ମୟୁରଭଞ୍ଜ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା : ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

Published By : Prameya-News7 Bureau | July 25, 2025 IST

ବାରିପଦା ୨୫।୭: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ମୟୁରଭଞ୍ଜ ଜିଲ୍ଲାରେ ବର୍ଷାକୁ ଦୃଷ୍ଟିରେ ରଖି ଶୁକ୍ରବାର ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । 

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ । ଫଳରେ ଆସନ୍ତା ୧୨ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ଆଗୁଆ ପଦକ୍ଷେପ ସ୍ବରୂପ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । କଚ୍ଚା ଘର ଥିବା ହଷ୍ଟେଲର ଅନ୍ତେବାସୀମାନଙ୍କୁ ସ୍ଥାନାନ୍ତର ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କଚ୍ଚା ଓ ଆଜବେଷ୍ଟସ୍ ଘରେ ଛାତ୍ରଛାତ୍ରୀଙ୍କୁ ନ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଅବପାତ ସୃଷ୍ଟି ହୋଇଛି । ଶୁକ୍ରବାର ସକାଳ ୫ଟା ୩୦ ମିନିଟ୍ ସମୟରେ ଅବପାତ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତା ୨୮ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବା ନେଇ ସତର୍କ ସୂଚନା ଦିଆଯାଇଛି । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ତେବେ ଏହା ପ୍ରଭାବରେ ଶୁକ୍ରବାର ମୟୂରଭଞ୍ଜ ଓ କେନ୍ଦୁଝରରେ ଅତି ଭୀଷଣ ବର୍ଷା ହୋଇପାରେ । ଏହି ଦୁଇ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ସେହିଭଳି ଶନିବାର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଅଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ରବିବାର  ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭାରି ବର୍ଷା ଆଶଙ୍କା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । 

You Can Read:

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.