ବଲାଣୀ ଟାଉନସିପ୍‌ ଅଞ୍ଚଳରେ ହିଟ୍‌ ଆଣ୍ଡ ରନ୍‌ : ଦୁଇ ତୃତୀୟ ଶ୍ରେଣୀ ଛାତ୍ରଙ୍କ ଉପରେ ଗାଡି ଚଢାଇ ବୋଲେରୋ ଚମ୍ପଟ

Published By : Prameya-News7 Bureau | August 22, 2025 IST

ବଡ଼ବିଲ ୨୨।୮: ପୁଣି ଏକ ହିଟ୍ ଏଣ୍ଡ ରନ୍ । ଦୁଇ କୋମଳମତୀ ଛାତ୍ରଙ୍କ ଉପରେ ଗାଡି ଚଢାଇ ଚମ୍ପଟ ମାରିଲା ବୋଲେରୋ । କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଷ୍ଟିଲ ଅଥୋରିଟି ଅଫ୍ ଇଣ୍ଡିଆ (SAIL)ର ଖଣି ଟାଉନସିପ୍ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦୁର୍ଘଟଣା ସମୟର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ, ପୋଲିସ ଘଟଣାର ତଦନ୍ତ ଚଳାଇଛି ।  

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ବଲାଣୀ ଟାଉନସିପରେ ଥିବା ସରକାରୀ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଦୁଇ ଛାତ୍ର  ସ୍କୁଲ ଛୁଟି ହେବା ପରେ ସାଙ୍ଗ ହୋଇ ବିର୍ସା ମୁଣ୍ଡା କ୍ଲବ ନିକଟସ୍ଥ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ବିର୍ସା ମୁଣ୍ଡା କ୍ଲବ ଓ ମସଜିଦ ରାସ୍ତାରେ ସାମ୍ନାପଟୁ ଏକ ବୋଲେରୋ ଦ୍ରୁତ ଗତିରେ ଆସି ସେମାନଙ୍କ ଉପରେ ଚଢାଇ ଚମ୍ପଟ ହୋଇଯାଇଥିଲା । ସ୍ଥାନୀୟ ଲୋକେ ଉଭୟ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ସେଲ୍ ବଲାଣୀ ଡାକ୍ତରଖାନାକୁ ନେଇଥିଲେ । ପରେ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । 

ଏଭଳି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ଦୁର୍ଘଟଣା ଘଟାଇଥିବା ବୋଲେରୋ ଓ ଚାଳକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ବଲାଣୀ ପୋଲିସ ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଯାଞ୍ଚ କରୁଥିବା ବେଳେ ଦୁର୍ଘଟଣା ଘଟାଇଥିବା ବୋଲେରୋ ଓ ଚାଳକଙ୍କ ସମ୍ବନ୍ଧରେ ଟେର ପାଇନଥିବା ଜଣାପଡ଼ିଛି । 

You Can Read:

ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ, ବିଭିନ୍ନ ଥାନାରେ ରହିଛି ୭ ସଙ୍ଗୀନ ମାମଲା


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.