ଇମ୍ରାନ-ବିଲଓ୍ୱାଲଙ୍କ ‘X’ ଆକାଉଣ୍ଟ ବ୍ୟାନ୍‌, ଭାରତ ବିରୋଧୀ ମନ୍ତବ୍ୟ ପରେ ଆକ୍ସନ

Published By : Prameya-News7 Bureau | May 04, 2025 IST

News7

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଭାରତରେ ରହୁଥିବା ପାକିସ୍ତାନୀମାନେ ଏବଂ ତା’ପରେ ଭାରତରେ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ବ୍ୟାନ୍‌ କରାଯାଇଛି। ଭାରତରେ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ପାକିସ୍ତାନୀ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି କ୍ରମରେ ପୁଣି ଥରେ ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟକୁ ବ୍ୟାନ୍ କରିଛନ୍ତି।

ଭାରତରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ X ଆକାଉଣ୍ଟଗୁଡ଼ିକୁ ବ୍ଲକ୍‌ କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ବୟାନକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇମ୍ରାନ ଖାନ ଏବେ ବି ଜେଲରେ ଅଛନ୍ତି।

ଏହା ପୂର୍ବରୁ ମଧ୍ୟ ସରକାର ଭାରତରେ ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ, ଫେସବୁକ୍, ଏକ୍ସ ଏବଂ ୟୁଟ୍ୟୁବକୁ ବ୍ୟାନ୍ କରିଥିଲେ। ଯେଉଁଥିରେ ହାନିଆ ଆମିର ଏବଂ ମାହିରା ଖାନଙ୍କ ସମେତ ଅନେକ ପାକିସ୍ତାନୀ କଳାକାରଙ୍କ ଆକାଉଣ୍ଟ ମଧ୍ୟ ଅନ୍ତର୍ଭୁକ୍ତ। ପାକିସ୍ତାନୀଙ୍କ ଦ୍ୱାରା ଲଗାତାର ବୟାନ ଦେବା ଯୋଗୁଁ ଭାରତ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।

ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତାରାରଙ୍କ 'X' ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରାଯାଇଥିଲା। ଭାରତ ପାକିସ୍ତାନର ପ୍ରାୟ ୧୬ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛି। ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଦେଶରେ ଯେଉଁ ଖେଳାଳିମାନଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକୁ ବ୍ଲକ୍ କରାଯାଇଥିଲା ସେମାନଙ୍କ ମଧ୍ୟରେ ବାବର ଆଜମ, ମହମ୍ମଦ ରିଜୱାନ, ଶାହିନ ଆଫ୍ରିଦି, ସୋଏବ ମାଲିକ, ସୋଏବ ଅଖତର ଏବଂ ଆହୁରି ଅନେକ ଖେଳାଳି ଅଛନ୍ତି।

ଆତଙ୍କବାଦୀ ଆକ୍ରମଣ ପରେ, ଭାରତରେ ଶାହିଦ ଆଫ୍ରିଦି, କାମରାନ ଆକମଲ, ବାସିତ ଅଲି ଏବଂ ସୋଏବ ଅଖତରଙ୍କ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ମଧ୍ୟ ବ୍ୟାନ କରାଯାଇଛି। ପାକିସ୍ତାନର ଅନ୍ୟ ବ୍ୟାନ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକର ତାଲିକାରେ ଡନ୍ ନ୍ୟୁଜ୍, ସାମା ଟିଭି, ଏଆରୱାଇ ନ୍ୟୁଜ୍, ବୋଲ୍ ନ୍ୟୁଜ୍ ଏବଂ ଜିଓ ନ୍ୟୁଜ୍ ଭଳି ପ୍ରମୁଖ ଚ୍ୟାନେଲ ରହିଛି। 

  • Pahalgam Terror Attack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.