କୋଭିଡ ନୂଆ ଭାରିଏଣ୍ଟକୁ ନେଇ ଆସିଲା ICMRଙ୍କ ବୟାନ, ଜାଣନ୍ତୁ କ'ଣ କହିଛନ୍ତି ଡା. ରାଜୀବ ବହଲ

Published By : Prameya-News7 Bureau | May 26, 2025 IST

ନୂଆଦିଲ୍ଲୀ ୨୬।୫: ଭାରତରେ କରୋନା ନୂଆ ଭାରିଏଣ୍ଟ ସାମ୍ନାକୁ ଆସିବା ପରେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ଙ୍କ ବୟାନ ଆସିଛି।  ମହାନିର୍ଦ୍ଦେଶକ ଡା. ରାଜୀବ ବହଲ କହିଛନ୍ତି ଯେ ବ୍ୟାପୁଥିବା କରୋନା ମାମଲା ଏତେ ଗୁରୁତର ନୁହେଁ ଓ ଏଥି ପାଇଁ ଲୋକେ ଆତଙ୍କିତ ହେବାର କୌଣସି କାରଣ ନାହିଁ। ତେବେ ସମସ୍ତଙ୍କୁ ସତର୍କ ରହିବା ଆବଶ୍ୟକ। ଏବେ ଦେଶରେ କରୋନାର ଓମିକ୍ରନ ଭାରିଏଣ୍ଟର ଦୁଇଟି ଉପ ପ୍ରକାର ଏନ.ବି.୧.୮.୧ ଓ ଏଲଏଫ.୭ ସକ୍ରିୟ ଅଛନ୍ତି। 

ଏମାନଙ୍କ ପ୍ରକୃତି ନିଶ୍ଚିତ ରୂପେ ସଂକ୍ରାମକ, ହେଲେ ଏହି ସଂକ୍ରମଣ କାରଣରୁ ଜଟିଳ ରୋଗ ହେବାର ସମ୍ଭାବନା ଖୁବ କମ୍। ଡା. ବହଲ କହିଛନ୍ତି ଯେ ଯେବେବି ଦେଶରେ କରୋନା କେସ୍ ବଢିବା ଆରମ୍ଭ ହୁଏ ସେଥିରେ ୩ଟି କଥା ଦେଖାଯାଏ।  ପ୍ରଥମେ ହେଉଛି କିପରି ଦ୍ରୁତ ସଂକ୍ରମଣ ହେଉଛି । ସେହିପରି ଦ୍ୱିତୀୟ କଥାଟି ହେଉଛି ଏହା କ’ଣ ଆମ ଇମ୍ୟୁନିଟିକୁ ବର୍ତ୍ତି ଯାଉଛି? ତୃତୀୟ ସବୁଠୁ ଜରୁରି କଥା ହେଉଛି ଏହାର ଜଟିଳତା ପୂର୍ବ ମାମଲାଠାରୁ ଅଧିକ ନୁହେଁ ତ ? ଏହି ଅନୁସାରେ ତାଜା ମାମଲା ଏତେ ଚିନ୍ତାଜନକ ନୁହେଁ ବୋଲି ସେ କହିଛନ୍ତି। 


ଏଥିରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂହ ସୋମବାର କହିଛନ୍ତି ଯେ ନୂଆ ଭାରିଏଣ୍ଟ ଯୋଗୁ ହେଉଥିବା କୋଭିଡରେ ଏ ପର୍ଯ୍ୟନ୍ତ କେବଳ ‘ଭାଇରାଲ ଜ୍ୱର’ର ଲକ୍ଷଣ ଦେଖାଯାଇଛି। ଏଣୁ ଲୋକଙ୍କୁ ବିଚଳିତ ନ ହେବା ପାଇଁ ସେ ଅପିଲ କରିଛନ୍ତି। ସେ କହିଛନ୍ତି ସରକାର ହସ୍ପିଟାଲମାନଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ପଠାଇ କୌଣସି ପ୍ରକାରର ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହା କେବଳ ସତର୍କତା ପଦକ୍ଷେପ, ବିପଦର ସଂକେତ ନୁହେଁ। 


ସିଂହ କହିଛନ୍ତି ଯେ ଆମେ କୌଣସି ପ୍ରକାରର ପରିସ୍ଥିତି ମୁକାବିଲା ନିମନ୍ତେ ହସ୍ପିଟାଲମାନଙ୍କୁ ସଜ୍ୟା, ଅକ୍ସିଜେନ, ଆବଶ୍ୟକ ଔଷଧ ଏବଂ ଉପକରଣ ସହିତ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛୁ। ଏହା ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିୟର (ଏସଓପି)ର ଅଂଶବିଶେଷ, ଏଥି ଯୋଗୁ ପରିସ୍ଥିତି ଗୁରୁତର ଭାବିନେବା ଭୁଲ। ସେ କହିଛନ୍ତି ଯେ କୋଭିଡର ନୂଆ ସ୍ୱରୂପ କେବଳ ସାଧାରଣ ଭାଇରାଲ ରୋଗ ଭଳି।  ଏପର୍ଯ୍ୟନ୍ତ ଯେତେ ରୋଗୀ ଆସିଛନ୍ତି ସେମାନଙ୍କ ଠାରେ ଜ୍ୱର, କାଶ ଓ ଥଣ୍ଡାର ଲକ୍ଷଣ ଦେଖାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.