ରାହୁଲ ଗାନ୍ଧି ନାଗରିକତା ମାମଲା: ଆବେଦନ ଖାରଜ କରିଦେଲେ ହାଇକୋର୍ଟ, ଦେଇଛନ୍ତି ଏହି ନିର୍ଦ୍ଦେଶ

Published By : Prameya-News7 Bureau | May 05, 2025 IST

ପ୍ରୟାଗରାଜ ୫।୫: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ରାହୁଲଙ୍କ ନାଗରିକତାକୁ ନେଇ ଦାଖଲ ଆବେଦନକୁ ଏଲହାବାଦ ହାଇକୋର୍ଟ ନିସ୍ତାରିତ କରିଦେଇଛନ୍ତି ଅର୍ଥାତ କୋର୍ଟ ତାଙ୍କ ମାମଲାକୁ ସମାପ୍ତ  କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ କୋର୍ଟ କେନ୍ଦ୍ର ସରକାରଙ୍କୁ ୧୦ଦିନ ସମୟ ଦେଇ ଏକ ସ୍ପଷ୍ଟ ରିପୋର୍ଟ ମାଗିଥିଲେ, ଯେଉଁଥିରେ ରାହୁଲ ଗାନ୍ଧି ଭାରତର ନାଗରିକ କି ନୁହେଁ ତାହା ଜଣାଇବାକୁ କୁହାଯାଇଥିଲା। 

ତେବେ ଏଲହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତ କରି ତାଙ୍କ ନାଗରିକତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ନିସ୍ତାରିତ କରିଦେଇଛନ୍ତି। ହାଇକୋର୍ଟ ଏହି ନିଷ୍ପତ୍ତି ସହ ଆବେଦନକାରୀ ଭିଗ୍ନେଶ ଶିଶିରଙ୍କୁ ଏକ ଖାସ ଛାଡ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ମାମଲାରେ ସେ ଅନ୍ୟ ନ୍ୟାୟିକ ବିକଳ୍ପ ଉପାୟ କରିପାରିବେ। ଏଲହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚର ଜଷ୍ଟିସ ଏ.ଆର.ମସୁଦୀ ଓ ଜଷ୍ଟିସ୍ ରାଜୀଭ ସିଂହଙ୍କ ବେଞ୍ଚ ସୋମବାର କହିଛନ୍ତି ଯେ ଆବେଦନକାରୀଙ୍କ ଅଭିଯୋଗର ନିସ୍ତାରଣ ପାଇଁ କେନ୍ଦ୍ର ସରକାର କୌଣସି ସମୟ ସୀମା ଦେଇ ନାହାନ୍ତି। ଏଣୁ ଏହି ଆବେଦନକୁ ବିଚାରାଧୀନ ରଖିବାର କୌଣସି ଆବଶ୍ୟକତା ନାହିଁ। 

ରିପୋର୍ଟ ଅନୁସାରେ ଅଭିଯୋଗକାରୀ ଦାବି କରିଥିଲେ ଯେ ତାଙ୍କ ନିକଟରେ ସବୁ କାଗଜପତ୍ର ସହିତ ବ୍ରିଟେନ ସରକାରଙ୍କ କେତେକ ଇ-ମେଲ ମଧ୍ୟ ରହିଛି। ଯେଉଁଥିରୁ ରାହୁଲ ଗାନ୍ଧି ବ୍ରିଟିଶ ନାଗରିକ ବୋଲି ମଧ୍ୟ ପ୍ରମାଣିତ ହେଉଛି। ଆବେଦନକାରୀ କହିଥିଲେ ଯେ ରାହୁଲ ଗାନ୍ଧି ଭାରତରେ ନିର୍ବାଚନ ଲଢିବାକୁ ଯୋଗ୍ୟ ନୁହନ୍ତି, ଏହା ସହିତ ସେ ଲୋକସଭା ସାଂସଦ ମଧ୍ୟ ହୋଇ ପାରିବେ ନାହିଁ। ଆବେଦନକାରୀ ଦାବି କରିଥିଲେ ଯେ ଏହି ବିଷୟକୁ ସିବିଆଇରେ ମାମଲା ରୁଜୁ କରି ଯାଞ୍ଚ କରାଯାଉ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.