କଟକ ୨୬।୦୭ : ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦୁଇ ବର୍ଷିଆ ବିଏଡ୍ ପ୍ରାର୍ଥୀକୁ ସୁଯୋଗ ଦିଆଯାଉ । ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ରାୟ ଦେଇଛନ୍ତି । ପୂର୍ବରୁ ହାଇକୋର୍ଟ ସ୍ନାତକ ପରେ ଦୁଇବର୍ଷିଆ ବିଏଡ୍ (ସ୍ବତନ୍ତ୍ର ଶିକ୍ଷା) ପାସ୍ କରିଥିବା ଆବେଦନକାରୀଙ୍କୁ ଅଯୋଗ୍ୟ ଘୋଷଣା ସହିତ ତାଙ୍କ ପ୍ରାର୍ଥିତ୍ବ ଖାରଜ କରି ୨୦୨୪, ଜୁଲାଇ ୨୫ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ରଦ୍ଦ ମଧ୍ୟ କରିଛନ୍ତି। ସେହିପରି କନିଷ୍ଠ ଶିକ୍ଷକ ପଦ ପାଇଁ ୨୦୨୩, ସେପ୍ଟେମ୍ବର ୧୦ର ବିଜ୍ଞପ୍ତି ଆଧାରରେ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାର ପ୍ରକାଶିତ ପ୍ରୋଭିଜନାଲ୍ ମେଧା ତାଲିକାରେ ଆବେଦନକାରୀଙ୍କ ନାଁ ପୁନଃସ୍ଥାପିତ କରାଯିବ। ଏହାପରେ ଆବେଦନକାରୀଙ୍କ ନିଯୁକ୍ତି ପ୍ରସଙ୍ଗରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଓ ମାନସ ରଞ୍ଜନ ପାଠକଙ୍କୁ ନେଇ ଗଠିତ ଖଣ୍ଡପୀଠ ସନ୍ତୋଷ କୁମାର ବେହେରାଙ୍କ ତରଫରୁ ଦାୟର ରିଟ୍ ଅପିଲର ଶୁଣାଣି କରି ଏପରି ରାୟ ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଓସେପା ପକ୍ଷରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲଗୁଡ଼ିକରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପୂରଣ ପାଇଁ ୨୦୨୩, ସେପ୍ଟେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ୨୦୨୩, ଅଗଷ୍ଟ ୨୨ରେ ପ୍ରକାଶିତ ସର୍ତ୍ତାବଳୀ ଲାଗୁ ହେବ ବୋଲି କୁହାଯାଇଥିଲା। ଏନ୍ସିଟିଇ ବିଜ୍ଞପ୍ତି ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଥିବା କୁହାଯାଇଥିଲା। ପ୍ରାର୍ଥୀ ଅନ୍ୟ ଶିକ୍ଷାଗତ ଯୋଗ୍ୟତା ସହିତ ଏକବର୍ଷିଆ ବିଏଡ୍ କରିଥିଲେ ଏହି ପଦବୀ ପାଇଁ ଆବେଦନ କରିପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା। ଆବେଦନକାରୀ ଦୁଇବର୍ଷିଆ ବିଏଡ୍ କରିଥିବା ବେଳେ ଏହି ପଦବୀ ପାଇଁ ଦରଖାସ୍ତ ଦାଖଲ କରିଥିଲେ। ପ୍ରକାଶିତ ଚିଠା ମେଧା ତାଲିକାରେ ଆବେଦନକାରୀ ସ୍ଥାନ ପାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏକବର୍ଷିଆ ବିଏଡ୍ କରି ନଥିବାରୁ ଆବେଦନକାରୀଙ୍କ ପ୍ରାର୍ଥିତ୍ବ ଖାରଜ କରାଯାଇଥିଲା।