ଦୋକାନରେ ବାଧ୍ୟତାମୂଳକ ନାଁ ଲେଖିବା ନିଷ୍ପତ୍ତି ହୋଇନି, ସୁଖୁ ସରକାରଙ୍କ ସ୍ପଷ୍ଟୀକରଣ; ବ୍ୟାକ୍‌ଫୁଟ୍‌ରେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ

Published By : Prameya-News7 Bureau | September 26, 2024 IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଦୋକାନ ଏବଂ ହୋଟେଲରେ ନାଁ ଲେଖିବା ବାଧ୍ୟତାମୂଳକ ନେଇ କ୍ୟାବିନେଟ୍ ମନ୍ତ୍ରୀ ବିକ୍ରମାଦିତ୍ୟଙ୍କ ସିଂଙ୍କ ବୟାନ ପରେ ବିବାଦ ଆରମ୍ଭ ହୋଇଛି । ଗୋଟିଏ ଦିନ ପୂର୍ବେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ କହିଥିଲେ ଯେ ଉତ୍ତର ପ୍ରଦେଶ ପରି ହିମାଚଳ ପ୍ରଦେଶର ଷ୍ଟ୍ରିଟ୍ ଭେଣ୍ଡର୍ସଙ୍କୁ ନିଜ ନାଁ ଏବଂ ଆଇଡି ଲଗାଇବାକୁ ପଡ଼ିବ । କିନ୍ତୁ ଏବେ ସୁଖୁ ସରକାରଙ୍କ ସ୍ପଷ୍ଟୀକରଣ ପରେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ବ୍ୟାକ୍‌ଫୁଟ୍‌ ଆସିଛନ୍ତି ।

ଏହି ମାମଲାରେ ରାଜ୍ୟ ସରକାର ଗୁରୁବାର ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି । ସରକାର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏପରି କୌଣସି ନିଷ୍ପତ୍ତିକୁ ଲାଗୁ କରାଯାଇ ନାହିଁ । ସରକାରଙ୍କ ପକ୍ଷରୁ ବିକ୍ରେତାଙ୍କ ଦ୍ୱାରା ନିଜ ଦୋକାନରେ ନାଁ ଏବଂ ଆଇଡି ଲଗାଯିବା ସହ ଜଡ଼ିତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ରାଜ୍ୟ ସରକାର ଷ୍ଟ୍ରିଟ୍ ଭେଣ୍ଡର୍ସଙ୍କ ସହ ଜଡ଼ିତ ସମସ୍ତ ପ୍ରସଙ୍ଗର ସମାଧାନ ପାଇଁ ପ୍ରତିବଦ୍ଧ ଅଛନ୍ତି । ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ପରାମର୍ଶ ଉପରେ ବିଚାର କରାଯିବ ।

ଲାଇଭ ହିନ୍ଦୁସ୍ତାନର ରିପୋର୍ଟ ଅନୁସାରେ ଶାସକ ଦଳର ଜଣେ ମୁଖପାତ୍ର କହିଛନ୍ତି ଯେ ଷ୍ଟ୍ରିଟ୍ ଭେଣ୍ଡର୍ସ ନୀତି ଉପରେ ସମାଜର ବିଭିନ୍ନ ବର୍ଗର ପରାମର୍ଶ ମିଳିଛି । ଏହି ମାମଲାରେ ସବୁ ଦିଗ ଉପରେ ସମ୍ୱେଦନଶୀଳ ସହ ବିଚାର କରାଯାଉଛି । ମୁଖପାତ୍ର ଜଣକ କହିଛନ୍ତି ଯେ ଏହି ମାମଲାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ହର୍ଷବର୍ଦ୍ଧନ ଚୌହାନଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଏବଂ ବିଜେପି ବିଧାୟକଙ୍କ ଏକ ସମିତି ଗଠନ କରାଯାଇଛି । ସମିତି ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନିଜ ସୁପାରିଶ ଦେବା ପୂର୍ବରୁ ବିଭିନ୍ନ ହିତଧାରକଙ୍କ ସହ ପରାମର୍ଶର ସମୀକ୍ଷା କରିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.