ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ଟ୍ରକରେ ଗଲା ରଥ କାଠ, ଶ୍ରୀ ପଞ୍ଚମୀ ତିଥୀରେ ହେବ ଅନୁକୂଳ

NEWS7
high-drama-of-a-drug-addicted-young-lady-in-bhubaneswar

ନୟାଗଡ ୨୦/୦୧: ଦଶପଲ୍ଲାରୁ ପୁରୀ ଅଭିମୁଖେ ଗଲା ରଥକାଠ । ମହାବୀର କ୍ଷେତ୍ରରୁ ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରକରେ ୮୩ ଖଣ୍ଡ ରଥ କାଠ ପଠାଯାଇଛି। ବଳକା କାଠ ପର୍ଯ୍ୟାୟ କ୍ରମେ ପୁରୀକୁ ପଠାଯିବ। ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକ ଥିବାବେଳେ ଗତ ବର୍ଷର ୪୭ ଖଣ୍ଡ କାଠ ବଳକା ଆଉ ୮୧୮ ଖଣ୍ଡ କାଠର ଆବଶ୍ୟକତା ରହିଛି ।

ଆଜି ପ୍ରଥମ ପର୍ଯ୍ୟାୟରେ ତିନୋଟି ଟ୍ରକରେ ୮୩ ଖଣ୍ଡ କାଠ ଲଗ୍ ପଠାଯାଇଛି । ଏଥିରେ ୪୩ ଖଣ୍ଡ ଧଉରା ଏବଂ ୪୦ଖଣ୍ଡ ଆସନ କାଠ ରହିଛି । କାଠଗୁଡିକ ଦଶପଲ୍ଲା ବନଖଣ୍ଡର ଟାକେରା ଫରେଷ୍ଟ ସେକ୍ସନରୁ ସଂଗ୍ରହ କରାଯାଇଛି । ସକାଳେ ଦଶପଲ୍ଲା ମହାବୀର ମନ୍ଦିର ସମ୍ମୁଖରେ ପୂଜାର୍ଚ୍ଚନା ପରେ ଟ୍ରକ୍ ତିନୋଟି ଯାତ୍ରା ଆରମ୍ଭ କରିଥିଲା ।

ପରେ ନୟାଗଡ ପୁରୁଣାସହରରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ଡିଏଫଓ ଏବଂ ଅନ୍ୟ ବନ ଅଧିକାରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯିବା ପରେ ପୁରୀ ଅଭିମୂଖେ କାଠ ବୋଝେଇ ଟ୍ରକ୍ ବାହାରିଛି । ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳିତବର୍ଷ ନୟାଗଡ ବନବିଭାଗ ପକ୍ଷରୁ ୮୧୮ ଖଣ୍ଡ କାଠ ଯୋଗାଇ ଦେବାପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ । ସେଥିମଧ୍ୟରୁ ବିଭିନ୍ନ ମାପର ଧଉରା ୪୦୩ଖଣ୍ଡ , ଅଶନ ୩୪୦ଖଣ୍ଡ , ଫାଶି ୭୨ଖଣ୍ଡ ଏବଂ ୩ଟି ଶିମିଳି କାଠର ଆବଶ୍ୟକତା ରହିଛି ।

ନୟାଗଡ ବନଖଣ୍ଡ ସମେତ ବୌଦ୍ଧ, ଘୁମୁସର ଏବଂ ରେଢ଼ାଖୋଲ ବନଖଣ୍ଡରୁ କାଠ ସଂଗ୍ରହ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି । ପରମ୍ପରା ଅନୂଯାୟୀ ସରସ୍ବତୀ ପୂଜା ପୂର୍ବରୁ ପ୍ରଥମ ରଥକାଠ ପୁରୀ ରଥଖଳାରେ ପହଞ୍ଚିବାର ନିୟମ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ରଥଖଳାରେ କାଠ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।