ବାଲିଯାତ୍ରା ୨୦୨୫
LIVE TV

ISSF World Championship: ଇତିହାସ ରଚିଲେ ସମ୍ରାଟ ରାଣା, ୧୦ ମିଟର ଏୟାର ପିଷ୍ଟଲରେ ହେଲେ ଭାରତର ପ୍ରଥମ ୱାର୍ଲଡ୍ ଚାମ୍ପିଅନ୍

NEWS7
huge-number-of-matric-students-and-parents-appoaching-bsc-for-rechecking

ନୂଆଦିଲ୍ଲୀ: ସମ୍ରାଟ ରାଣା ଇଜପ୍ଟିର କାଇରୋରେ ଇତିହାସ ରଚିଛନ୍ତି । ଆଇଏସଏସଏଫ୍ ୱାର୍ଲଡ ଟାମ୍ପିଅନଶିପରେ ୧୦ ମିଟର ଏୟାର ପିଷ୍ଟଲ୍ ଇଭେଣ୍ଟରେ ସମ୍ରାଟ ରାଣା ଭାରତର ପ୍ରଥମ ୱାର୍ଲଡ ଚାମ୍ପିଅନ ହୋଇଛନ୍ତି । ୧୦ ମିଟର ଏୟାର ପିଷ୍ଟଲ ଇଭେଣ୍ଟ ଅଲିମ୍ପିକର ବି ସାମିଲ ରହିଛି ।

ପୁରୁଷଙ୍କ ୧୦ ମିଟର ଏୟାର ପିଷ୍ଟଲ ପ୍ରତିଯୋଗିତାରେ ରାଣାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତୀୟ ଟିମ୍ ସ୍ୱର୍ଣ୍ଣ ପଦକ ସୁନିଶ୍ଚିତ କରିଛି । ରାଣା ଫାଇନାଲରେ ୨୪୩.୭ ସ୍କୋର କରିଥିଲେ ଓ ଚୀନର ହୁ କାଇଙ୍କୁ ମାତ୍ ଦେଇଥିଲେ । ହୁ କାଇଙ୍କ ସ୍କୋର ୨୪୩.୩ ରହିଥିଲା ।

ଇତିହାସ ରଚିବା ପରେ ରାଣା କହିଛନ୍ତି, ଏବେ ବି ମୋତେ ବିଶ୍ୱାସ ହେଉ ନାହିଁ । କାଇରୋ ସବୁବେଳେ ମୋ ପାଇଁ ସ୍ୱତନ୍ତ୍ର ରହିଛି । ୨୦୨୨ରେ ଜୁନିଅର ୱାର୍ଲଡ ଚାମ୍ପିଅନଶିପରେ ମୁଁ ଏଠାରେ ଦୁଇଟି ମେଡାଲ୍ ଜିତିଥିଲି । ମୋତେ ଏଠାକାର ମହୋଲ ଭଲ ଲାଗେ ଓ ଶେଷରେ ପ୍ରତ୍ୟେକ ଶଟ୍ ପରେ ନିଜ ଟେକ୍‌ନିକ୍ ଉପରେ ଧ୍ୟାନ ଦେବାକୁ ପ୍ରୟାସ କରୁଥିଲେ ।

ପୁରୁଷ ୧୦ ମିଟର ଏୟାର ପିଷ୍ଟଲ ଇଭେଣ୍ଟର ଫାଇନାଲ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା । ରାଣା, ହୁ କାଇ ଓ ଭାରତୀୟ ଶୁଟର ବରୁଣ ତୋମାରଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ରାଣା ଶେଷ ମୁହୂର୍ତ୍ତରେ ନିଜ ଧୈର୍ଯ୍ୟ ରଖିଥିଲେ, ଯାହାର ଲାଭ ତାଙ୍କୁ ମିଳିଥିଲା । ତୋମାରଙ୍କୁ ବ୍ରୋଞ୍ଚ ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ସେ ୨୨୧.୭ ସ୍କୋର କରିଥିଲେ । ୱାର୍ଲଡ ଚାମ୍ପିଅନଶିପରେ ଏହା ପ୍ରଥମ ଥର, ଯେତେବେଳେ ଦୁଇ ଭାରତୀୟ ଶୁଟର୍ସ ପୋଡିଅମରେ ସେୟାର କରିଥିଲେ ।

ଭାରତୀୟ ଟିମ୍ ରାଣା (୫୮୬), ତୋମାର (୫୮୬) ଓ ଶ୍ରବଣ କୁମାର (୫୮୨)ଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଟିମ୍ ଇଭେଣ୍ଟ ନିଜ ନାଁରେ କରିଛି । ଭାରତ ମୋଟ ୧୭୫୪ ସ୍କୋର କରିଥିଲା । ଅନ୍ୟପଟେ ଇଟାଲୀ ରୌପ୍ୟ ଓ ଜର୍ମାନୀ ବ୍ରୋଞ୍ଜ ପଦକ ଜିତିଛି । ମହିଳାଙ୍କ ୧୦ ମିଟର ଏୟାର ପିଷ୍ଟଲ ଇଭେଣ୍ଟରେ ଭାରତର ମନୁ ଭାକର ଓ ଇଶା ସିଂହ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ପୋଡିଅମ ଫିନିସ୍ କରିପାରି ନଥିଲେ । ଦୁଇ ଥର ଅଲିମ୍ପିକ ମେଡାଲିଷ୍ଟ ମନୁ ଭାକର ୧୪ତମ ଶଟ୍ ପରେ ସପ୍ତମ ସ୍ଥାନକୁ ଖସି ଆସିଥିଲେ । ଇଶା ଷଷ୍ଠ ସ୍ଥାନରେ ରହି ଯାତ୍ରା ଶେଷ କରିଥିଲେ । ତେବେ ଭାରତ ଇଶା (୫୮୩), ମନୁ (୫୮୦) ଓ ୱାର୍ଲଡ ନମ୍ୱର-୧ ସୁରୁଚି ଇନ୍ଦର ସିଂହ (୫୭୭)ଙ୍କ ବଳରେ ୧୭୪୦ ସ୍କୋର କରି ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛି ।