ଇରାନର ପାଲଟା ଜବାବ, ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମିସାଇଲ୍ ମାଡ଼

NEWS7
horoscope-of-friday-13

ନୂଆଦିଲ୍ଲୀ: ଇରାନ ବିରୁଦ୍ଧରେ ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି କରିଛି । ଇରାନ ପ୍ରତିଆକ୍ରମଣ ଜାରି ରଖିଛି । ଏହାରି ମଧ୍ୟରେ ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ (IRGC) ଦାବି କରିଛି ଯେ, ତେଲ୍ ଅଭିଭରେ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏବଂ ଇସ୍ରାଏଲୀ ବାୟୁସେନା କମାଣ୍ଡରଙ୍କ ଅଫିସକୁ ଟାର୍ଗେଟ କରାଯାଇଛି। ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼ କରିଥିବା ନେଇ ଇରାନ୍ ଦାବି କରିଛି । ଏହା ସହ ନେତାନ୍ୟାହୁଙ୍କ ଅବସ୍ଥା ସଂପର୍କରେ ସୂଚନା ମିଳିନାହିଁ ବୋଲି ଆଇଆରଜିସି ପକ୍ଷରୁ କୁହାଯାଇଛି ।

ସେପଟେ ଇସ୍ରାଏଲ ବାୟୁସେନା କମାଣ୍ଡରଙ୍କ ଠିକଣାରେ ମଧ୍ୟ ଆକ୍ରମଣ ହୋଇଥିବା ଆଇଆରଜିସି ଦାବି କରିଛି । ଆମେରିକା-ଇସ୍ରାଏଲର ମିଳିତ ଅପରେସନରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ମୃତ୍ୟୁ ହୋଇଛି । ଏହା ପରେ ରକ୍ତମୁଖା ହୋଇଉଠିଛି ଇରାନ । ଇସ୍ରାଏଳ ସମେତ ଅନ୍ୟ କେତେକ ଦେଶ ଉପରେ ଘନଘନ ମିସାଇଲ୍ ମାଡ଼ କରୁଛି ଇରାନ । ହିଜବୁଲ୍ଲା ଏବଂ ହୁତି ଭଳି ବିଦ୍ରୋହୀ ସଂଗଠନଙ୍କ ସହ ମିଳିତ ଭାବରେ ପ୍ରତି ଜବାବ ଦେଉଛି ତେହେରାନ ।

ଇସ୍ରାଏଲ ଏବଂ ଉପସାଗରୀୟ ଅଞ୍ଚଳରେ ଥିବା ଆମେରିକୀୟ ଘାଟି ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ ଜାରି ରଖିଛି ଇରାନ । ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ନେଇ ଇରାନର ଦାବିକୁ ଖଣ୍ଡ କରିଛି ତେଲ୍ ଅଭିଭ୍। ଇସ୍ରାଏଲ କହିଛି ଯେ, ଏପରି କୌଣସି ଆକ୍ରମଣ ହୋଇନାହିଁ। ଅନ୍ୟପକ୍ଷରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସାମରିକ ଅଧିକାରୀମାନଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ, ସମସ୍ତ ଉଦ୍ଦେଶ୍ୟ ହାସଲ ନହେବା ପର୍ଯ୍ୟନ୍ତ ଇରାନ ବିରୁଦ୍ଧରେ ସାମରିକ ଅଭିଯାନ ଜାରି ରହିବ। ଇରାନର ସୈନ୍ୟମାନଙ୍କୁ ଆତ୍ମସମର୍ପଣ କରିବାକୁ ଟ୍ରମ୍ପ ଅପିଲ୍ କରିଛନ୍ତି । ନଚେତ ନିଶ୍ଚିତ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି ।