ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ଲୋଡ଼ିଲେ ହାଇକୋର୍ଟ

Published By : Prameya-News7 Bureau | March 19, 2025 IST

କଟକ: ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ଯେଉଁ ନ୍ୟାୟିକ ତଦନ୍ତ ହୋଇଥିଲା, ତାର ରିପୋର୍ଟ ସାର୍ବଜନୀନ ହେବ କି ନାହିଁ, ସେ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି।  କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ନେଇ  ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଆଜି ଏକଥା ପୁଣି ଥରେ ସାମ୍ନାକୁ ଆସିଛି। ଯେହେତୁ ଏହି ଗୋଟିଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଦୁଇଟି ପୃଥକ ସତ୍ୟପାଠ  ଦାଖଲ ହୋଇଛି ତାକୁ ନେଇ ଦ୍ଵନ୍ଦ ଉପୁଜିଛି। ତେଣୁ ହାଇକୋର୍ଟ ସରକାରଙ୍କ ସ୍ପଷ୍ଟୀକରଣ ଲୋଡିଛନ୍ତି। 

Also read: ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ଦିନ ୧୧ଟାରୁ ୩ଟା ଶ୍ରମିକଙ୍କ ପାଇଁ କାମ ବନ୍ଦ

ଗତ ୨୦୨୪ ଜାନୁଆରୀ ୨୯ରେ ଦାଖଲ ସତ୍ୟପାଠରେ ରିପୋର୍ଟ ସାର୍ବଜନୀନ ନକରିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ୨୦୨୪ ଏପ୍ରିଲ ୫ ତାରିଖରେ ଦାଖଲ ହୋଇଥିବା ୨ୟ ସତ୍ୟପାଠରେ ରିପୋର୍ଟ ସାର୍ବଜନୀନ କରିବାକୁ ସରକାର ରାଜି ଅଛନ୍ତି ବୋଲି ଦର୍ଶାଯାଇଛି। ତେଣୁ ଆଜି ଉଭୟ ସତ୍ୟପାଠ ଉପରେ ହାଇକୋର୍ଟ ସ୍ପଷ୍ଟୀକରଣ ଲୋଡିଛନ୍ତି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଆଜି ଦିନ ଧାର୍ଯ୍ୟ ହୋଇଛି।

ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ବତନ ବିଜୁ ଜନତା ଦଳ ସରକାରକୁ ଘେରିଥିଲା ଭାରତୀୟ ଜନତା ପାର୍ଟି। ବିଜେପି ୨୦୨୪ ସାଧାରଣ ନିର୍ବାଚନରେ ଏହାକୁ ବଡ଼ ନିର୍ବାଚନୀ ଅସ୍ତ୍ର କରିଥିଲା। ଆଉ ଦଳକୁ ବେଶ ସଫଳତା ମିଳିଥିଲା। ନିର୍ବାଚନ ସମୟରେ ବିଜେପି ଘୋଷଣା କରିଥିଲା ଯେ, ତାଙ୍କ ଦଳ କ୍ଷମତାକୁ ଆସିଲେ ରତ୍ନଭଣ୍ଡାର ଚାବି ଖୋଜାଯିବ ଏବଂ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବ। 

ଚାବି ହଜିବା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା। ବିଜେଡି ସରକାରକୁ ବିଧାନସଭାଠୁ ନେଇ ରାଜରାସ୍ତାରେ ବିରୋଧୀ ଘେରିଥିଲେ। ଆଉ ବିଜେପି ଏଥିରୁ ବେଶ ରାଜନୈତିକ ଫାଇଦା ଉଠାଇ ପାରି ଥିଲା। ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ଚାବି ଏହି ପ୍ରସଙ୍ଗ ବିଜେଡିକୁ ମହଙ୍ଗା ପଡ଼ିଥିବା ରାଜନୈତିକ ସମୀକ୍ଷକ ମତ ଦିଅନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.