UNSC ନିନ୍ଦା ପ୍ରସ୍ତାବରୁ TRFର ନାଁ ହଟାଇଥିଲା ପାକିସ୍ତାନ, ସଂସଦରେ ସ୍ୱୀକାର କଲେ ପାକ୍‌ ବୈଦେଶିକ ମନ୍ତ୍ରୀ

Published By : Prameya-News7 Bureau | April 30, 2025 IST

ନୂଆଦିଲ୍ଲୀ ୩୦/୦୪: ସବୁଠି ପହଲଗାମ ନିଆଁ । ଆତଙ୍କୀ ହମ୍‌ଲା ପରେ ଭାରତ-ପାକିସ୍ତାନ ସମ୍ପର୍କରେ ବଢିଛି ତିକ୍ତତା । ପାକିସ୍ତାନ ବିରୋଧରେ ଲଗାତାର କଡ଼ା ପଦକ୍ଷେପ ନେଉଛି ଭାରତ । ଯୁଦ୍ଧ ସ୍ଥିତି ଉପୁଜିବା ପରେ ପାକିସ୍ତାନ ଛାତିରେ ପଶିଛି ଛନକା । ଏହାରି ଭିତରେ ବାରମ୍ୱାର ଲଜ୍ଜିତ କରିବା ଭଳି କାମ କରୁଛି ପାକିସ୍ତାନ । 

ଏକଥା ଆମେ କହୁନୁ ବରଂ ନିଜେ ସ୍ୱୀକାର କରିଛନ୍ତି ଖୋଦ୍ ପାକିସ୍ତାନର ବିଦେଶ ମନ୍ତ୍ରୀ । ସଂସଦରେ ସର୍ବ ସମ୍ମୁଖରେ ମାନିଛନ୍ତି ଏକଥା । ପହଲଗାମ ଘଟଣାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ଦେଇଥିବା ନିନ୍ଦା ପ୍ରସ୍ତାବରୁ ପାକିସ୍ତାନ TRF ବା ରେଜିଷ୍ଟାନ୍ସ ଫ୍ରଣ୍ଟ୍‌ର ନାଁ ହଟାଇଛି । 

ସୂଚନା ଥାଉକି, ପହଲଗାମରେ ଆତଙ୍କୀ ହମ୍‌ଲାରେ ହାତ ଥିବା ସ୍ୱୀକାର କରିଥିଲା TRF ବା ରେଜିଷ୍ଟାନ୍ସ ଫ୍ରଣ୍ଟ୍‌ । ସବୁଠାରୁ ବଡ଼ କଥା ହେଉଛି ଆତଙ୍କବାଦୀ ଆକ୍ରମଣ ପରେ TRF ବା ରେଜିଷ୍ଟାନ୍ସ ଫ୍ରଣ୍ଟ୍‌ ବିରୋଧରେ ଭାରତ ଅଭିଯୋଗ କରିନଥିଲା । ଏହାପରେ ବି ଜାତିସଂଘର ନିନ୍ଦା ପ୍ରସ୍ତାବରୁ TRF ନାଁ ହଟାଇବାକୁ ଦାବି କରିଥିଲା ପାକିସ୍ତାନ । ପାକିସ୍ତାନ ବର୍ତ୍ତମାନ ଜାତିସଂଘରେ ଥିବା ୧୦ ଜଣ ଅସ୍ଥାୟୀ ସଦସ୍ୟମାନଙ୍କ ମଧ୍ୟରେ ସାମିଲ ରହିଛି, ଏଭଳି ଦେଶର ସଦସ୍ୟ ଦୁଇ ବର୍ଷକୁ ଥରେ ଲେଖାଏଁ ଚୟନ ହୋଇଥାଆନ୍ତି ।

ସଂସଦରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ ଦାର୍‌ କହିଛନ୍ତି, ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜାତିସଂଘ ଏକ ନିନ୍ଦା ପ୍ରସ୍ତାବ ଦେଇଥିଲା । ହେଲେ ଏଥିରେ କେବଳ ପହଲଗାମର ନାଁ ରହିଥିଲା । ପ୍ରସ୍ତାବରେ ଜମ୍ମୁକାଶ୍ମୀର ବିଷୟରେ କିଛି ଲେଖାନଥିଲା । ଏହାକୁ ନେଇ ପାକିସ୍ତାନ ଆପତ୍ତି ଉଠାଇଥିଲା । ଏହା ସହିତ ନିନ୍ଦା ପ୍ରସ୍ତାବରେ TRFକୁ ଆତଙ୍କୀ ଆକ୍ରମଣ ପାଇଁ ଦାୟୀ କରାଯାଇଥିଲା । ପାକିସ୍ତାନ ଏହି ନିନ୍ଦା ପ୍ରସ୍ତାବ ଉପରେ ହସ୍ତାକ୍ଷର କରିବାକୁ ମନା କରି ଦେଇଥିଲା । ନିନ୍ଦା ପ୍ରସ୍ତାବରେ ପରିବର୍ତ୍ତନ ପାଇଁ ଦାବି କରିଥିଲା ପାକିସ୍ତାନ । 

ଇଶାକ ଦାର କହିଛନ୍ତି ଜାତିସଂଘରେ ଥିବା ପାକିସ୍ତାନ ସଦସ୍ୟଙ୍କୁ ନିନ୍ଦା ପ୍ରସ୍ତାବର ବିରୋଧ କରିବାକୁ କୁହାଯାଇଥିଲା । ଏଥିରେ ପହଲଗାମ ସହ ଜମ୍ମୁ-କାଶ୍ମୀର ନାଁ ଲେଖାଇବାକୁ କୁହାଯାଇଥିଲା । ଏହାସହ TRF ନାଁ ହଟାଇବାକୁ ବି ଦାବି କରାଯାଇଥିଲା । TRF ଏହି ଆତଙ୍କବାଦୀ ଆକ୍ରମଣର ଦାୟିତ୍ୱ ନେଇନଥିବା ଦାବି କରିଛି ପାକିସ୍ତାନ । ଏହି ଆତଙ୍କୀ ସଂଗଠନକୁ ବଞ୍ଚାଇବାକୁ ଚେଷ୍ଟା କରୁଛି ପାକିସ୍ତାନ । ଜାତିସଂଘରେ କୌଣସି ପ୍ରସ୍ତାବ ଆଗତ ହେଲେ ଏଥିରେ ସମସ୍ତ ସଦସ୍ୟଙ୍କ ସହମତି ଆବଶ୍ୟକ ହୋଇଥାଏ । ଅନ୍ୟଥା ଏହି ପ୍ରସ୍ତାବ ପାରିତ ହୋଇପାରେନି । ହେଲେ ପାକିସ୍ତାନ ଏହି ନିୟମ ଦ୍ୱାରା ଆତଙ୍କବାଦୀଙ୍କ ପାଇଁ ଓକିଲାତି କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.