‘ ମୁଁ ମହାରାଷ୍ଟ୍ରରେ ଜଣେ ମରାଠୀ ...କିନ୍ତୁ ’ : ହିନ୍ଦୀ ବିବାଦ ମଧ୍ୟରେ ବାଲା ସାହେବ ଠାକରେଙ୍କ ଭିଡ଼ିଓ ଭାଇରାଲ

Published By : Prameya-News7 Bureau | July 07, 2025 IST

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଭାଷା ବିବାଦ ମଧ୍ୟରେ ଶିବସେନାର ପ୍ରତିଷ୍ଠାତା ତଥା ଦିବଙ୍ଗତ ହିନ୍ଦୁ ନେତା ବାଲା ଠାକରେଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଠାକରେ କହୁଛନ୍ତି, ମୁଁ ମହାରାଷ୍ଟ୍ରରେ ଜଣେ ମରାଠୀ , କିନ୍ତୁ ଭାରତରେ ଜଣେ ହିନ୍ଦୁ। ସେ ଆହୁରି କହୁଛନ୍ତି, ଆମେ ଲୋକଙ୍କୁ ଅନୁରୋଧ କରୁଛୁ ଯେ, ଭାଷାଗତ ପରିଚୟରୁ ଉପରକୁ ଉଠି ସେମାନେ ହିନ୍ଦୁତ୍ୱକୁ ଆପଣାନ୍ତୁ। 

କହି ରଖୁଛୁ କି , ମହାରାଷ୍ଟ୍ରର ମହାୟୁତି ସରକାର ହିନ୍ଦୀକୁ ତୃତୀୟ ଭାଷା ଭାବେ ଲାଗୁ କରାଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଉଦ୍ଧବ ଠାକରେ ଓ ରାଜ ଠାକରେ ମିଶି ଏହି ନିଷ୍ପତ୍ତି ବିରୁଦ୍ଧରେ ଆଗେଇ ଆସିଥିଲେ।  ଏହିସ୍ଥିତିରେ ସରକାରଙ୍କୁ ନିଜର ଦୁଇଟି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ପଡ଼ିଲା।

ଉଦ୍ଧବ ଓ ରାଜ୍ ଠାକରେ ମିଶି ‘ ବିଜୟ ରାଲି’ର ଆୟୋଜନ କରିଥିଲେ। ୨୩ ବର୍ଷ ପରେ ଦୁଇ ଭାଇ ଗୋଟିଏ ମଞ୍ଚରେ ଏକାଠି ନଜର ଆସିଥିଲେ। ଏହି ରାଲି ମାଧ୍ୟମରେ ଠାକରେ ଭାଇମାନେ ମହାରାଷ୍ଟ୍ରର ଜନତାଙ୍କୁ ମଧ୍ୟ ବଡ଼ ସନ୍ଦେଶ ଦେବାକୁ ଚାହୁଁ ଥିଲେ। ଉଦ୍ଧବ ଠାକରେ ସ୍ଥାନୀୟ ସଂସ୍ଥା ନିର୍ବାଚନ ଏକାଠି ଲଢିବାକୁ ମଧ୍ୟ ଘୋଷଣା କରିଥିଲେ। ମଞ୍ଚରୁ ଉଦ୍ଧବ ଠାକରେ କହି ଥିଲେ ଯେ, ଆମେ ଦୁଇ ଭାଇ ମିଶି ମହାରାଷ୍ଟ୍ରରେ ହିନ୍ଦୀକୁ ଲାଗୁ କରିବାକୁ ଦେବୁ ନାହିଁ।

ରାଜ୍ ଠାକରେ କହିଥିଲେ,ଯିଏ ବି ମହାରାଷ୍ଟ୍ରକୁ ଛୁଇଁବାକୁ ଚେଷ୍ଟା କରିବ , ସେ ଦେଖିବ ତା ସହ କଣ ହେବ। ସେ କହିଥିଲେ, ନୂଆ ଶିକ୍ଷା ନୀତି ଅନୁସାରେ , ଯେଉଁ ତ୍ରିଭାଷା ନୀତି ଲାଗୁ କରାଯାଉଛି, ତାହା ମୁମ୍ୱାଇ ଓ ମହାରାଷ୍ଟ୍ରକୁ ଅଲଗା କରିବାକୁ ଚକ୍ରାନ୍ତ। 

କହି ରଖୁଛୁ କି , ଅପ୍ରେଲରେ ମହାରାଷ୍ଟ୍ରର ମହାୟୁତି ସରକାର ହିନ୍ଦୀକୁ ସ୍କୁଲରେ ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମରାଠା ସଙ୍ଗଠନ ଏହାକୁ ଜବରଦସ୍ତି ବୋଲି କହି ଥିଲେ। ଏହାପରେ ନିୟମରେ କିଛି ଢିଲା କରାଯାଇ , ଏହାକୁ ବିକଳ୍ପ ଭାଷା ଭାବେ ସ୍ୱୀକାର କରିବାକୁ ନିର୍ଦ୍ଦେଶ ଜାରି କରାଗଲା।  ଭାଷା ବିବାଦ ମଧ୍ୟରେ ହିଂସା ମଧ୍ୟ ଆରମ୍ଭ ହୋଇଗଲା। ଶିବସେନା (ୟୁବିଟି) ଓ ଏମଏନଏସ କାର୍ଯ୍ୟକର୍ତ୍ତାମାନେ ଅଣମରାଠୀ ଭାଷାଭାଷୀ ଲୋକଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଲେ। ଏହି ମଧ୍ୟରେ ମହାରାଷ୍ଟ୍ର ସରକାରକୁ ମଧ୍ୟ ଅନୁଭବ ହେଲା ଯେ କେନ୍ଦ୍ରର ନୀତିକୁ ଲାଗୁ କରିବା ବ୍ୟତୀତ ମରାଠା ଭୋଟ ବି ଜରୁରୀ। ମହାୟୁତି ସରକାର ନିଜର ନିଷ୍ପତ୍ତି ପ୍ରତ୍ୟାୟାର କରି ନେଲେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ କହିଥିଲେ ,ସରକାର ମରାଠୀ ଭାଷାଭାଷୀ ଲୋକଙ୍କର ସମ୍ମାନ କରନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.