ହ୍ରାସ କରି ୧୮ କରାଯାଇଥିଲା। ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ସରକାର କହିଛନ୍ତି ଯେ ଏହି ସଂଶୋଧନକୁ ସଂସଦର ମଞ୍ଜୁରୀ ପରେ ଲାଗୁ କରାଯିବ। ସରକାରଙ୍କ କହିବା କଥା ହେଉଛି ୧୬-୧୭ବର୍ଷର ଯୁବ ବର୍ଗଙ୍କୁ ସେମାନଙ୍କ କଥା ରଖିବାକୁ ସୁଯୋଗ ଦେବେ। ଏହି ବୟସର ଅନେକ ଯୁବକ ସେନାରେ ସେମାନଙ୍କ ସେବା ଦେଉଛନ୍ତି। ଏହାକୁ ଡେପୁଟି ପ୍ରାଇମିନିଷ୍ଟର ଏଞ୍ଜେଲା ରେୟନର ମଧ୍ୟ ସମର୍ଥନ କରିଛନ୍ତି।
ରେୟନର କହିଛନ୍ତି ଯେ ଦୀର୍ଘ ସମୟରୁ ଆମ ଗଣତନ୍ତ୍ରରେ ଲୋକଙ୍କ ବିଶ୍ୱାସ ହ୍ରାସ ହେଉଛି, ଆମ ସଂସ୍ଥାଙ୍କ ବିଶ୍ୱାସ ମଧ୍ୟ କମିବାରେ ଲାଗିଛି। ଆମେ ଭାଗିଦାରୀର ବାଧା ଦୂର କରିବା ପାଇଁ ପଦକ୍ଷେପ ନେଉଛୁ, ଯାହାଦ୍ୱାରା ଏହା ସୁନିଶ୍ଚିତ କରାଯାଇ ପାରିବ ବ୍ରିଟେନର ଅଧିକରୁ ଅଧିକ ଲୋକେ ଗଣତନ୍ତ୍ରରେ ସାମିଲ ହୋଇ ପାରିବେ। ଆମେ ୧୬ ବର୍ଷର ପିଲାଙ୍କୁ ମତଦାନ ଅଧିକାର ଦେବା ପାଇଁ ଆମ ଘୋଷଣାପତ୍ରରେ ଦେଇଥିବା ପ୍ରତିଶ୍ରୁତି ଏବେ ପୁରଣ କରିବୁ।
ସେ କହିଛନ୍ତି ଯେ ଆମେ ଆୟୁସୀମା ସମ୍ପର୍କିତ ପରିବର୍ତ୍ତନ ଲାଗୁ କରି ଯୁବବର୍ଗଙ୍କୁ ମୁଖ୍ୟ ରାଜନୈତିକ ଧାରା ସହ ସଂଯୁକ୍ତ ହେବାକୁ ବଡ଼ ସୁଯୋଗ ଦେଉଛୁ। ଏହି ପରିବର୍ତ୍ତନ ସ୍ୱରୂପ ଭୋଟର ଆଇଡି କାର୍ଡରେ ବ୍ରିଟିଶ ସରକାରଙ୍କ ଦ୍ୱାରା ଜାରି ବ୍ୟାଙ୍କ କାର୍ଡ, ଡିଜିଟାଲ ପ୍ରମାଣ ପତ୍ର ଯେପରି ଡ୍ରାଇଭିଂ ଲାଇସେନ୍ସ ଓ ଭେଟେରାନ କାର୍ଡକୁ ମଧ୍ୟ ସାମିଲ କରାଯିବ। ଏହା ଦ୍ୱାରା ଅଧିକରୁ ଅଧିକ ଲୋକେ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରର ଉପଯୋଗ କରିପାରିବେ।
ଏହି ପରିବର୍ତ୍ତନ କାହିଁକି?
୧୬ ଓ ୧୭ ବର୍ଷ ବୟଷ୍କଙ୍କୁ ଭୋଟଦାନ ଅଧିକାର ଦେବା ପଛର ତର୍କ ହେଉଛି ଏହି ବୟସ ବେଳକୁ ଅଧିକାଂଶ ଲୋକେ କାମ କରିବା ଆରମ୍ଭ କରିଦେଉଛନ୍ତି। ଏହା ଛଡା ଟ୍ୟାକ୍ସ ମଧ୍ୟ ଦେଉଛନ୍ତି ଓ ସେନାରେ ମଧ୍ୟ ନିଯୁକ୍ତ ହେଉଛନ୍ତି। ଏଣୁ ଗଣତନ୍ତ୍ର ମନ୍ତ୍ରୀ ଋଷନାରା ଅଲୀ କହିଛନ୍ତି ଯେ ପଦକ୍ଷେପ ବ୍ରିଟେନ ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସ ବଢାଇବା ଓ ଭାଗିଦାରୀ ବଢାଇବା ଦିଗରେ ଏକ ବଡ଼ ପଦକ୍ଷେପ ହେବ। ଏହି ନୂଆ ନିୟମ ଲାଗୁ ହେବା ପରେ ବ୍ରିଟେନ ସେହି ବଛାବଛା ଦେଶଙ୍କ ସୂଚୀରେ ସାମିଲ ହୋଇଯିବ ଯେଉଁ ଦେଶମାନେ ୧୬-୧୭ ବର୍ଷ ବୟସର ଯୁବ ବର୍ଗଙ୍କୁ ଭୋଟଦାନ ଅଧିକାର ଦେଉଛନ୍ତି।
ଯେଉଁ ଦେଶରେ ୧୮ ବର୍ଷରୁ କମ ବୟଷ୍କଙ୍କୁ ମତଦାନର ଅଧିକାର ମିଳିଛି ସେହି ଦେଶଙ୍କ ମଧ୍ୟରେ ଇଣ୍ଡୋନେସିୟା (୧୭), ଉତ୍ତରକୋରିଆ (୧୭), ଗ୍ରୀସ(୧୭), ବ୍ରାଜିଲ(୧୬), ଆର୍ଜେଣ୍ଟିନା (୧୬), ଇକ୍ୱେଡର(୧୬), କ୍ୟୁବା (୧୬), ଅଷ୍ଟ୍ରିୟା (୧୬), ନିକାରଗୁଆ (୧୬) ମାଲ୍ଟା (୧୬) ଓ ଆଇଲ ଅଫ ମେନ(୧୬) ଆଦି ଦେଶ ଅଛନ୍ତି।