ଯଦି ଓ୍ଵାଶିଂଟନଙ୍କ ବ୍ୟାଟିଂ ଉପରେ ଭରସା ଅଛି ତେବେ ନମ୍ବର ୩ରେ ଖେଳାଅ, ଗମ୍ଭୀର ଓ ଗିଲ୍‌ଙ୍କୁ ଅଶ୍ଵିନଙ୍କ ପରାମର୍ଶ

Published By : Prameya-News7 Bureau | July 22, 2025 IST

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇ ସାରିଥିବା ତାରକା ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ମାଞ୍ଚେଷ୍ଟର ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ଶୁଭମନ ଗିଲ୍‌ଙ୍କୁ ମହତ୍ଵପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଭାରତୀୟ ଥିଙ୍କ ଟ୍ୟାଙ୍କକୁ ଯଦି ଓ୍ଵାଶିଂଟନ ସୁନ୍ଦରଙ୍କ ବ୍ୟାଟିଂ ଉପରେ ଭରସା ଅଛି ତେବେ ତାଙ୍କୁ କରୁଣ ନାୟରଙ୍କ ସ୍ଥାନରେ ଖେଳାଇବା ଉପରେ ବିଚାର କରିବା ଉଚିତ୍।

ମାଞ୍ଚେଷ୍ଟର ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ଆହତଜନିତ ସମସ୍ୟା ଦେଇ ଗତି କରୁଛି। ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଶୃଙ୍ଖଳାରୁ ବାଦ୍ ପଡ଼ି ସାରିଛନ୍ତି। ଅର୍ଶଦୀପ ସିଂ ମଧ୍ୟ ଆହତ କାରଣରୁ ଚତୁର୍ଥ ଟେଷ୍ଟ ପାଇଁ ଉପଲବ୍ଧ ନାହାନ୍ତି। ଏଜବାଷ୍ଟନ ଟେଷ୍ଟର ହିରୋ  ଆକାଶଦୀପ ଗ୍ରୋଇନ ଆଘାତରେ ପୀଡ଼ିତ। ତେଣୁ ଚତୁର୍ଥ ଟେଷ୍ଟ ଖେଳିବା ନେଇ ତାଙ୍କର ସଂଶୟ ରହିଛି।

ଏମିତି ସମୟରେ ଆର ଅଶ୍ଵିନ କହିଛନ୍ତି, ଓ୍ଵାଶିଂଟନ ସୁନ୍ଦର ନିଜର ବ୍ୟାଟିଂ ବଳରେ ଦଳ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇ ପାରନ୍ତି। ଏମିତି ହେଲେ ଦଳକୁ କେବଳ ନମ୍ବର ୩ର ବିକଳ୍ପ ମିଳିବ ନାହିଁ ବରଂ କୁଲଦୀପ ଯାଦବଙ୍କ ପରି ଓ୍ଵିକେଟ୍ ଟେକର ବୋଲରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ପାରିବ।

Also read: କ୍ରୀଡ଼ା ବିଲ୍‌ ଅଧୀନରେ ଆସିପାରେ ବିସିସିଆଇ: ହୋଇପାରେ ବୟସ ସୀମାରେ ପରିବର୍ତ୍ତନ

ଅଶ୍ଵିନ ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ବହୁତ ଲୋକ କହି ସାରିଛନ୍ତି ଯେ କୁଲଦୀପ ଯାଦବଙ୍କୁ ଖେଳାଇବା ଉଚିତ୍। ଯଦି ଆପଣଙ୍କୁ ଓ୍ଵାଶିଂଟନ ସୁନ୍ଦରଙ୍କ ବ୍ୟାଟିଂରେ ଅଧିକ ଭରସା ଅଛି ତେବେ ତାଙ୍କୁ ନମ୍ବର ୩ରେ ବ୍ୟାଟିଂ କରିବାକୁ ସୁଯୋଗ ଦିଆଯାଉ ଏବଂ କୁଲଦୀପଙ୍କୁ ମ୍ୟାଚ୍‌ରେ ଖେଳାଯାଉ। ଆପଣ ଚିନ୍ତା କରନ୍ତୁ କରୁଣ ନାୟରଙ୍କ ସ୍ଥାନରେ ସାଇ ସୁଦର୍ଶନ ନା ଓ୍ଵାଶିଂଟନ ସୁନ୍ଦରଙ୍କୁ ଖେଳାଇବା ଉଚିତ୍।

ସେ ଏହା ମଧ୍ୟ କହିଛନ୍ତି, ନୀତିଶ କୁମାର ରେଡ୍ଡୀ ବାଦ୍ ପଡ଼ି ସାରିଛନ୍ତି। ତାଙ୍କ ସ୍ଥାନରେ କଣ ଶାର୍ଦ୍ଦୁଳ ଠାକୁରଙ୍କୁ ଖେଳାଇବା ଉଚିତ୍ ନା କୌଣସି ବିଶେଷଜ୍ଞ ବ୍ୟାଟରଙ୍କୁ ସୁଯୋଗ ଦେବା ଉଚିତ୍। ଏଥିପାଇଁ ମୁଁ ଓ୍ଵାଶିଂଟନ ସୁନ୍ଦରଙ୍କୁ ନମ୍ବର ୩ରେ ଖେଳାଇବାକୁ ଚାହୁଁଛି। 

ଉଲ୍ଲେଖନୀୟ ଓ୍ଵାଶିଂଟନ ସୁନ୍ଦର ଘରୋଇ କ୍ରିକେଟ୍‌ରେ ତାମିଲନାଡୁ ପାଇଁ ଟପ୍ ଅର୍ଡରରେ ଖେଳିଛନ୍ତି। ତାଙ୍କର ବ୍ୟାଟିଂ ଟେକନିକ ମଧ୍ୟ ମଜବୁତ ରହିଛି। ତାଙ୍କ ଭିତରେ ଚାପର ମୁକାବିଲା ପାଇଁ କ୍ଷମତା ରହିଛି। ସୁନ୍ଦର ଏ ପର୍ଯ୍ୟନ୍ତ ୧୧ଟି ଟେଷ୍ଟ ଖେଳି ୩୮ ହାରରେ ରନ କରିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.