ଭଦ୍ରକ ୦୮/୦୮: ଭଦ୍ରକରେ ଅବକାରୀ ବିଭାଗର ଚଢ଼ାଉ । ୫୧୦ ଲିଟର ଦେଶୀ ମଦ ସହ ଦୁଇ ବାଇକ୍ ଓ ୩ ଗିରଫ । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା । ଭଦ୍ରକ ଅବକାରୀ ଉପ-ଅଧିକ୍ଷକ ସୁଚରିତା ମିଶ୍ରଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା ।
ଚଢାଉ କରିଥିଲା ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ମୁର୍ମୁ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ । ବନ୍ତ ଥାନା ଅଞ୍ଚଳରେ ଚଢ଼ାଉ ହୋଇଛି । ଗଭରପୁର ଓ ଛୟାଳସିଂ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୫୧୦ ଲିଟର ଦେଶୀ ମଦ ସହିତ ଗୋଟିଏ ମଟର ସାଇକେଲ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି ।
ଏହି ଚୋରା ମଦ କାରବାରରେ ସମ୍ପୃକ୍ତ ଥିବା ଜଣେ ମହିଳାଙ୍କ ସହିତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ମଦ ସହ ମୋଟର ସାଇକେଲ ଓ ସ୍କୁଟିର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।
ଉକ୍ତ ଚଢ଼ାଉରେ ସହକାରୀ ଉପ-ନିରୀକ୍ଷକ କ୍ଷୀରୋଦ ପାତ୍ର, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ସୁଦର୍ଶନ ପଲେଇ, ପରେଶ ଟୁଡୁ, ଜେମାମଣୀ ଜାମୁଦା ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।