ନୂଆଦିଲ୍ଲୀ ୧୯।୩: ମହାକାଶ ଯାତ୍ରୀ ସୁନୀତା ୱିଲିୟମସ୍, ବୁଚ୍ ୱିଲ୍ମୋର, ଆଲେକଜାଣ୍ଡାର ଗୋର୍ବୁନୋଭ ଓ ନିକ୍ ହେଗ୍ ସକୁଶଳେ ପୃଥିବୀକୁ ଫେରିଆସିଛନ୍ତି। ସୁନୀତା ୱିଲିୟମସ ଓ ବୁଚ୍ ୱିଲ୍ମୋର ୬ ଜୁନ ୨୦୨୪ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ସେମାନଙ୍କ ମିସନ ଆରମ୍ଭ କରିଥିଲେ। ଏମାନଙ୍କ ପଛେପଛେ ଆଲେକଜାଣ୍ଡାର ଓ ନିକ୍ ହେଗ୍ ୨୯ ସେପ୍ଟେମ୍ବର ୨୦୨୪ରେ ଆଇଏସଏସ ପହଞ୍ଚିଥିଲେ। ଏହି ମହାକାଶଚାରୀମାନଙ୍କୁ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସର ଡ୍ରାଗନ ଫ୍ରିଡମ କ୍ୟାପସୁଲ ଫେରସ୍ତ ନେଇ ଆସିଛି।
ଡ୍ରାଗନ ଫ୍ରିଡମ କ୍ୟାପସୁଲ ତିଆରି ପରଠାରୁ ଏ ପର୍ଯ୍ୟନ୍ତ ୪୯ ଥର ଲଞ୍ଚ ହୋଇଛି, ଏହା ଛଡା ଡ୍ରାଗନ କ୍ୟାପସୁଲ ୪୪ ଥର ଆଇଏସଏସ ଯାତ୍ରା କରିଛି। ତେବେ ଏହି ଡ୍ରାଗନ କ୍ୟାପସୁଲର ମୂଲ୍ୟ କେତେ ଆପଣ ଜାଣନ୍ତିକି? ଯଦି ଜାଣି ନାହାନ୍ତି ଆସନ୍ତୁ ଜାଣିବା।
ନାସା ତାଙ୍କର ୪ଜଣ ମହାକାଶଚାରୀଙ୍କୁ ପୃଥିବୀ ଫେରାଇ ଆଣିବା ପାଇଁ ସ୍ପେସ୍ ଏକ୍ସ ର ଡ୍ରାଗନ କ୍ରିୟୁ କ୍ୟାପସୁଲକୁ ବାଛିଥିଲେ। ଏହି କ୍ୟାପସୁଲରେ ଥରକେ ୭ ଜଣ ମହାକାଶଚାରୀ ବସି ପାରିବେ। ଉଲ୍ଲେଖଯୋଗ୍ୟ ଯେ ଏହା ବିଶ୍ୱର ପ୍ରଥମ ଏପରି ଘରୋଇ ଏୟାରକ୍ରାଫ୍ଟ ଯାହା ଲଗାତାର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ କାର୍ଗୋ ନେଇ ଯିବାଆସିବା କରୁଛି। ଏହି ଖାଲି କ୍ୟାପସୁଲର ଓଜନ ୭,୭୦୦ କେଜି ତେବେ ଯେତେବେଳେ କାର୍ଗୋ ଓ ମହାକାଶଚାରୀଙ୍କୁ ନେଇ ଯାଏ ଏହାର ଅଧିକତମ ଓଜନ ୧୨,୫୦୦ କେଜି ହୋଇଥାଏ।
ସାଧାରଣତଃ ଏହି କ୍ୟାପସୁଲରେ ୨ରୁ ୪ ଜଣ ଆଷ୍ଟ୍ରନଟସ ବସି ପାରନ୍ତି, ହେଲେ ଜରୁରିକାଳୀନ ପରିସ୍ଥିତିରେ ଏଥିରେ ୭ଜଣଙ୍କର ବସିବା ବ୍ୟବସ୍ଥା ରହିଛି। ଏଥର ମହାକାଶଚାରୀଙ୍କୁ ପୃଥିବୀକୁ ଫେରାଇଆଣିବାର ଦାୟିତ୍ୱ ଏଲନ ମସ୍କଙ୍କ ସ୍ପେସ୍ ଏକ୍ସ ନେଇଥିଲା। ସ୍ପେସ୍ ଏକ୍ସ କ୍ରୁ ଡ୍ରାଗନ କ୍ୟାପସୁଲ ଓ ଫାଲକନ-୯ ରକେଟ ମାଧ୍ୟମରେ ମହାକାଶଚାରୀଙ୍କୁ ପୃଥିବୀ ଫେରାଇ ଅଣାଯାଇଛି। ଫାଲକନ-୯ର ଲଞ୍ଚିଂ ବ୍ୟୟ ୬୯.୭୫ ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୫୮୦ କୋଟି ଟଙ୍କା। ଏଥିରେ ଡ୍ରାଗନ କ୍ୟାପସୁଲର ମୂଲ୍ୟ ୧୪୦ ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୧,୧୭୦ କୋଟି ଟଙ୍କା।
ଏହି ବ୍ୟୟ ହିସାବରୁ ଡ୍ରାଗନ ସ୍ପେସ୍ କ୍ରାଫ୍ଟର ପ୍ରତି ସିଟ୍ ମୂଲ୍ୟ ୫୫ମିଲିୟନ ଡଲାର ପଡୁଛି। ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ନିଜ ରକେଟ ଓ କ୍ୟାପସୁଲକୁ ରି ୟୁଜ କରିଥାଏ, ଏଣୁ ମହାକାଶ ଯାତ୍ରା ବାବଦ ବ୍ୟୟ କମ ହୋଇଥାଏ। ହେଲେ ଏଥର ଏହା ଏକ ଏମାର୍ଜେନ୍ସୀ ମିସନ ଥିଲା, ଯେଉଁଥିରେ ୪ ଜଣ ମହାକାଶଚାରୀଙ୍କ ଜୀବନ ବାଜି ଲାଗିଥିଲା। ଏଣୁ ସୁରକ୍ଷା ଓ ଅତିରିକ୍ତ ସୁବିଧା ପାଇଁ ବିପୁଳ ବ୍ୟୟ ହୋଇଥିଲା। ଫଳରେ ମିସନ ଖର୍ଚ୍ଚ ବଢି ଯାଇଥିଲା।
କ୍ରୁ ଡ୍ରାଗନ କ୍ୟାପସୁଲକୁ ସ୍ୱତନ୍ତ୍ର ଭାବେ ମହାକାଶରୁ ଲୋକଙ୍କୁ ଆଣିବା ଓ ନେଇଯିବା ପାଇଁ ବ୍ୟବହାର ହୋଇଥାଏ। ଏଣୁ ଏଥିରେ ବ୍ୟାକଅପ୍ ସିଷ୍ଟମ, ଲାଇଫ ସପୋର୍ଟ ସିଷ୍ଟମ, ଏମାର୍ଜେନ୍ସୀ ଇଭାକ୍ୟୁଏସନ ସିଷ୍ଟମ ଆଦି ରହିଥାଏ। ଏହି କାରଣରୁ ଡ୍ରାଗନ କ୍ୟାପସୁଲର ମୂଲ୍ୟ ବଢିଯାଇଥାଏ।