ନୂଆଦିଲ୍ଲୀ : ରାଜନୀତିକୁ ଆସିଲେ ପାକିସ୍ତାନ ତେହେରିକ୍-ଏ-ଇନସାଫ୍ ପ୍ରତିଷ୍ଠାତା ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ। ମଙ୍ଗଳବାର (୧୫ ଜୁଲାଇ)ଦିନ ପାକିସ୍ତାନରେ ତାଙ୍କର ନୂତନ ରାଜନୈତିକ ଦଳ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି, ଯାହାର ନାମ ‘ପାକିସ୍ତାନ ରିପବ୍ଲିକ୍ ପାର୍ଟି’ ରଖା ଯାଇଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପତ୍ନୀ ତଥା ସାମ୍ବାଦିକା ରାଜନୀତିରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛନ୍ତି।
କରାଚୀ ପ୍ରେସ୍ କ୍ଲବରେ ଏହି ଘୋଷଣା ସମୟରେ ରେହମ କହିଥିଲେ ଯେ, ତାଙ୍କ ଦଳ ଲୋକଙ୍କ ସ୍ୱର ଭାବରେ କାର୍ଯ୍ୟ କରିବ। ଏହା ଶାସକ ଗୋଷ୍ଠୀକୁ ମଧ୍ୟ ଦାୟୀ କରିବ। ନିଜ ସ୍ୱାମୀଙ୍କ ବିଷୟରେ ଦର୍ଶାଇବାକୁ ଯାଇ ସେ କହିଛନ୍ତି ,ମୁଁ ପୂର୍ବରୁ କେବେ ରାଜନୈତିକ ପଦବୀ ଗ୍ରହଣ କରିନାହିଁ। ମୁଁ ଥରେ କେବଳ ଜଣେ ବ୍ୟକ୍ତିଙ୍କ ପାଇଁ ଏକ ଦଳରେ ଯୋଗ ଦେଇଥିଲି। କିନ୍ତୁ ଆଜି, ମୁଁ ମୋର ନିଜ ସର୍ତ୍ତରେ ଠିଆ ହୋଇଛି।
ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନର ପାକିସ୍ତାନୀ ରାଜନୀତିରେ ତୀବ୍ର ଅସନ୍ତୋଷ ବୃଦ୍ଧିର ଜବାବରେ ଏହି ଦଳ ଆରମ୍ଭ କରୁଛନ୍ତି। ସେ କହିଛନ୍ତି - ଏହା କେବଳ ଏକ ଦଳ ନୁହେଁ, ଏହା ରାଜନୀତିକୁ ସେବାରେ ପରିଣତ କରିବାର ଏକ ଆନ୍ଦୋଳନ।
ରେହମ ଖାନ ଆହୁରି କହିଛନ୍ତି -ସେ କରାଚି ପ୍ରେସ୍ କ୍ଲବରୁ ତାଙ୍କର ସବୁ ଘୋଷଣା କରିବେ, ଏହି ସ୍ଥାନ ମୁସ୍କିଲ ସମୟରେ ମୋ ସାଥିରେ ଥିଲା।
ପୁରୁଣା ରାଜନୈତିକ ଦଳଗୁଡ଼ିକୁ ସମାଲୋଚନା କରି ରେହମା କହିଛନ୍ତି , ତାଙ୍କ ଦଳ ଏଠାରେ "ବ୍ୟକ୍ତିଗତ ସାମ୍ରାଜ୍ୟର ସେବା " କରିବା ପାଇଁ ନାହିଁ। ଆମ ଦଳର କେହି ଏକାଥରକେ ଚାରୋଟି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବେ ନାହିଁ। ଆମେ ଏଠାରେ ରାଜନୈତିକ ଖେଳ ଖେଳିବାକୁ ଆସି ନାହୁଁ। ଆମ ସଂସଦ ନିଶ୍ଚୟ ଲୋକଙ୍କୁ ପ୍ରତିଫଳିତ କରିବ। ରେହମା ଆହୁରି କହିଛନ୍ତି- ପ୍ରତ୍ୟେକ ବର୍ଗର ପ୍ରତିନିଧିତ୍ୱ ଏପରି ଜଣେ ବ୍ୟକ୍ତି କରିବା ଉଚିତ ଯିଏ ପ୍ରକୃତରେ ସେହି ବର୍ଗର ହୋଇଥିବେ।
"ସମ୍ପୂର୍ଣ୍ଣ ପାକିସ୍ତାନ ମୋର ନିର୍ବାଚନମଣ୍ଡଳୀ," ଏହି କଥା କହି, ସେ ବର୍ତ୍ତମାନର ସରକାରଙ୍କ ଶାସନ ପଦ୍ଧତିକୁ ସମାଲୋଚନା କରିଛନ୍ତି। ରେହମା ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେ ଖୁବ୍ ଶୀଘ୍ର ତାଙ୍କ ଦଳର ଘୋଷଣାପତ୍ର ପ୍ରକାଶ କରିବେ, ଯାହା ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆଧାରିତ ହେବ। ସେ ତାଙ୍କର ଭାଷଣ ଶେଷରେ କହିଥିଲେ, ଏବେ ସେ ପାକିସ୍ତାନର ରାଜନୀତିରେ "ସବୁ ବଡ଼ ରାଜନୈତିକ ଲୋକଙ୍କୁ ରିପ୍ଲେସ " କରିବାକୁ ଆସିଛନ୍ତି।