କୋଟି କୋଟିର ସ୍କାମ୍, ଦୁଇ ଦଶନ୍ଧି ଧରି ଥିଲେ ଫେରାର୍; ଗିରଫ ହେଲେ ପଳାତକ ମୋନିକା କପୁର

Published By : Prameya-News7 Bureau | July 09, 2025 IST

ନୂଆଦିଲ୍ଲୀ : CBIକୁ ମିଳିଛି ବଡ଼ ସଫଳତା।  ଗିରଫ ହେଲେ ଦୁଇ ଦଶନ୍ଧି ଧରି ଫେରାର୍ ଥିବା ମୋନିକା କପୁର । ଆର୍ଥିକ ହେରଫେର୍ ମାମଲାରେ ଅଭିଯୁକ୍ତ ମୋନିକା କପୁରଙ୍କୁ ଆମେରିକାରେ ଗିରଫ କରାଯାଇଛି। ଏବେ ତାଙ୍କୁ  ଭାରତ ପ୍ରତ୍ୟପର୍ଣ କରାଯାଇଛି ।  ଆମଦାନୀ-ରପ୍ତାନୀ ଠକେଇ କେସ୍‌ରେ ୨୫ ବର୍ଷ ହେଲା ଫେରାର ଥିଲେ ମୋନିକା କାପୁର। ସିବିଆଇ ଟିମ୍ ଆମେରିକାରେ ମୋନିକାଙ୍କୁ  ହେପାଜତରେ ନେଇ ପଚରାଉଚରା କରିଥିଲା । ସବୁ ସତ ଓଗାଳିବା ପରେ ତାଙ୍କୁ ଭାରତ ଅଣାଯାଇଛି । ବୁଧବାର ସେ ସ୍ବଦେଶ ପହଞ୍ଚିଛନ୍ତି । ୧୯୯୮ ମସିହାରେ ମୋନିକା ଓ ତାଙ୍କ ଦୁଇ ଭାଇ ସହ ମିଶି ମିଳିତ ଭାବେ ଗହଣା ବ୍ୟବସାୟ ପାଇଁ ନକଲି କାଗଜପତ୍ର ତିଆରି କରି ଭାରତ ସରକାରଙ୍କଠାରୁ ଡ୍ୟୁଟି ମୁକ୍ତ କଞ୍ଚାମାଲ ଆମଦାନୀ କରିଥିଲେ। ଯାହା ଦ୍ୱାରା ସରକାରଙ୍କୁ ୧ କୋଟି ୪୪ ଲକ୍ଷରୁ  ଅଧିକ କ୍ଷତି ହୋଇଥିଲା । ୨୦୧୦ ମସିହାରେ ଭାରତ ଆମେରିକାକୁ ମୋନିକାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଥିଲା। ୟୁନାଇଟେଡ୍ ଷ୍ଟେଟ୍ସ ଡିଷ୍ଟ୍ରିକ୍ଟ କୋର୍ଟ ଫର୍ ଦି ଇଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟ ଅଫ୍ ନ୍ୟୁୟର୍କ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସନ୍ଧି ଆଧାରରେ ମୋନିକା କାପୁରଙ୍କୁ ପ୍ରତ୍ୟର୍ପଣ ମଞ୍ଜୁରି ମିଳିଛି । 

 "ମୋନିକା ଓଭରସିଜ୍" ନାମକ ଏକ ଫାର୍ମର ମାଲିକ ମୋନିକା କପୁର।  ତାଙ୍କର ଦୁଇ ଭାଇ ରାଜନ ଖାନ୍ନା ଏବଂ ରାଜୀବ ଖାନ୍ନାଙ୍କ ସହିତ ମିଶି ୧୯୯୮ ମସିହାରେ ବ୍ୟାଙ୍କଗୁଡ଼ିକର ନକଲି ସିପିଂ ବିଲ୍, ଇନଭଏସ୍ ଏବଂ ନକଲି ରପ୍ତାନି ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିଲେ। ଏହି ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ, ସେମାନେ ସରକାରଙ୍କଠାରୁ ଛଅଟି 'ପୁନଃପୂରଣ ଲାଇସେନ୍ସ' ପାଇଥିଲେ, ଯାହା ପ୍ରାୟ ୨.୩୬ କୋଟି ଟଙ୍କାର ଶୁଳ୍କମୁକ୍ତ ସୁନା କ୍ରୟ କରିବାକୁ ଅନୁମତି ଦେଇଥିଲା। ପରେ, ସେମାନେ ଏହି ଲାଇସେନ୍ସଗୁଡ଼ିକୁ ଏକ ପ୍ରିମିୟମ୍ ମୂଲ୍ୟରେ ଅହମ୍ମଦାବାଦର ଏକ ଫାର୍ମ ଡିପ୍ ଏକ୍ସପୋର୍ଟସ୍‌କୁ ବିକ୍ରି କରିଥିଲେ। ଯାହା ସେଗୁଡ଼ିକୁ ଶୁଳ୍କମୁକ୍ତ ସୁନା ଆମଦାନୀ କରିବା ପାଇଁ ବ୍ୟବହାର କରିଥିଲା। ଏହି ଜାଲିଆତି ଯୋଗୁଁ ସରକାରଙ୍କୁ ପ୍ରାୟ ୧.୪୪ କୋଟି ଟଙ୍କାର କ୍ଷତି ସହିବାକୁ ପଡିଲା। 

ମାମଲାର ତଦନ୍ତ କରିବା ପରେ, CBI ମାର୍ଚ୍ଚ 31, 2004 ରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। କୋର୍ଟ 2017 ରେ ରାଜନ ଏବଂ ରାଜୀବ ଖାନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ, କିନ୍ତୁ ସେତେବେଳକୁ ମୋନିକା କପୁର ଦେଶ ଛାଡି ଚାଲିଯାଇଥିଲେ। ସେ ତଦନ୍ତ ଏବଂ ଶୁଣାଣିକୁ ଏଡାଇ ଚାଲିଥିଲେ, ଯାହା ଫଳରେ କୋର୍ଟ 2006 ରେ ତାଙ୍କୁ ପଳାତକ ଘୋଷଣା କରିଥିଲେ ଏବଂ 2010 ରେ ତାଙ୍କ ବିରୁଦ୍ଧରେ ରେଡ୍ କର୍ଣ୍ଣର ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। CBI ସେହି ବର୍ଷ ଆମେରିକାରୁ ମୋନିକାର ପ୍ରତ୍ୟର୍ପଣ ମଧ୍ୟ ଚାହୁଁଥିଲା। ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଦୁଇ ଦେଶ ମଧ୍ୟରେ ପ୍ରତ୍ୟର୍ପଣ ସନ୍ଧି ଅନୁଯାୟୀ, ୨୦୧୦ ଅକ୍ଟୋବରରେ ମୋନିକା କାପୁର ପ୍ରତ୍ୟର୍ପଣ ନେଇ ଭାରତ ସରକାର ଆମେରିକା ସହ ସମ୍ପର୍କ କରିଥିଲେ । 

ଆମେରିକୀୟ ଏଜେନ୍ସିଗୁଡ଼ିକ ସହିତ ନିରନ୍ତର ସମନ୍ୱୟ ପରେ, ଶେଷରେ CBI ମୋନିକା କପୁରଙ୍କୁ ଭାରତ ଫେରାଇ ଆଣିବାରେ ସକ୍ଷମ ହୋଇଛି। ବର୍ତ୍ତମାନ ତାଙ୍କୁ କୋର୍ଟରେ ହାଜର କରାଯାଇଛି ଏବଂ ଖୁବ୍ ଶୀଘ୍ର ତାଙ୍କ ବିରୁଦ୍ଧରେ ବିଚାର କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.