Hockey India League 2025; ସେମିରେ ଟାଇଗର୍ସ ବନାମ ଡ୍ରାଗନ୍ସ, ସୁରମା ଓ ତୁଫାନ୍ସ ମଧ୍ୟରେ ଲଢ଼େଇ

Published By : Prameya-News7 Bureau | January 31, 2025 IST

ଭୁବନେଶ୍ୱର ୩୧।୧: ପୁରୁଷ ହକି ଇଣ୍ଡିଆ ଲିଗ୍ । ଶୁକ୍ରବାର ସଂଧ୍ୟାରେ ସେମି ମୁକାବିଲା । ଆଜି ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଦୁଇଟି ସେମି ଫାଇନାଲ୍ ମ୍ୟାଚ୍ ଖେଳାଯିବ । ସଂଧ୍ୟା ୬ଟା ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ବେଙ୍ଗଲ ଟାଇଗର୍ସ ଓ ତାମିଲନାଡ଼ୁ ଡ୍ରଗନ୍ସ । ଏହା ପରେ ସଂଧ୍ୟା ୮.୧୫ରୁ ଆରମ୍ଭ ହେବ । ଦ୍ବିତୀୟ ଲଢ଼େଇ ସୁରମା ହକି କ୍ଲବ୍ ଓ ହାଇଦ୍ରାବାଦ ତୁଫାନ ମଧ୍ୟରେ ହେବ । 

ସେମି ଫାଇନାଲିଷ୍ଟ ଦଳକୁ ନେଇ ଷ୍ଟାଡିୟମରେ ଟ୍ରଫି ଉନ୍ମୋଚିତ ହୋଇଥିଲା । ବେଙ୍ଗଲ ଟାଇଗର୍ସ ଓ ଡ୍ରାଗନ୍ସ ମଧ୍ୟରୁ ସିଜନ ଆରମ୍ଭରୁ ଟାଇଗର୍ସ ଭଲ ପ୍ରଦର୍ଶନ କରି ପଏଣ୍ଟ ଟେବୁଲରେ  ଶୀର୍ଷ ସ୍ଥାନ ଦଖଲ କରିଥିଲା । କିନ୍ତୁ  ମଧ୍ୟଭାଗରେ ଦଳର ପ୍ରଦର୍ଶନ କିଛିଟା ଦୁର୍ବଳ ରହିଥିଲା । ମାତ୍ର ପୁଣି ଶେଷ ଭାଗକୁ ପ୍ରତ୍ୟାବର୍ତ୍ତନ କରି  ଟେବୁଲ ଟପ୍ପର ହୋଇଥିଲା ।  ୧୦ଟି ମ୍ୟାଚ୍‌ରୁ ଦଳ ୬ଟି ବିଜୟ  ଏବଂ ଗୋଟିଏ ସୁଟଆଉଟ୍‌ ପରାଜୟ ସହ ମୋଟ୍‌ ୧୯ ପଏଣ୍ଟ ପାଇଥିଲା । ସେପଟେ ତାମିଲନାଡୁ ଡ୍ରାଗନ୍ସ ଶେଷ ଦୁଇ ଲିଗରେ ପରାଜିତ ହୋଇଥିଲେ ମଧ୍ୟ ସେମିରେ ପ୍ରବେଶ  କରିଥିଲା । ମୋଟ୍‌ ୧୮ ପଏଣ୍ଟ  ସହ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଥିଲା । ଅଧିନାୟକ  ଅମିତ ରୋହିଦାସ କହିଛନ୍ତି, ‘ଲିଗ୍ ପର୍ଯ୍ୟାୟ  ବେଶ ରୋମାଞ୍ଚକର ଥିଲା । ସେମିରେ  ପ୍ରବେଶ କରି ଆମେ ଉତ୍ସାହିତ । ଦଳ ତା’ର   ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଛି ।

’ ସୁରମା-ତୁଫାନ୍ସ ଦୁଇ ଦଳ ମଧ୍ୟରେ ଟେବୁଲରେ ଗୋଟିଏ ପଏଣ୍ଟ ତାରତମ୍ୟ ରହିଛି । ସୁରମା ୧୯ ପଏଣ୍ଟ ଏବଂ ତୁଫାନ୍ସ ୧୮ ପଏଣ୍ଟ ପାଇ ଟେବୁଲରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ  ସ୍ଥାନରେ ରହିଥିଲେ । ସୁରମା ଶେଷ ୪ଟି ଲିଗ୍‌ରେ ଶ୍ରେଷ୍ଠ  ପ୍ରଦର୍ଶନ ଦେଇ ବିଜୟୀ ହୋଇଥିଲା । ସେମି ଲଢ଼େଇ ପାଇଁ ଦଳ ପ୍ରସ୍ତୁତ ବୋଲି କହିଛନ୍ତି ଅଧିନାୟକ ହର୍ମନପ୍ରୀତ ସିଂ । ତୁଫାନ୍ସର ପ୍ରଦର୍ଶନ ଭଲ ରହିଥିଲା ।   ଶେଷ ଲିଗରେ ଦଳ ପରାଜିତ ହୋଇଥିଲା । ଅଧିନାୟକ ସୁମିତ କହିଛନ୍ତି,   ‘ଆମ ଦଳର ଯାତ୍ରା ଭଲ ରହିଛି । ସେମିରେ ଦଳ  ତା’ର ଶ୍ରେଷ୍ଠ ପ୍ରଦର୍ଶନ ଦେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.