ନୂଆଦିଲ୍ଲୀ: ଘନେଇଛି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ। ପରସ୍ଥିତି ଏଭଳି ବିପଦପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି ଯେ, ଏବେ ବିଶେଷଜ୍ଞ ଆଶଙ୍କା କରୁଛନ୍ତି ଯଦି ଯୁଦ୍ଧ ବଢ଼େ ତେବେ ଏହାର ସବୁଠୁ ବଡ଼ ପ୍ରଭାବ ପଶ୍ଚିମ ଏସୀୟ ଦେଶର ବାଣିଜ୍ୟ ଉପରେ ପଡ଼ିବ। ଯେଉଁଥିରେ ଭାରତ ଇରାନ, ଇରାକ, ଜର୍ଡାନ, ଲେବନାନ, ସିରିୟା ଏବଂ ଯେମେନ ଭଳି ଦେଶ ରହିଛନ୍ତି। ଭାରତର ସମୁଦାୟ ରପ୍ତାନୀ ୮.୬ ବିଲିୟନ ଡଲାର ଏବଂ ଆମଦାନୀ ୩୩.୧ ବିଲିୟନ ଡଲାରକୁ କମିପାରେ।
ଜିଟିଆରଆଇ ରିପୋର୍ଟ ଅନୁସାରେ, ଏହି ଦୁଇ ଦେଶ ପୂର୍ବରୁ ହିଁ ଆମେରିକାର ପ୍ରତିବନ୍ଧକ କାରଣରୁ ଆର୍ଥିକ ଚାପରେ ଅଛନ୍ତି। ଆଉ ଏବେ ଯୁଦ୍ଧ କାରଣରୁ ପେମେଣ୍ଟ ପ୍ରଣାଳୀ ଏବଂ ସିପିଂ ରିସ୍କ ବଢ଼ିବା ଦ୍ବାରା ଭାରତର ବାଣିଜ୍ୟ ଏବଂ ଅଧିକ ପ୍ରଭାବିତ ହୋଇପାରେ।
ଆର୍ଥିକ ବର୍ଷ ୨୦୨୪-୨୫ରେ ଇରାନକୁ ସମୁଦାୟ ୧.୨୪ ବିଲିୟନ ଡଲାରର ରପ୍ତାନୀ କରିଥିଲା ଭାରତ। ଯେଉଁଥିରେ ବାସୁମତି ଚାଉଳ (୭୫୩. ୨ ମିଲିୟନ), କଦଳୀ, ସୋୟା ମିଲ୍, ଚଣା ଏବଂ ଚା’ ଭଳି କୃଷି ଉତ୍ପାଦ ରହିଛି। ସେହିଭଳି ଏହି ବର୍ଷ ଇରାନରୁ ୪୪୧.୮ ମିଲିୟନ ଡଲାର ଆମଦାନୀ ମଧ୍ୟ କରିଛି ଭାରତ। ଇସ୍ରାଏଲ ସହ ଭାରତର ବାଣିଜ୍ୟ ୨.୧ ବିଲିୟନ ଡଲାର ରପ୍ତାନୀ ଏବଂ ୧.୬ ବିଲିୟନ ଡଲାର ଆମଦାନୀ ରହିଛି।
ଚିନ୍ତାର ବିଷୟ ଷ୍ଟ୍ରେଟ ଅଫ୍ ହର୍ମୁଜ ଜଳମାର୍ଗ
ଏସବୁ ଭିତରେ ସବୁଠୁ ବଡ଼ ଚିନ୍ତା ଷ୍ଟ୍ରେଟ ଅଫ ହର୍ମୁଜ ଜଳ ମାର୍ଗକୁ ନେଇ। କାରଣ ଏହି ମାର୍ଗ ଦେଇ ଭାରତ ୬୦-୬୫% ଅଶୋଧିତ ତେଲ ଆମଦାନୀ କରୁଛି। କିନ୍ତୁ ଯୁଦ୍ଧ ଯୋଗୁ ଇରାନ ଏହି ଜଳମାର୍ଗକୁ ବନ୍ଦ କରିବା ଧମକ ଦେଇଛି। ଆଉ ଯଦି ଏପରି ହୁଏ ତେବେ ଭାରତରେ ତେଲ ଦର ବଢ଼ିବ। ମୁଦ୍ରାସ୍ଫୀତି, ଟଙ୍କା ଉପରେ ଚାପ ପଡ଼ିବ ଆଉ ରାଜସ୍ବ ସନ୍ତୁଳନ ବିଗିଡ଼ିବ।
ଆହୁରି ମଧ୍ୟ ଏହି ମାର୍ଗ ଦେଇ ବିଶ୍ବ ତୈଳ ବାଣିଜ୍ୟର ପ୍ରାୟ ୨୦ ପ୍ରତିଶତ କାରବାର ହେଉଛି। ଓମାନ/ ୟୁଏଇ, ସାଉଦି ଆରବ, ଇରାକ, କୁଏତ, କତାର ମଧ୍ୟ ତେଲ ଏବଂ ଏଲଏନଜି ଆମଦାନୀ- ରପ୍ତାନୀ କରୁଛନ୍ତି। ତେଣୁ ଏହି ମାର୍ଗ ବାଧା ପ୍ରାପ୍ତ ହେଲେ ଏସବୁ ଦେଶଙ୍କୁ ମଧ୍ୟ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।
ଉଲ୍ଲେଖଯୋଗ୍ୟ, ଲୋହିତ ସାଗର ମାର୍ଗରେ ପୂର୍ବରୁ ହୁତୀ ବିଦ୍ରୋହୀଙ୍କ ଆକ୍ରମଣ କାରଣରୁ ପ୍ରଭାବିତ ହୋଇ ରହିଛି। ଏହି କାରଣରୁ ଭାରତ- ୟୁରୋପ ଏବଂ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ପ୍ରଭାବିତ ହୋଇଛି। ବିଶ୍ବ ସଂଗଠନ ମଧ୍ୟ ଚେତାବନୀ ଦେଇଛି ଯେ, ଯଦି ଏଭଳି ସ୍ଥିତି ଲାଗି ରହେ ତେବେ ବିଶ୍ବ ବାଣିଜ୍ୟ ୨୦୨୫ରେ ୦.୨% ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଯତେବେଳେକି ପୂର୍ବରୁ ୨.୭%ର ବୃଦ୍ଧି ଅନୁମାନ ଥିଲା।
ଭାରତ ପାଇଁ କ’ଣ ରହିଛି ଚାଲେଞ୍ଜ ?
ଭାରତ ଇରାନ ସହ ଐତିହାସିକ ଏବଂ ରଣନୈତିକ ସମ୍ପର୍କ ରହିଛି। ଭାରତକୁ ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆ ସହ ଯୋଡ଼ୁଥିବା ଚବାହାର ପୋର୍ଟ ଖୁବ୍ ଗୁରତ୍ବପୂର୍ଣ୍ଣ। ସେହିଭଳି ଭାରତ ଆମେରିକା, ଇସ୍ରାଏଲ ଏବଂ ମଧ୍ୟ ପ୍ରାଚ୍ୟ ଦେଶଙ୍କ ସହ ମଜଭୁତ ସମ୍ପର୍କ ରଖୁଛି। ଏହି ସବୁର ଯୁଦ୍ଧରେ ସାମିଲ ହେବା କାରଣରୁ କୂଟନୈତିକ ସ୍ଥିତି ଏବଂ ଜଟିଳ ହୋଇଛି।