କଳାହାଣ୍ଡିରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ, ୪ ଗିରଫ

Published By : Prameya-News7 Bureau | June 05, 2025 IST

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଲାବାହାଳୀ  କ୍ରସରରେ ୬୫୦୦ କେଜି ବିସ୍ଫୋରକ ସହ ୧୧୫ଟି ଡିଟୋନେଟର ଜବତ ହୋଇଛି। ଗୋଟିଏ ଟ୍ରକ ଏବଂ ଗୋଟିଏ ପିକଅପ ଭ୍ୟାନରେ ଏସବୁ ବିସ୍ଫୋରକ ସାମଗ୍ରୀ ଆସିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଜୟପାଟଣା ପୋଲିସ ଏବଂ କଳାହାଣ୍ଡି ଖଣି ବିଭାଗ ଚଢ଼ାଉ କରି ଜବତ କରିଛି l ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି l 

ସୂଚନା ଅନୁଯାୟୀ ଜୟପାଟଣା ଥାନା ଅନ୍ତର୍ଗତ ଲାବାହାଳୀ ସ୍ଥିତ ଏକ ପଥର କୁଆଁରୀରେ ଗୋଟିଏ ଟ୍ରକ ଏବଂ ଗୋଟିଏ ପିକଆପ ଭ୍ୟାନରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହିତ ଡିଟନେଟର ଥିବା କୌଣସି ସୂତ୍ରରୁ କଳାହାଣ୍ଡି ଖଣି ବିଭାଗକୁ ଖବର ମିଳିଥିଲା। ଏହି ଖବର  ଜୟପାଟଣା ଥାନାକୁ ତୁରନ୍ତ ଜଣାଇ ଦିଆଯାଇଥିଲା l ପରେ ଜୟପାଟଣା ପୋଲିସ ଏବଂ ଖଣି ବିଭାଗ ମିଳିତ ଭାବେ ଲାବାହାଳୀ ପଥର କୁଆଁରୀରେ ଚଢ଼ାଉ କରିଥିଲେ l ଏହି ଚଢାଉ ବେଳେ ୬୫୦୦ କେଜି ବିସ୍ଫୋରକ ସହ ୧୧୫ ଟି ଡଟୋ ନେଟର ଜବତ କରିଥିଲା ପୋଲିସl ଏହି ସବୁ ସାମଗ୍ରୀ ଆଣିଥିବା ୪ ଜଣ ଡ୍ରାଇଭରକୁ ପଚରା ଉଚରା କରିବା ସହ ଏହାର କାଗଜ ପାତ୍ର ଯାଞ୍ଚ କରାଯାଇଛି। 

ବିସ୍ଫୋରକ ସାମଗ୍ରୀ ପରିବହନ କରିବା କିମ୍ବା ରଖିବା ପାଇଁ ସ୍ୱତନ୍ତ୍ର ଭାବେ ମାଇନିଂ ପ୍ଲାନ ହିସାବରେ ନିୟମ ରହିଛି। କିନ୍ତୁ ନିୟମର ଖୋଲା ଖୋଲି ଉଲଂଘନ ହୋଇଥିବା ଜାଣିବା ପରେ ବିସ୍ଫୋରକ ସାମଗ୍ରୀ ଆଣିଥିବା ଦୁଇଟି ଗାଡିର ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ l ତେବେ ଏହି ସବୁ ସାମଗ୍ରୀ କଣ୍ଟାବାଞ୍ଜି ର କଳିଙ୍ଗ ଆଣ୍ଡ କକମ୍ପାନୀ ନାମକ ଏକ କମ୍ପାନୀରୁ ଆସିଥିବା ଜଣା ପଡିଛି। ଯାହାର ମାଲିକ ଅନୁପ କୁମାର ଅଗ୍ରୱାଲ ଏବଂ ଦୀପକ ଚାନ୍ଦ ଜୈନ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି l

 ତେବେ ଏତେ ପରିମାଣରେ ବେଆଇନ ଭାବେ ବିସ୍ଫୋରଣ ଏକ ପଥର କୁଆଁରୀରୁ ଜବତ ହେବା ଘଟଣା  ଅଞ୍ଚଳରେ ଚଞ୍ଚଲ୍ୟ ଖେଳାଇ ଦେଇଛି l ତେବେ ଏଥିପାଇଁ କଳାହାଣ୍ଡି ପୋଲିସ ଏବଂ ଖଣି ବିଭାଗ କେବଳ ଡ୍ରାଇଭର ମାନଙ୍କୁ ଗିରଫ କରି କାମ ସାରିଦେବେ ନା ଏଥିରେ ସମ୍ପୃକ୍ତ କମ୍ପାନୀ ମାଲିକ ଏବଂ ପଥର କୁଆଁରୀ ମାଲିକ ଜନାର୍ଦ୍ଦନ ପଣ୍ଡାକୁ ଗିରଫ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.