ନିପା ଭାଇରସ୍ ନେଇ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ, ଆତଙ୍କିତ ନ ହେବାକୁ ଅନୁରୋଧ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ

NEWS7
husband-and-wife-critical-after-group-clash-in-nilagiri

ଭୁବନେଶ୍ବର ୧୬।୧: ରାଜ୍ୟରେ ନିପା ଭାଇରସ୍ ସମ୍ପର୍କିତ ସ୍ଥିତି ଓ ପ୍ରତିରୋଧମୂଳକ ପ୍ରସ୍ତୁତିକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମହାଲିଙ୍ଗ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ନିପା ଭାଇରସ କେସ ଚିହ୍ନଟ ହେଲା ପରେ ଓଡ଼ିଶାରେ ପ୍ରତିରୋଧମୂଳକ ବୈଠକ କରାଯାଇଛି । ବର୍ତ୍ତମାନ କୌଣସି ନିପା ଭାଇରସର ସନ୍ଦିଗ୍ଧ କେସ୍ ଚିହ୍ନଟ ହୋଇନାହିଁ । ରାଜ୍ୟ ସରକାର ସଂପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛନ୍ତି ଏବଂ ପରିସ୍ଥିତିକୁ ନିକଟରୁ ନିରୀକ୍ଷଣ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ସାଧାରଣ ଜନତାଙ୍କୁ ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି । ଟେକ୍ନିକାଲ୍ ଟିମ୍ ଗଠନ ହୋଇଛି, ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି । ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲ୍ଲା ଓ ବଡ଼ ସହରରେ ସର୍ଭେଲାନ୍ସ ବଢ଼ାଯାଇଛି । ଏଯାଏଁ ନିପା ଭାଇରସ୍ ଓଡ଼ିଶାରେ ଚିହ୍ନଟ ହୋଇନି । ଯଦି ଏଭଳି କେସ୍ ଆସେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ।

ସମସ୍ତ ସୀମାବର୍ତ୍ତୀ ଜିଲ୍ଲାକୁ ସତର୍କ ରହିବା, ସନ୍ଦେହଜନକ ମାମଲାର ତୁରନ୍ତ ସନ୍ଧାନ ଓ ରିପୋର୍ଟିଂ, ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ପିପିଇ କିଟ୍ ଓ ଚିକିତ୍ସା ସାଧନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଥିସହ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଗୁରୁତ୍ୱ ଦିଆଯାଇଛି । ବୈଠକରେ ରାଜ୍ୟର ବର୍ତ୍ତମାନ ସ୍ଥିତି, ସତର୍କତା ବ୍ୟବସ୍ଥା, ରୋଗ ନିରୀକ୍ଷଣ, ନମୁନା ପରୀକ୍ଷା, ଆଇସୋଲେସନ ଓ ଚିକିତ୍ସା ସୁବିଧା ସମ୍ପର୍କରେ ସମ୍ପୂର୍ଣ୍ଣ ଆଲୋଚନା କରାଯାଇଛି ।

ବୈଠକରେ ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵଥି ଏସ., ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ କୁମାର ଗୁରୁ, ମେଡିକାଲ୍ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ମିଶ୍ର ଉପସ୍ଥିତ ଥିଲେ ।