ବିକାନେର ୨୫।୮: ବାୟୁ ସେନାରୁ ସମ୍ପୂର୍ଣ୍ଣ ରିଟାୟାର ହେବାର ଠିକ୍ ପୂର୍ବରୁ ମିଗ୍-୨୧କୁ ବାୟୁସେନା ମୁଖ୍ୟ ଏୟାରଚିଫ୍ ମାର୍ଶଲ ଏ.ପି.ସିଂହ ଶେଷ ଥର ଉଡାଣ କରିଛନ୍ତି। ୨୫ ଅଗଷ୍ଟ ସୋମବାର ବାୟୁସେନା ମୁଖ୍ୟ ବିକାନେର ନିକଟସ୍ଥ ନାଲ ଏୟାର ବେସ୍ ରେ ସାଥୀ ଫାଇଟର ପାଇଲଟ୍ ସ୍କ୍ୱାଡ୍ରନ ଲିଡର ପ୍ରିୟାଙ୍କ ସହିତ ସେ ଏହି ଉଡାଣ କରିଛନ୍ତି। ଆଗାମୀ ମାସରେ ଅର୍ଥାତ ସେପ୍ଟେମ୍ବର ୨୬ ତାରିଖରେ ମିଗ୍-୨୧ ଭାରତୀୟ ବାୟୁସେନାରୁ ଅବସର ଗ୍ରହଣ କରିବ।
ନାଲ ଏୟାରବେସ୍ ରେ ମିଗ୍-୨୧ର ଶେଷ ସ୍କ୍ୱାଡ୍ରନ(ସ୍କ୍ୱାଡ୍ରନ-୨୩) ମୁତୟନ ଅଛି। ଏୟାର ଚିଫମାର୍ଶଲଙ୍କ ଫ୍ଲାଇଂକୁ ନେଇ ଏକ ସଂକ୍ଷିପ୍ତ ବୟାନ ଜାରି କରି ବାୟୁସେନା କହିଛି ଯେ ମିଗ୍-୨୧ର ଚିରସ୍ଥାୟୀ ଐତିହ୍ୟର ସମ୍ମାନରେ ବାୟୁସେନାମୁ୍ଖ୍ୟ ୨୩ତମ ସ୍କ୍ୱାଡ୍ରନ ପାନ୍ଥରର ପରିଦର୍ଶନ କରିଛନ୍ତି, ଯାହା ଏହି ମହାନ ଯୁଦ୍ଧବିମାନର ସଞ୍ଚାଳନ କରୁଥିବା ଶେଷ ସ୍କ୍ୱାଡ୍ରନ ଅଟେ। ବାୟୁସେନା ଅନୁସାରେ ବାୟୁସେନା ମୁଖ୍ୟ ଏକ କମ୍ବାଟ ଉଡାଣ କରିଛନ୍ତି ଓ ତାହାବି ସ୍କ୍ୱାଡ୍ରନ ଲିଡର ପ୍ରିୟାଙ୍କ ନେତୃତ୍ୱରେ, ଯାହା ପରମ୍ପରା ଓ ପରିବର୍ତ୍ତନ ଉଭୟର ପ୍ରତୀକ।
୨୬ ସେପ୍ଟେମ୍ବର ୨୦୨୫ରେ ଭାରତୀୟ ବାୟୁସେନାରେ ଦୀର୍ଘ ୬ ଦଶନ୍ଧୀର ସେବା ପରେ ମିଗ୍-୨୧ ଅବସର ଗ୍ରହଣ କରିବ। ଗତ ୬୨ ବର୍ଷରେ ସବୁଠୁ ଅଧିକ ଉଡାଣ ସତ୍ତ୍ୱେ ବିବାଦରେ ଥିବା ଭାରତୀୟ ବାୟୁସେନାର ମିଗ୍-୨୧ ଫାଇଟର ଜେଟ୍ ଶେଷରେ ସମ୍ପୂର୍ଣ୍ଣ ରିଟାୟାର ହେବାକୁ ଯାଉଛି। ଲଗାତାର ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ଗତ କିଛି ବର୍ଷ ହେଲା ମିଗ-୨୧କୁ ଗ୍ରାଉଣ୍ଡ କରିଦିଆଯାଇଥିଲା। ଅର୍ଥାତ ଏହି ବିମାନଗୁଡିକର ଉଡାଣ ପାଖାପାଖି ବନ୍ଦ ହୋଇ ଯାଇଥିଲା।
ଋଷିଆରେ ନିର୍ମିତ ମିଗ୍-୨୧କୁ ୧୯୬୩ ମସିହାରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା। ଏହା ଭାରତର ପ୍ରଥମ ସୁପରସୋନିକ୍ ଫାଇଟର ଜେଟ୍ ଥିଲା। ଏହା ପରେ ଋଷିଆ ଲାଇସେନ୍ସରେ ମିଗ୍ -୨୧ର ନିର୍ମାଣ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ) ପକ୍ଷରୁ ଦେଶରେ ଆରମ୍ଭ ହୋଇଥିଲା। ଗତ ୬୨ ବର୍ଷରେ ବାୟୁସେନା ପାଖାପାଖି ୮୫୦ଟି ମିଗ୍ -୨୧ ଅପରେଟ କରିଛି। ୧୯୬୫ ପାକିସ୍ତାନ ଯୁଦ୍ଧରୁ ଆରମ୍ଭ କରି ୨୦୧୯ର ଅପରେସନ ବାଲାକୋଟ ପର୍ଯ୍ୟନ୍ତ ମିଗ୍-୨୧ ଦେଶର ଏରୋସ୍ପେସ୍ ର ସୁରକ୍ଷା କରିଆସୁଥିଲା।
ଗତ ୬୦ ବର୍ଷରେ ବାୟୁସେନାର ପାଖାପାଖି ୪୦୦ଟି ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ପରେ ଏହି ବିମାନଙ୍କୁ ବାୟୁସେନାରୁ ହଟାଇବା ପାଇଁ ଲଗାତାର ଦାବି ବଢିବାରେ ଲାଗିଥିଲା। ମିଗ୍-୨୧ ଦୁର୍ଘଟଣାକୁ ଦେଖି ଏଗୁଡିକୁ ଫ୍ଲାଇଂ କଫିନ ବୋଲି କୁହାଗଲା। ଏହି ସବୁ ଦୁର୍ଘଟଣାରେ ଭାରତର ୧୭୦ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ମିଗ୍-୨୧ ଫାଇଟର ଜେଟ୍ ଗୁଡିକ ସ୍ଥାନରେ ଏବେ ବାୟୁସେନାକୁ ଲାଇଟ୍ କମ୍ବାଟ ଏୟାରକ୍ରାଫ୍ଟ (ଏଲସିଏ) ତେଜସ୍ ମାର୍କ-୧ ଭର୍ସନର ଆବଶ୍ୟକତା ରହିଛି। ଏହା ଏଲସିଏ ତେଜସ୍ ର ଅପଗ୍ରେଡ ଭର୍ସନ। ଏଚଏଏଲ ଏହି ହାଲୁକା ଯୁଦ୍ଧ ବିମାନର ନିର୍ମାଣ କରୁଛି।
ତେବେ ଆମେରିକାରୁ ଏଭିଏସନ ଇଞ୍ଜିନ ଡେଲିଭରୀରେ ବିଳମ୍ବ ଯୋଗୁ ମାର୍କ ଏ-୧ର ନିର୍ମାଣରେ ବାଧା ଉପୁଜିଛି। ଚଳିତବର୍ଷ ମାର୍ଚ୍ଚ ମାସରେ ଆମେରିକାର ଜେଇ କମ୍ପାନୀ ଭାରତକୁ ପ୍ରଥମ ଇଞ୍ଜିନ ଯୋଗାଣ ଆରମ୍ଭ କରିଥିଲା। ହେଲେ ଗତ ୮ ମାସରେ ଆମେରିକାରୁ ମାତ୍ର ୨ଟି ଇଞ୍ଜିନ ମିଳିପାରିଛି।