ନୂଆଦିଲ୍ଲୀ ୨୧।୦୩: ୬ ବଲ୍ ୬ ଛକା । ଅନ୍ତର୍ଜାତୀୟ କ୍ରିକେଟରେ ଏହି ରେକର୍ଡ ଭାରତର କିମ୍ବଦନ୍ତୀ ପ୍ଲେୟର ଯୁବରାଜ ସିଂହଙ୍କ ନାଁ । ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଯୁବରାଜ ମାରିଥିଲେ ଗୋଟିଏ ଓଭରରେ ଛଅଟି ଛକା । ସେ ଏହି ରେକର୍ଡ ୧୯ ସେପ୍ଟେମ୍ବର ୨୦୦୭ରେ କରିଥିଲେ । କିନ୍ତୁ ଯୁବରାଜଙ୍କ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ଅନ୍ୟ ଜଣେ ପ୍ଲେୟର ୬ ବଲରେ ୬ ଛକା ମାରିଥିଲେ । ଏହି ରେକର୍ଡ ସାଉଥ୍ ଆଫ୍ରିକା ପ୍ଲେୟରଙ୍କ ନାଁରେ ରହିଛି ।
ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ବ୍ୟାଟର ହର୍ଷେଲ ଗିବସ୍ । କ୍ରିକେଟ ଜଗତରେ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ଥିଲେ ହର୍ଷେଲ । ୧୬ ମାର୍ଚ୍ଚ ୨୦୦୭ରେ ସେ କ୍ରିକେଟ ଇତିହାସରେ ଏହି ରେକର୍ଡ କରିଥିଲେ ଏବଂ ସମସ୍ତଙ୍କୁ କରିଥିଲେ ଚକିତ । ଗିବ୍ସ ବିଶ୍ୱକପ୍ ମ୍ୟାଚ୍ରେ ଲଗାତାର ୬ ବଲ୍ରେ ୬ଟି ଛକା ମାରିଥିଲେ । ଏହି ସଫଳତା କୌଣସି ବି ବ୍ୟାଟରଙ୍କ ପାଇଁ ଏକ ସ୍ୱପ୍ନ । ଏହା ଗିବସ୍ଙ୍କ କ୍ୟାରିୟରର ସବୁଠାରୁ ଗର୍ବର ମୁହୂର୍ତ୍ତ ହୋଇ ଯାଇଥିଲା।
୨୦୦୭ ବିଶ୍ୱକପରେ ସେଣ୍ଟ କିଟ୍ସ ସହରର ୱାର୍ଣ୍ଣର ପାର୍କରେ ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା ମ୍ୟାଚ୍ । ଏହି ମ୍ୟାଚରେ ହର୍ଷେଲ ଗିବ୍ସ ଏକ ଦମଦାର ଇନିଂସ ଖେଳିଥିଲେ । ଏହି ସମୟରେ ୩୦ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ ନେଦରଲ୍ୟାଣ୍ଡସ୍ ବୋଲର ଡାନ୍ ଭାନ୍ ବୁଙ୍ଗେ । ସେ ଗିବ୍ସଙ୍କୁ ପକାଇଥିଲେ ଏକ ଆକ୍ରମଣାତ୍ମକ ବଲ୍ ।
ଗିବ୍ସ ସେହି ବଲକୁ ଚମତ୍କାର ଭାବରେ ମାରିଥିଲେ ଏବଂ ଛକା ମାରିଥିଲେ । ଏହାପରେ ଗିବ୍ସ କ୍ରମାଗତ ଆଉ ୫ଟି ବଲରେ ଛକା ମାରିଥିଲେ। ଏହାସହିତ ଗିବ୍ସ କ୍ରିକେଟ ଇତିହାସର ପ୍ରଥମ ବ୍ୟାଟସମ୍ୟାନ୍ ହୋଇଥିଲେ ଯିଏକି ୬ ବଲରେ ମାରିଥିଲେ ୬ ଛକା । ବର୍ତ୍ତମାନ ଯାଇଁ ସେ ବିଶ୍ବ କ୍ରିକେଟରେ ଏକମାତ୍ର ବ୍ୟାଟର ଯିଏକି ଦିନିକିଆ ମ୍ୟାଚରେ ଲଗାଇଥିଲେ ୬ ଛକା ।
ଦୁଇ ଦଳ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ୍ ୪୦-୪୦ ଓଭର ପାଇଁ ଖେଳାଯାଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ମାତ୍ର ୪୦ ଓଭରରେ ଏକ ବଡ ସ୍କୋର କରିଥିଲା। ପ୍ରଥମେ ବ୍ୟାଟିଂ କରି ସେମାନେ ୩ ୱିକେଟ୍ ହରାଇ ୩୫୩ ରନ୍ କରିଥିଲେ । ଯେଉଁଥିରେ ହର୍ଷେଲ ଗିବସଙ୍କ ୪୦ ବଲରେ ୭୨ ରନର ଇନିଂସ ସାମିଲ ରହିଥିଲା। ଏହି ସମୟରେ ସେ ୪ଟି ଚୌକା ଏବଂ ୭ଟି ଛକା ମାରିଥିଲେ।
ସେହି ସମୟରେ ଗ୍ରାଏମ ସ୍ମିଥ ୬୭ ରନ ଏବଂ ଜ୍ୟାକ କାଲିସ ୧୨୮ ରନର ଅପରାଜିତ ଇନିଂସ ଖେଳିଥିଲେ । ଜବାବରେ ନେଦରଲ୍ୟାଣ୍ଡସ୍ ଦଳ ୪୦ ଓଭରରେ ୯ ୱିକେଟ୍ ହରାଇ କେବଳ ୧୩୨ ରନ୍ କରିଥିଲା । ଆଉ ହର୍ଷେଲ ଗିବସ୍ ନିଜର ବିସ୍ଫୋରକ ଇନିଂସ ପାଇଁ ହୋଇଥିଲେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ।