ନୂଆଦିଲ୍ଲୀ: ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ସମୟର ଭିଡିଓ ଓ ଏହାପରେ ଆସୁଥିବା ଫଟୋ ଲୋକଙ୍କ ଭୟଭୀୟ କରୁଛି । ଏହି ବିମାନରେ ୨୪୨ ଜଣ ଥିଲେ, ଯେଉଁଥିରୁ ୧୨ ଜଣ କ୍ରିୟୁ ସଦସ୍ୟ ଥିଲେ । ଦୁର୍ଘଟଣାର ଶିକାର ହୋଇଥିବା ବିମାନ ବୋଇଂର ୭୮୭ ଡ୍ରିମଲାଇନର । ଦୁର୍ଘଟଣା ଉପରେ ବୋଇଂ ମୁଖପାତ୍ର କହିଛନ୍ତି, 'ଆମେ ପ୍ରାରମ୍ଭିକ ରିପୋର୍ଟ ବିଷୟରେ ଅବଗତ ଅଛୁ ଏବଂ ଅଧିକ ସୂଚନା ହାସଲ ଉପରେ କାମ କରୁଛୁ ।' ତେବେ ଆମେରିକୀୟ କମ୍ପାନି ଦ୍ୱାରା ନିର୍ମିତ ବିମାନର ଏହା ପ୍ରଥମ ଦୁର୍ଘଟଣା ନୁହେଁ । ଏହା ପୂର୍ବରୁ ଅନେକ ଥର ବୋଇଂ ବିମାନ କ୍ରାସ୍ ହୋଇସାରିଛି । ଠିକ୍ ବର୍ଷକ ପୂର୍ବେ ୨୦୨୪ରେ ସାଉଥ୍ କୋରିଆରେ ବୋଇଂ ବିମାନ କ୍ରାସ୍ କରିଥିଲା । ଏଥିରେ ୧୮୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ବୋଇଂର ୭୩୭-୮୦୦ ଏୟାରକ୍ରାପ୍ଟ ସାମିଲ ଥିଲା, ଯାହା ୭୩୭ ମ୍ୟାକ୍ସର ଉନ୍ନତ ଭର୍ସନ ।
ଏହା ପୂର୍ବରୁ ୨୦୧୮ ଓ ୨୦୧୯ରେ ବୋଇଂ ୭୩୭ ମାକ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଲାଇନ୍ ଏୟାର ଫ୍ଲାଇଟ୍ ୬୧୦ ଓ ଇଥିୟୋପିୟନ ଏୟାରଲାଇନ୍ସ ଫ୍ଲାଇଟ୍ ୩୦୨ ସାମିଲ ଥିଲା । ଦୁଇ ଦୁର୍ଘଟଣାରେ ଯଥାକ୍ରମେ ୧୮୯ ଓ ୧୫୭ ଜଣଙ୍କ ଜୀବନ ଯାଇଥିଲା । ଏହାପରେ ବାଧ୍ୟ ହୋଇ ବୋଇଂ ଏହି ବିମାନ ଉପରେ ରୋକ ଲଗାଇଥିଲା ଓ ୩୦ ବିଲିୟନ ଡଲାର କ୍ଷତି ସହିଥିଲା । ତେବେ ବୋଇଂ ବିମାନଗୁଡିକ ଲଗାତାର ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ବୋଇଂ ୭୩୭ ମ୍ୟାକ୍ସର ତଦନ୍ତ କରାଯାଇଥିଲା । ତଦନ୍ତରେ ମ୍ୟାନୁଭରିଂ କ୍ୟାରେକ୍ଟରିଜିକ୍ସ ଅଗମେଣ୍ଟେସନ୍ ସିଷ୍ଟମ ସହ ଜଡିତ ଏକ ସମସ୍ୟା ଜଣାପଡ଼ିଥିଲା । ଏହି ସିଷ୍ଟମ ମାନୁଆଲ୍ ଲ୍ୟାଣ୍ଡିଂ ଉପରେ ନିର୍ଭରଶୀଳତା ହ୍ରାସ କରିଥିଲା । କିନ୍ତୁ ପାଇଲଟମାନଙ୍କୁ ଏହା ବିଷୟରେ ଅଧିକ ସୂଚନା ଦିଆଯାଇ ନଥିଲା ।
ତେବେ ଅହମଦାବାଦରେ କ୍ରାସ୍ ହୋଇଛି ବିଶ୍ୱର ସବୁଠୁ ସୁରକ୍ଷିତ ଦାବି କରାଯାଉଥିବା ବିମାନ ବୋଇଂ ୭୮୭ ଡ୍ରିମଲାଇନର । ବୋଇଂର ଏହି ବିମାନକୁ ସବୁଠୁ ସୁରକ୍ଷିତ ରୂପେ ଗଣାଯାଏ । ବୋଇଂ ୭୮୭ ଡ୍ରିମଲାଇନର ବିମାନର ବିଶ୍ୱରେ ଏହା ପ୍ରଥମ ଦୁର୍ଘଟଣା । ଅତୀତରେ ବୋଇଂ ୭୮୭ ଡ୍ରିମଲାଇନର ବିମାନଗୁଡ଼ିରେ ଯାତ୍ରୀ ଆହତର ଖବର ରହିଛି । କିନ୍ତୁ ଆଭିଏସନ୍ ସେଫ୍ଟି ନେଟୱାର୍କ ଡାଟାବେସ୍ ଅନୁଯାୟୀ, ଏହି ବିମାନ ସହ ଜଡିତ କୌଣସି ମୃତ୍ୟୁ ରେକର୍ଡ ନାହିଁ । ରିପୋର୍ଟ ଅନୁସାରେ, ଦୁନିଆରେ ବୋଇଂ ବିମାନର ପ୍ରାୟ ୬ ହଜାର ଦୁର୍ଘଟଣା ଓ ଅଘଟଣ ସାମିଲ ଅଛି । ଏଥିରୁ ୪୧୫ ବଡ଼ ଆକାରର । ଏହି ସବୁ ଦୁର୍ଘଟଣାରେ ଅତି କମରେ ୯୦୦୦ ଲୋକଙ୍କ ମୃତ୍ୟୁ ହୋଇଛି । ସାରା ଦୁନିଆରେ ଉଡାଣ ଭରୁଥିବା ବିମାନ ମଧ୍ୟରେ ୪୦୦୦ରୁ ଅଧିକ ବିମାନ ବୋଇଂ ୭୩୭-୮୦୦ । ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଏସିଆ, ୟୁରୋପ ଓ ଉତ୍ତର ଆମେରିକାର ପରି ପ୍ରମୁଖ ମହାଦେଶରେ ବୋଇଂ ବିମାନକୁ ଅଧିକ ବ୍ୟବହାର କରାଯାଇଥାଏ ।