ନୂଆଦିଲ୍ଲୀ ୧୯।୦୧: ୧୩ ଜାନୁଆରୀରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ । ପ୍ରତିଥର ପରି ଏଥର ମଧ୍ୟ ମହାକୁମ୍ଭରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ନାଗା ସାଧୁ । ଏହି ନାଗା ସାଧୁଙ୍କ ମଧ୍ୟରେ ସାମିଲ ଅଛନ୍ତି ମହିଳା ନାଗା ସାଧୁ । କିନ୍ତୁ ମହିଳା ନାଗା ସାଧୁଙ୍କ ଜୀବନ ବହୁତ ଅନନ୍ୟ ଏବଂ ଆକର୍ଷଣୀୟ । ପୁରୁଷ ନାଗା ସାଧୁଙ୍କ ଅପେକ୍ଷା ମହିଳା ନାଗା ସାଧୁଙ୍କ ଜୀବନଶୈଳୀ ଏବଂ ପରମ୍ପରା ଭିନ୍ନ । ମହିଳା ନାଗାସାଧୁଙ୍କ ବିଷୟରେ କ୍ବଚିତ୍ ହିଁ କେହି ଜାଣିଥିବେ ।
ଏମାନେ ପୁରୁଷ ନାଗା ସାଧୁଙ୍କ ପରି ନିଜ ଜୀବନ ଭଗବାନଙ୍କ ଭକ୍ତି ଏବଂ ସାଧନାରେ ସମର୍ପିତ କରିଥାନ୍ତି । ନାଗା ସାଧୁ ହେବା ପରେ ମହିଳା ସାଧୁଙ୍କୁ 'ମାତା' କୁହାଯାଏ । ମହିଳା ନାଗା ସାଧୁଙ୍କ ପରମ୍ପରାରେ ପୋଷାକ ପିନ୍ଧିବାର ଗୁରୁତ୍ୱ ଅଛି । କିନ୍ତୁ ସେମାନେ ସେମାନଙ୍କର ପୋଷାକକୁ ବହୁତ ସରଳ ଏବଂ ସର୍ବନିମ୍ନ ରଖନ୍ତି । ସେମାନେ ଗେରୁଆ ରଙ୍ଗର କପଡା ପିନ୍ଧନ୍ତି, ଯାହାକୁ ଗନ୍ତି କୁହାଯାଏ । ଏହି କପଡାଟି ସିଲେଇ ହୋଇନଥାଏ । କେବଳ ସନ୍ୟାସ ନେବା ପରେ ପିନ୍ଧାଯାଏ । ସେମାନଙ୍କୁ କପାଳରେ ଏକ ଲମ୍ବା ତିଳକ ଲଗାଇବାକୁ ପଡିଥାଏ ।
କିନ୍ତୁ ଏପରି କିଛି ମହିଳା ନାଗା ସାଧୁ ଅଛନ୍ତି ଯିଏକି ପିନ୍ଧନ୍ତିନି ଗନ୍ତି । ଅର୍ଥାତ୍ ସେ ସମ୍ପୂର୍ଣ୍ଣ ଉଲଗ୍ନ ରହିଥାନ୍ତି । ଏହି ମହିଳା ନାଗା ସାଧୁମାନେ କେବେବି କାହା ସାମ୍ନାକୁ ଆସିନଥାନ୍ତି । ସେ ସବୁବେଳେ ଲୁଚି ରହିଥାନ୍ତି । ତାଙ୍କର ସମଗ୍ର ଜୀବନ ଈଶ୍ୱରଙ୍କୁ ଉତ୍ସର୍ଗ କରିଥାନ୍ତି । ଏହି ମହିଳା ନାଗା ସାଧୁମାନେ ତପସ୍ୟା ଏବଂ ଧ୍ୟାନରେ ମଗ୍ନ ରୁହନ୍ତି । ଏମିତିକି ତାଙ୍କର ବାସସ୍ଥାନ ବିଷୟରେ କାହା ପାଖରେ ନଥାଏ ସଠିକ୍ ସୂଚନା ।
କିନ୍ତୁ ବିଶ୍ୱାସ କରାଯାଏ ଯେ ସେ ସାଧାରଣତଃ ପର୍ବତ ଏବଂ ଗୁମ୍ଫାରେ ରୁହନ୍ତି । ମହିଳା ନାଗା ସାଧୁ ହେବାର ପ୍ରକ୍ରିୟା ବହୁତ ଜଟିଳ ଏବଂ କଷ୍ଟକର । ଯେତେବେଳେ ପଞ୍ଚ ନିଶ୍ଚିତ ହୋଇଯାଆନ୍ତି ଯେ ସେହି ବ୍ୟକ୍ତି ଆଉ ପାରିବାରିକ ଜୀବନକୁ ଫେରିବେ ନାହିଁ, ସେତେବେଳେ ସେମାନଙ୍କୁ ନାଗା ସାଧୁ ହେବାକୁ ଅନୁମତି ଦିଆଯାଏ । ପ୍ରଥମେ ସେମାନଙ୍କୁ ୬ ରୁ ୧୨ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡିଥାଏ। ଏହି ସମୟରେ ଦେଖାଯାଏ ଯେ ସେମାନେ ଈଶ୍ୱରଙ୍କ ସେବାରେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ କି ନୁହଁ ।
ନାଗା ସାଧୁ ହେବା ପୂର୍ବରୁ ସେମାନଙ୍କୁ କୁମ୍ଭରେ ନିଜର ପିଣ୍ଡ ଦାନ କରିବାକୁ ପଡ଼ିଥାଏ । ଅର୍ଥାତ୍ ସେମାନେ ସେମାନଙ୍କର ପୂର୍ବ ଜୀବନରୁ ମୁକ୍ତି ପାଆନ୍ତି । ଏହାପରେ ସେମାନଙ୍କର କେଶ କାଟି ଦିଆଯାଏ ଏବଂ ସେମାନଙ୍କୁ ପବିତ୍ର ନଦୀରେ ସ୍ନାନ କରାଯାଏ । ନାଗା ସାଧୁ ହେବା ପାଇଁ ପ୍ରାୟ ୧୦ ରୁ ୧୫ ବର୍ଷ ସମୟ ଲାଗେ । ମହିଳାମାନେ ନାଗା ସାଧୁ ହେବା ପରେ ଅନ୍ୟ ସାଧୁ ଏବଂ ସାଧ୍ୱୀମାନେ ସେମାନଙ୍କୁ ମାଇ, ମାତା କିମ୍ବା ଅବଧୂତାନୀ ବୋଲି ଡାକନ୍ତି ।
କେବଳ ଏତିକି ନୁହେଁ ଦୀକ୍ଷା ନେବା ପରେ ମହିଳା ନାଗା ସାଧୁମାନଙ୍କୁ ଏକ ନୂଆ ନାଁ ଦିଆଯାଏ । ମହିଳା ନାଗା ସାଧୁମାନେ ଅତି ସରଳତା ଏବଂ ଅନୁଶାସନ ସହିତ ସେମାନଙ୍କର ଜୀବନଯାପନ କରନ୍ତି । କୁମ୍ଭମେଳା ସମୟରେ ସେମାନେ ପବିତ୍ର ସ୍ନାନରେ ଅଂଶଗ୍ରହଣ କରନ୍ତି । ମହିଳା ନାଗା ସାଧୁମାନେ କେବଳ ନିରାମିଷ ଖାଦ୍ୟ ଖାଆନ୍ତି । ସେମାନଙ୍କ ଖାଦ୍ୟରେ ଫଳ, ମୂଳ, ଫୁଲ ଏବଂ ଔଷଧି ଅନ୍ତର୍ଭୁକ୍ତ । ସେ ମାଂସ ଭୋଜନ କିମ୍ବା ଭଜା ଖାଦ୍ୟ ଖାଆନ୍ତିନି। କୁମ୍ଭମେଳା ସମୟରେ ମହିଳା ନାଗା ସାଧୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ ।