ଜଷ୍ଟିସ୍ ଯଶୱନ୍ତଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ସରକାର, ସହମତି ପାଇଁ ସବୁ ଦଳ ସହ କଥା ହେବେ

Published By : Prameya-News7 Bureau | June 03, 2025 IST

ନୂଆଦିଲ୍ଲୀ: ସରକାରୀ ଆବାସରୁ କୋଟି କୋଟି ଟଙ୍କା ମିଳିବା ଘଟଣାରେ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଅଡ଼ୁଆ ବଢିପାରେ । ସଂସଦର ଆଗାମୀ ଅଧିବେଶନରେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ସରକାର ପ୍ରସ୍ତୁତି କରୁଛନ୍ତି । ଦୁର୍ନୀତି ମାମଲାରେ ଫସିଥିବା ବିଚାରପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ସମସ୍ତ ଦଳର ସହମତି ପାଇଁ ଯୋଗାଯୋଗେ କରିବେ । 

ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ତିନି ସଦସ୍ୟ କମିଟିର ରିପୋର୍ଟ ଆଧାରରେ ମହାଭିଯୋଗ ପ୍ରସ୍ତାବରେ ସମର୍ଥନ ହାସଲ କରିବା ପାଇଁ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ କଥା ହେବେ । ଏହି କମିଟି ତତ୍କାଳୀନ ସିଜେଆଇ ସଞ୍ଜୀବ ଖାନ୍ନାଙ୍କ ଦ୍ୱାରା ଗଠିତ ହୋଇଥିଲା । ଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର ନଗଦ ମିଳିବା ଘଟଣାରେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ତଦନ୍ତ ପ୍ୟାନେଲ ଜଷ୍ଟିସ୍ ବର୍ମାଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି । ତତ୍କାଳୀନ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବର୍ମାଙ୍କ ବିରୁଦ୍ଧରେ ମହାଭିଯୋଗ ସୁପାରିଶ କରିଥିଲେ । ଏବେ କେନ୍ଦ୍ର ସରକାର ଜଷ୍ଟିସ୍ ବର୍ମାଙ୍କୁ ପଦରୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । 

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୪ରେ ରାତି ପ୍ରାୟ ୧୧.୩୫ ମିନିଟରେ ଜଷ୍ଟିସ୍ ବର୍ମାଙ୍କ ଲୁଟିୟନ୍ସ ଦିଲ୍ଲୀ ସ୍ଥିତ ଘରେ ନିଆଁ ଲାଗିବା ପରେ ଫାୟାର ବ୍ରିଗେଡ୍ ନିଆଁକୁ ଆୟତ୍ତ କରିଥିଲେ । ଏହି ସମୟରେ କଥିତ ରୂପେ ଘରୁ ବିପୁଳ ମାତ୍ରାରେ ନଗଦ ଟଙ୍କା ମିଳିଥିଲା ।

ମହାଭିଯୋଗ କ'ଣ ?

ମହାଭିଯୋଗ ହେଉଛି ସଂସଦର ଏକ ସାମ୍ବିଧାନିକ ପ୍ରକ୍ରିୟା ଯାହା ଦ୍ୱାରା ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ବିଚାରପତିଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଥାଏ । ସଂସଦର ଯେକୌଣସି ଗୃହ (ଲୋକସଭା କିମ୍ବା ରାଜ୍ୟସଭା)ର ସାଂସଦମାନେ ମହାଭିଯୋଗ ପ୍ରସ୍ତାବ ଉପସ୍ଥାପନ କରିପାରିବେ । ପ୍ରସ୍ତାବ ପାରିତ ହେବା ପାଇଁ ଗୃହର ମୋଟ ସଦସ୍ୟଙ୍କ ସଂଖ୍ୟାର ବହୁମତ ଏବଂ ଉପସ୍ଥିତ ସଦସ୍ୟଙ୍କ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ । ଏହା ପରେ ରାଷ୍ଟ୍ରପତି ବିଚାରପତିଙ୍କୁ ତାଙ୍କ ପଦବୀରୁ ହଟାଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.