ନୂଆଦିଲ୍ଲୀ: ଚଳିତ ଥର ମୌସୁମୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଦେଶରେ ପହଞ୍ଚିସାରିଛି । ଦେଶର ଦକ୍ଷିଣ ଭାଗରେ ଲଗାତାର ପ୍ରବଳ ବର୍ଷା ହେଉଛି । ମେ ମାସରେ ଭାରତର ଅନେକ ରାଜ୍ୟରେ ବର୍ଷା ହୋଇଛି, ଯାହା ଅନେକ ଦଶନ୍ଧିର ରେକର୍ଡକୁ ଭାଙ୍ଗି ସାରିଛି । ଏହାରି ଭିତରେ ପାଣିପାଗ ବିଭାଗ ଜୁନ୍ ପାଇଁ ବର୍ଷାର ପୂର୍ବାନୁମାନ କରିଛି । ପାଣିପାଗ ବିଭାଗ ଅନୁସାରେ ଭାରତରେ ଜୁନରେ ହିଟ୍ ୱେଭ୍ ରହିବ ନାହିଁ । ଏହା ସହ କୋର୍ ଜୋନ୍ କିମ୍ୱା କୃଷି ପ୍ରାଧ୍ୟାନ୍ୟ ରାଜ୍ୟରେ ମୌସୁମୀ ସ୍ୱାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ଅନୁସାରେ ଜୁନରେ ସ୍ୱାଭାବିକଠାରୁ ଅଧିକ ୧୦୮ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି । ଗତ ବର୍ଷ ତୁଳନାରେ ଏଥର ୧୦୫ ପ୍ରତିଶତ ଅଧିକ ବର୍ଷା ପୂର୍ବାନୁମାନ କରାଯାଇଥିଲା, କିନ୍ତୁ ଏବେ ପୂରା ମୌସୁମୀ ସିଜିନ (ଜୁନ୍ ୧ରୁ ସେପ୍ଟେମ୍ୱର ୩୦)ରେ ୧୦୬ ପ୍ରତିଶତ ବର୍ଷା ହୋଇପାରେ ।
ସୂଚନା ଅନୁଯାୟୀ, ମଧ୍ୟ ଭାରତ ଏବଂ ଦକ୍ଷିଣ ଉପଦ୍ୱୀପରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ । ସେହି ସମୟରେ ଉତ୍ତର-ପଶ୍ଚିମ ଭାରତରେ ସ୍ୱାଭାବିକ ବର୍ଷା ହେବାର ଆଶା କରାଯାଉଛି । ଉତ୍ତର-ପୂର୍ବ ଭାରତ କଥା ଯଦି କହିବା ତେବେ ଏଠାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ । ଜୁନ୍ ମାସରେ ଦେଶର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକ କିମ୍ବା ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ । ଜୁନ୍ ମାସରେ ଉତ୍ତର-ପଶ୍ଚିମ ବ୍ୟତୀତ ଦେଶର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ କମ୍ ରହିବ ।
ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶରେ ହାରାହାରି ୮୭ ସେମି ବର୍ଷାର ୧୦୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ଭାରତରେ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ଥିବାବେଳେ ଉତ୍ତର-ପୂର୍ବରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ । ଏହି ଋତୁରେ, ମୌସୁମୀ କୋର୍ ଜୋନ୍ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି (ଦୀର୍ଘକାଳୀନ ହାରାହାରିର ୧୦୬ ପ୍ରତିଶତରୁ ଅଧିକ)। ଏହି ଜୋନ୍ରେ ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଓଡ଼ିଶା ଏବଂ ଆଖପାଖ ଅଞ୍ଚଳ ସାମିଲ । ଲଦାଖ, ହିମାଚଳ ପ୍ରଦେଶର ସଂଲଗ୍ନ ଅଞ୍ଚଳ, ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଏବଂ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ଅଂଶ ବ୍ୟତୀତ ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି । ପଞ୍ଜାବ, ହରିୟାଣା, କେରଳ ଏବଂ ତାମିଲନାଡୁର କିଛି ବିଚ୍ଛିନ୍ନ ଅଞ୍ଚଳରେ ସ୍ୱାଭାବିକଠାରୁ କମବର୍ଷା ହୋଇପାରେ ।
ପ୍ରାକ୍ ମୌସୁମୀରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା
ସୂଚନା ଅନୁସାରେ ପ୍ରାକ୍-ମୌସୁମୀ ଋତୁରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଦେଶର ଅଧିକାଂଶ ସ୍ଥାନରେ ଜୁନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଏହାର ଅର୍ଥ ରାତିରେ ଅଧିକ ଗରମ ହେବ । ମୌସୁମୀର ଗତି ୩ରୁ ୪ ଦିନ ପର୍ଯ୍ୟନ୍ତ ଏପରି ରହିପାରେ । ବଙ୍ଗୋପସାଗରରେ ଏକ ସିଷ୍ଟମ ସୃଷ୍ଟି ହୋଇଛି, ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, ଏହା ମଧ୍ୟ ମୌସୁମୀକୁ ଶକ୍ତିଶାଳୀ ରଖିବ ।