ଭୁବନେଶ୍ୱର: ପୋଲିସରେ ଅଭିଯୋଗ ପରେ ବି ଆକ୍ସନ ନହେବାକୁ ନେଇ ବର୍ଷିଛନ୍ତି ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ । ଏହାସହ ଅଶୋକ ସମ୍ରାଟ ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ସୁରକ୍ଷା ମାଗିଛନ୍ତି । ସେ କହିଛନ୍ତି, 'ମୋର ସୁରକ୍ଷା ଦରକାର । ମୋତେ ମାରିଦେବାକୁ ଧମକ ଦିଆଯାଇଛି । ଯଦି ମୋର କିଛି ହୋଇଯାଏ, ତାହା ହେଲେ ନାଣ୍ଡୁ ଧଳ ଦାୟୀ ରହିବେ ।'
ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ କହିଛନ୍ତି, 'ଅଭିଯୋଗ କରିବାର ୩ଦିନ ବିତିଗଲାଣି, ତଥାପି ସେ ଖୋଲାଖୋଲି ବୁଲୁଛନ୍ତି । ପୋଲିସ କରୁଛି କ’ଣ ? ତୁଳସୀ ଗଣନାଟ୍ୟ ମାଲିକ ଟଙ୍କା ଦେଇ ପୋଲିସକୁ ଚୁପ୍ କରାଉଛନ୍ତି । ମୋର ସୁରକ୍ଷା ଦରକାର । ସେ ମୋତେ ମାରିଦେବାକୁ ଧମକ ଦେଇଛନ୍ତି । ଯଦି ମୋର କିଛି ହୋଇଯାଏ, ତାହା ହେଲେ ନାଣ୍ଡୁ ଧଳ ଦାୟୀ ରହିବେ ।'
ସେ ଆହୁରି କହିଛନ୍ତି, 'ପୋଲିସ ଯଦି କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରେ, ତେବେ ଆଗକୁ ଆହୁରି ତୁଳସୀ, ଅଶୋକ ସମ୍ରାଟ ଏବଂ ପୃଥ୍ୱୀରାଜ ଗଣନାଟ୍ୟରେ ଅନେକ ମାମୁନି ସାମ୍ନାକୁ ଆସିବେ ।' ମୁଁ ପ୍ରମାଣ ଦେଖାଇଲି, ଆଗକୁ ଆହୁରି ପ୍ରମାଣ ଦେବି, ନାଣ୍ଡୁ ଧଳଙ୍କ ପାଖରେ କଣ ପ୍ରମାଣ ଅଛି ଦେଖାନ୍ତୁ ବୋଲି ମାମୁନି ଚ୍ୟାଲେଞ୍ଜ ଦେଇଛନ୍ତି । ଏହାସହ ସେ କହିଛନ୍ତି ଭୁବନେଶ୍ୱର ମହିଳା ଥାନାରେ କରିଥିବା ଅଭିଯୋଗ ବାଲିଆପାଳ ଟ୍ରାନ୍ସଫର ହୋଇଛି । ପୋଲିସ ମୋତେ ନ୍ୟାୟ ଦେବ ବୋଲି ଆଶା ରଖିଛି ।