ସମ୍ଭଲରେ ହିନ୍ଦୁ ଜନସଂଖ୍ୟା ଏବେ କେବଳ ୧୫% , ସିଏମ୍ ଯୋଗୀ ଆଦିତ୍ୟନାଥଙ୍କୁ ରିପୋର୍ଟ ଦେଲା ତଦନ୍ତକାରୀ କମିଟି

Published By : Prameya-News7 Bureau | August 28, 2025 IST

ନୂଆଦିଲ୍ଲୀ: ସମ୍ଭଲ ହିଂସା ଉପରେ ତଦନ୍ତ ପାଇଁ ଗଠିତ ନ୍ୟାୟିକ କମିଟି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରିପୋର୍ଟ ହସ୍ତାନ୍ତର କରିଛି । କମିଟି ୪୫୦ ପୃଷ୍ଠାର ନିଜ ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ଖୁଲାସା କରିଛି । ରିପୋର୍ଟ ଅନୁସାରେ, ଏହି ହିଂସା ହଠାତ୍ ହୋଇନଥିଲା, ବରଂ ପୂର୍ବନିୟୋଜିତ ଓ ଷଡ଼ଯନ୍ତ୍ରର ଅଂଶ ଥିଲା । ରିପୋର୍ଟରେ ଅନେକ ରାଜନୈତିକ ଓ ଧାର୍ମିକ ବ୍ୟକ୍ତିଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଯାଇଛି । ସୂତ୍ର ଅନୁସାରେ, ରିପୋର୍ଟରେ ନଭେମ୍ୱର ୨୪ ହିଂସା ପାଇଁ ସମ୍ଭଲ ସମାଜବାଦୀ ପାର୍ଟି ସାଂସଦ ଜିୟାଉର ବାର୍କଙ୍କ ଉତ୍ତେଜନାପୂର୍ଣ୍ଣ ବୟାନ ପ୍ରମୁଖ କାରଣ ଥିବା କୁହାଯାଇଛି ।

ସୂଚନା ଅନୁଯାୟୀ, ନଭେମ୍ବର ୨୨ରେ ସାଂସଦ ଜିଆ-ଉର-ରେହମାନ ବାର୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ । ସେ କହିଥିଲେ, "ଆମେ ଏହି ଦେଶର ମାଲିକ, ଚାକର କି ଦାସ ନୁହେଁ । ମସଜିଦ ସେଠାରେ ଥିଲା, ଅଛି ଏବଂ କୟାମତ ପର୍ଯ୍ୟନ୍ତ ରହିବ। ଅଯୋଧ୍ୟାରେ ଆମର ମସଜିଦକୁ ଛଡ଼ାଇ ନିଆଯାଇଥିଲା, ଆମେ ଏଠାରେ ଏହା ହେବାକୁ ଦେବୁ ନାହିଁ।" ରିପୋର୍ଟରେ କୁହାଯାଇଛି ଯେ ସାଂସଦ ବାର୍କ, ବିଧାୟକଙ୍କ ପୁଅ ସୁହେଲ ଇକବାଲ ଏବଂ ଜାମା ମସଜିଦର ଇନ୍ତଜାମିଆ କମିଟିର ଅଧିକାରୀମାନେ ମିଶି ଏହି ଷଡ଼ଯନ୍ତ୍ର କରିଥିଲେ ।

ରିପୋର୍ଟରେ କୁହାଯାଇଛି, ଦଙ୍ଗା ଆଳରେ ଧାର୍ମିକ ସ୍ଥଳଗୁଡ଼ିକୁ ଟାର୍ଗେଟ୍ କରାଯାଇଥିଲା । ସମ୍ଭଲରେ ୬୮ଟି ତୀର୍ଥସ୍ଥଳ ଏବଂ ୧୯ଟି ପବିତ୍ର କୂଅ ଦଖଲ ଘଟଣା ଯୋଜନାବଦ୍ଧ ଭାବରେ କରାଯାଇଥିଲା । ହରିହର ମନ୍ଦିର ଦଖଲ କରିବାକୁ ଚେଷ୍ଟା କରାଯାଇଥିବା କଥା ମଧ୍ୟ ଏଥିରେ ଉଲ୍ଲେଖ ଅଛି । ଯୋଗୀ ସରକାର ଏହି ତୀର୍ଥସ୍ଥଳ ଏବଂ ପବିତ୍ର କୂଅଗୁଡ଼ିକର ପୁନରୁଦ୍ଧାର ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ  ମେ ୩୦ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। 

କମିଟି ନିଜ ରିପୋର୍ଟରେ କହିଛି, ଦଙ୍ଗା ସୃଷ୍ଟି କରିବା ପାଇଁ ବାହାର ଲୋକଙ୍କୁ ଅଣାଯାଇଥିଲା । ହିନ୍ଦୁ ଅଞ୍ଚଳଗୁଡ଼ିକୁ ଟାର୍ଗେଟ୍ କରିବାର ଯୋଜନା ଥିଲା, କିନ୍ତୁ ପୋଲିସ ମୁତୟନ ଯୋଗୁଁ ଏହା ସଫଳ ହୋଇପାରିଲା ନାହିଁ । ରିପୋର୍ଟରେ କୁହାଯାଇଛି ଯେ ପଠାଣ ଏବଂ ତୁର୍କଙ୍କ ମଧ୍ୟରେ ଗୁଳିବିନିମୟରେ ଚାରି ଜଣ ପ୍ରାଣ ହରାଇଥିଲେ । ହିନ୍ଦୁ ବହୁଳ ଅଞ୍ଚଳରେ ବଡ଼ କ୍ଷତି କରିବାର ଯୋଜନା ବିଫଳ ହୋଇଥିଲା ।

ରିପୋର୍ଟରେ ସମ୍ଭଲର ବଦଳିଥିବା ଡେମୋଗ୍ରାଫି ଉପରେ ଆଶ୍ଚର୍ଯ୍ୟଜନକ ଖୁସାଲା ହୋଇଛି । ସ୍ୱାଧୀନତା ସମୟରେ ସମ୍ଭଲ ପୌର ଅଞ୍ଚଳରେ ୫୫% ମୁସଲମାନ ଏବଂ ୪୫% ହିନ୍ଦୁ ଥିଲେ । କିନ୍ତୁ ଆଜି ହିନ୍ଦୁଙ୍କ ସଂଖ୍ୟା ୧୫%କୁ ହ୍ରାସ ପାଇଛି ଓ ମୁସଲମାନ ଜନସଂଖ୍ୟା ୮୫%କୁ ବୃଦ୍ଧି ପାଇଛି । ରିପୋର୍ଟରେ କୁହାଯାଇଛି ଯେ ଦଙ୍ଗା ଏବଂ ତୁଷ୍ଟିକରଣର ରାଜନୀତି ସମ୍ଭଲର ଡେମୋଗ୍ରାଫିକୁ ବଦଳାଇ ଦେଇଛି । ୧୯୪୭ରୁ ୨୦୧୯ ପର୍ଯ୍ୟନ୍ତ, ସମ୍ଭଲରେ ୧୫ଟି ବଡ଼ ଦଙ୍ଗା ଘଟିଛି । ଏହି ସବୁରେ ହିନ୍ଦୁ ସମୁଦାୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.