ଗଣତନ୍ତ୍ର ଉପରେ ଭାରତୀୟଙ୍କ ଭରସା କେତେ? ଆସିଲା ପ୍ୟୁ ରିସର୍ଚ୍ଚ ରିପୋର୍ଟ

Published By : Prameya-News7 Bureau | July 05, 2025 IST

ନୂଆଦିଲ୍ଲୀ ୫।୭: ବିଶ୍ୱରେ ଗଣତନ୍ତ୍ରର ସ୍ଥିତିକୁ ନେଇ ପ୍ରାୟତଃ ପ୍ରଶ୍ନ ଉଠିଥାଏ। କେଉଁଠି ଲୋକେ ଗଣତନ୍ତ୍ରକୁ ନେଇ ସନ୍ତୁଷ୍ଟ ତ ଆଉ କେଉଁଠି ଅସନ୍ତୁଷ୍ଟ। ତେବେ ଏକ ନୂଆ ଅନ୍ତର୍ଜାତୀୟ ରିପୋର୍ଟ ଭାରତର ଗଣତାନ୍ତ୍ରିକ ସନ୍ତୋଷ ମାମଲାରେ ଏକ ଉଦାହରଣ ସୃଷ୍ଟି କରିଛି। ବିକଶିତ ଦେଶମାନଙ୍କରେ ଗଣତନ୍ତ୍ରକୁ ନେଇ ଗଭିରହେଉଥିବା ଅସନ୍ତୋଷ ଯେଉଁଠି ଚିନ୍ତାର ବିଷୟ ପାଲଟିଛି ସେ କ୍ଷେତ୍ରରେ ଭାରତୀୟ ନିଜ ଗଣତନ୍ତ୍ରକୁ ନେଇ ବେଶ୍ ସନ୍ତୁଷ୍ଟ ଥିବା ଜଣାପଡିଛି। 

ଏହି ସପ୍ତାହରେ ଜାରି ପ୍ୟୁ ରିସର୍ଚ୍ଚ ସେଣ୍ଟରର ଏକ ରିପୋର୍ଟ ଅନୁସାରେ ଭାରତ ସାର୍ବଜନିକ ଗଣତାନ୍ତ୍ରିକ ସନ୍ତୋଷ ମାମଲାରେ ଶୀର୍ଷ ଦେଶଙ୍କ ସହ ସାମିଲ ହୋଇଯାଇଛି। ରିପୋର୍ଟ ଅନୁସାରେ ୨୦୨୫ରେ ୨୩ ଦେଶରେ କରାଯାଇଥିବା ସର୍ଭେକ୍ଷଣରେ ୭୪% ଭାରତୀୟ ସେମାନଙ୍କ ଦେଶର ଗଣତନ୍ତ୍ର ଶାସନରେ ସନ୍ତୁଷ୍ଟ ଥିବା କହିଛନ୍ତି। ଏହି ତଥ୍ୟ ଭାରତକୁ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ସନ୍ତୁଷ୍ଟ ଦେଶଙ୍କ ଧାଡିରେ ଛିଡା କରିଛି। ସ୍ୱିଡେନ ୭୫% ସନ୍ତୁଷ୍ଟି ସହିତ ସୂଚୀର ସର୍ବାଗ୍ରେ ରହିଛି। 

ଏହାର ବିପରୀତ ଜାପାନରେ ଲୋକଙ୍କ ଗଣତାନ୍ତ୍ରିକ ସନ୍ତୁଷ୍ଟି ସବୁଠୁ କମ୍ ଥିବା ଜଣାପଡିଛି। ଏଠି କେବଳ ୨୪% ଲୋକେ ଗଣତାନ୍ତ୍ରିକ ସରକାରରେ ସନ୍ତୁଷ୍ଟ ଥିବା କହିଛନ୍ତି। ଏହି ବିରୋଧାଭାସ ବିଶ୍ୱର ଅଲଗା ଅଲଗା ଭାଗରେ ଥିବା ଗଣତନ୍ତ୍ରର ସ୍ୱୀକାର୍ଯ୍ୟତା ଓ ସ୍ଥିତିକୁ ବୁଝିବାର ଏକ ଗୁରୁତ୍ୱପୂର୍ଣ୍ଣ ସଂକେତ। ରିପୋର୍ଟରେ କୁହାଯାଇଛି ଉଚ୍ଚଆୟକାରୀ ଦେଶ ଯେପରିକି ଫ୍ରାନ୍ସ, ଗ୍ରୀସ, ଇଟାଲୀ, ଜାପାନ ଓ ଦକ୍ଷିଣ କୋରିଆରେ ଲୋକଙ୍କର ଗଣତନ୍ତ୍ର ସହିତ ଅର୍ଥ ବ୍ୟବସ୍ଥାକୁ ନେଇ ମଧ୍ୟ ଗଭୀର ଅସନ୍ତୋଷ ରହିଛି। 

ଭାରତ ଭଳି ଦେଶରେ ଯେଉଁଠି ଆର୍ଥିକ ବିକାଶ ଓ ସ୍ଥିରତା ଲୋକଙ୍କ ଭରସାକୁ ମଜଭୁତ କରୁଛି ସେଠାରେ ବିକଶିତ ଦେଶମାନଙ୍କରେ ଆର୍ଥିକ ଅସନ୍ତୁଳନ ଓ ନୀତିଗତ ଅସହମତି କାରଣରୁ ଗଣତନ୍ତ୍ର ଉପରେ ଲୋକଙ୍କ ଭରସା କମ ହେଉଥିବାର ଦେଖାଯାଇଛି। ସମ୍ପୂର୍ଣ୍ଣ ସର୍ଭେକ୍ଷଣରେ ସାମିଲ ୨୩ ଦେଶରେ ହାରାହାରି ୫୮ ପ୍ରତିଶତ ବୟଷ୍କ ସେମାନଙ୍କ ଗଣତାନ୍ତ୍ରିକ ପ୍ରଣାଳୀକୁ ନେଇ ଅସନ୍ତୁଷ୍ଟ ଥିବାର ଜଣାଇଛନ୍ତି। ୨୦୧୭ ମସିହାରେ ଏହି ହାର ୪୯% ଥିଲା। ଖାସ କରି କୋଭିଡ-୧୯ ପରେ ଗ୍ରୀସ, ଜାପାନ ଓ ଦକ୍ଷିଣ କୋରିଆରେ ଜନତାଙ୍କ ଅସନ୍ତୋଷ ଚରମ ସୀମାକୁ ପହଞ୍ଚିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.