Shambhavi Puraskar 2026 : ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ପରିବର୍ତ୍ତନକାରୀଙ୍କୁ ଶାମ୍ଭବୀ ପୁରସ୍କାର ୨୦୨୬ରେ ସମ୍ମାନିତ

NEWS7
high-security-in-paradip-port

ଭୁବନେଶ୍ବର ୧୪।୩: ଶାମ୍ଭବୀ ପୁରସ୍କାର ୨୦୨୬ । ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନର ୧୫ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି I ଏହି ଅବସରରେ ଦୁଇଟି ସଂଗଠନ ସାଥି ପରିବାର ଏବଂ ବଲାଙ୍ଗୀର ଗ୍ରାମୋଦ୍ୟୋଗ ସମିତିକୁ ମଧ୍ୟ ଶାମ୍ଭବୀ ପୁରସ୍କାର ୨୦୨୬ରେ ସମ୍ମାନିତ କରାଯାଇଛି । ଏହାସହ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା, ଏକ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ସେହିଭଳି  ସମସାମୟିକ ବଜାର ପାଇଁ ଓଡ଼ିଶାର ବୟନ ଶିଳ୍ପରେ ପ୍ରଭାବଶୀଳ ଅବଦାନ ପାଇଁ ବରଗଡ଼ର ଡ଼. ସସ୍ମିତା ମେହେରଙ୍କୁ ଜୁରି ଶାମ୍ଭବୀ ପୁରସ୍କାର ସହ ୧ ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଛି । କନ୍ଧମାଳ ଜିଲ୍ଲା ଜିରିଦିକିଆ ଗାଁର ଦୁଇ ଭଉଣୀ ଶର୍ମିଲତା ପ୍ରଧାନ ଏବଂ ଯମୁନା ପ୍ରଧାନଙ୍କୁ ଫୁଟବଲ ମାଧ୍ୟମରେ ସ୍ଥାନୀୟ ଝିଅମାନଙ୍କୁ ସଶକ୍ତ କରିବା ଓ ବାଲ୍ୟ ବିବାହ ବିରୁଦ୍ଧରେ ସଚେତନତା ସୃଷ୍ଟି କରିଥିବାରୁ ତାଙ୍କୁ ଶମ୍ଭାବୀ ଯୁବ ଆଇକନ ପୁରସ୍କାର ପ୍ରଦାନ କରାଯାଇଛି ।

ଏ ଖବର ବି ପଢ଼ନ୍ତୁ:- ଜେଲ୍‌ର ହାଇ ସିକ୍ୟୁରିଟି ବ୍ଲକ୍‌ରେ ରହୁଥିଲା, ମାରିଦେଲେ କି ଶ୍ବଶୁର ଘର ?

ଫାଉଣ୍ଡେସନ ପ୍ରତିଷ୍ଠାତା ସୈଫାଳିକା ପଣ୍ଡାଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ସମ୍ମାନିତ ଅତିଥି ଭାବେ ମ୍ୟାଜିକ ବସ ଇଣ୍ଡିଆ ଫାଉଣ୍ଡେସନର ଗ୍ଲୋବାଲ ସିଇଓ ଜୟନ୍ତ ରସ୍ତୋଗୀ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିବା ସହ ଫାଉଣ୍ଡେସନର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଫାଉଣ୍ଡେସନ ବିଗତ ୧୫ବର୍ଷ ମଧ୍ୟରେ ଓଡ଼ିଶାର ୬ଟି ଜିଲ୍ଲାରେ ଏକ ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବା ସହ ୬୯୦ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚିଛି ଏବଂ ଏହାର ସମ୍ପ୍ରଦାୟ -ନେତୃତ୍ୱାଧୀନ ବିକାଶ ପଦକ୍ଷେପ ମାଧ୍ୟମରେ ୨.୭ ନିୟୁତରୁ ଅଧିକ ଲୋକଙ୍କ ଜୀବନକୁ ସକାରତ୍ମକ ଭାବରେ ଛୁଇଛି । ଏହି ମାଇଲଖୁଣ୍ଟକୁ ସ୍ମରଣୀୟ କରିବା ପାଇଁ, ପ୍ରତିଷ୍ଠାନର ଯାତ୍ରା ଉପରେ ଏକ କଫି ଟେବୁଲ୍ ପୁସ୍ତକ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା । ଆଗକୁ ମେଣ୍ଟାଲ ହେଲ୍ଥ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି ।