କଟକ ୩।୭: କଟକରେ ଦେଖା ଦେଉଥିବା ଜଳବନ୍ଦୀ ସମସ୍ୟାକୁ ନେଇ ଖୁବ୍ ବିରକ୍ତି ପ୍ରକାଶ କରିଛନ୍ତି ହାଇକୋର୍ଟ । ଏହାର ସ୍ଥାୟୀ ସମାଧାନ ଦିଗରେ କ’ଣ ପଦକ୍ଷେପ ନିଆଯାଇ ପାରିବ ସେନେଇ କୋର୍ଟ ପ୍ରଶ୍ନ କରିବା ସହିତ, ସିଏମସି ସିଟି ଇଞ୍ଜିନିୟରଙ୍କୁ ଜଳବନ୍ଦୀର ନିର୍ଦ୍ଧିଷ୍ଟ କାରଣ କ’ଣ ତା ଉପରେ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । ଏସ୍ସିବି ମେଡ଼ିକାଲ, ସତ୍ୟବ୍ରତ ଷ୍ଟାଡିୟମ୍, ରିଂ ରୋଡ଼ର ଦୂରାବସ୍ଥା ସମ୍ପର୍କରେ ଆଡ଼ଭୋକେଟ କମିଟି ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିଛି । କିନ୍ତୁ ଗତ ଏକ ସପ୍ତାହ ଭିତରେ ବର୍ଷା କାରଣରୁ କଟକ ସହରରେ ଯେଭଳି ପରିସ୍ଥିତି ଉପୁଜିଛି, ତାକୁ ନେଇ କୋର୍ଟ ଖୁବ୍ ବିରକ୍ତି ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ କାହିଁକି ନଗର ଉନ୍ନୟନ ବିଭାଗର ସଚିବ କୈଫତ ନଦେବେ ବୋଲି କୋର୍ଟମିତ୍ର ବା ଆମିକସକ୍ୟୁରୀଙ୍କୁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ତେବେ ଏକ ବିଶେଷଜ୍ଞ ଟିମ୍ ଗଠନ କରିବା ଉପରେ ଆଡ଼ଭୋକେଟ କମିଟି ପ୍ରସ୍ତାବ ଦେଇଛି । ଯାହା ଉପରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯାଇପାରେ ।
ତେବେ ମାତୃ ଭବନ ଠାରୁ ମତଗଜପୁର ପର୍ଯ୍ୟନ୍ତ ନିର୍ମିତ ହୋଇଥିବା ମୁଖ୍ୟ ନର୍ଦ୍ଦମାରେ ଜଳ ନିଷ୍କାସନ ହୋଇପାରୁନଥିବା କାରଣରୁ ଜଳବନ୍ଦୀ ଭଳି ସମସ୍ୟା ଦେଖାଦେଉଛି ବୋଲି ସିଏମସି ପକ୍ଷରୁ ସଫେଇ ଦିଆଯାଇଛି । ତେବେ ଓପିଟିସିଏଲ୍, ସିଏମ୍ସି, ୱାଟକୋ ଏବଂ ରେଳ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ କରାଇବା ଉପରେ ଗୁରୁତ୍ୱ ଦେଇଛନ୍ତି କୋର୍ଟ । ସେହିପରି ସତ୍ୟବ୍ରତ ଷ୍ଟାଡିୟମ୍ ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଲାଗି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଅଭାସୀ ଜରିଆରେ ଉପସ୍ଥିତ ରହି କୋର୍ଟଙ୍କୁ ପ୍ରତିଶୃତି ଦେଇଛନ୍ତି କଟକ ଡିସିପି ।