ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଗୃହମନ୍ତ୍ରାଳୟଙ୍କ ଝଟକା, ଭ୍ରଷ୍ଟାଚାର ଆଇନରେ ଯାଞ୍ଚକୁ ମିଳିଲା ମଞ୍ଜୁରୀ

Published By : Prameya-News7 Bureau | March 13, 2025 IST

ନୂଆଦିଲ୍ଲୀ ୧୩।୩: ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଆଇନଗତ ସମସ୍ୟା ଏବେ ଜଟିଳ ହୋଇଛି। କେନ୍ଦ୍ର ଗୃହମନ୍ତ୍ରାଳୟ ସେମାନଙ୍କ ବିରୋଧରେ ଭ୍ରଷ୍ଟାଚାର ନିବାରଣ ଅଧିନିୟମରେ ତଦନ୍ତ ଲାଗି ମଞ୍ଜୁରୀ ଦେଇଛନ୍ତି। ଏହି ନିଷ୍ପତ୍ତିର ସୂଚନା ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି)ଙ୍କ ସଚିବାଳୟକୁ ଜଣାଇ ଦିଆଯାଇଛି। ଏହି ମଞ୍ଜୁରୀ ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ଡିପାର୍ଟମେଣ୍ଟର ଅନୁରୋଧ ଆଧାରରେ ଦିଆଯାଇଛି। ଏବେ ଉଭୟଙ୍କ ମାମଲାର ଦ୍ରୁତ ଜାଞ୍ଚ ହେବ ବୋଲି ଆକଳନ କରାଯାଉଛି। 

ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ବିଭାଗ ପ୍ରଥମେ ଏଲଜିଙ୍କ କାର୍ଯ୍ୟାଳୟ ମାଧ୍ୟମରେ କେନ୍ଦ୍ର ଗୃହମନ୍ତ୍ରାଳୟଙ୍କୁ ତଦନ୍ତ ନିମନ୍ତେ ଅନୁମତି ମାଗିଥିଲେ। ମନ୍ତ୍ରାଳୟ ଏହି ଅନୁରୋଧ ଉପରେ ବିଚାର କରିବା ପରେ ତଦନ୍ତ ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଦିଲ୍ଲୀ ସରକାରଙ୍କ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ଜେଲରେ ଥିଲେ। ନୂଆ ଅବକାରୀ ନୀତି ମାଧ୍ୟମରେ ସେ ମଦ ବ୍ୟବସାୟୀଙ୍କୁ ଲାଭ ଦେଇଥିବା ଓ ଏଥିରେ ଦୁର୍ନୀତି କରିଥିବାର ଅଭିଯୋଗ ହୋଇଥିଲା। 

ସେହିପରି ଆମ ଆଦମୀ ପାର୍ଟିରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନିଲଣ୍ଡ୍ରିଂର ଗୁରୁତର ଅଭିଯୋଗ ରହିଛି। ଏହି ମାମଲାରେ ସେ ମଧ୍ୟ ତଦନ୍ତର ସମ୍ମୁଖୀନ ହୋଇଥିବା ବେଳେ ଜେଲ ମଧ୍ୟ ଯାଇଥିଲେ। ଏବେ କେନ୍ଦ୍ର ଗୃହମନ୍ତ୍ରାଳୟ ସେମାନଙ୍କ ବିରୋଧରେ ଅଭିଯୋଗର ତଦନ୍ତ ନିମନ୍ତେ ମଞ୍ଜୁରୀ ଦେଇଥିବା ବେଳେ ଖୁବ୍ ଶୀଘ୍ର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଅନୁମାନ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.