ଯୁଦ୍ଧ ଆଶଙ୍କା ଭିତରେ ମକ୍‌ଡ୍ରିଲ୍; କିପରି ହୁଏ ନାଗରିକ ପ୍ରତିରକ୍ଷା ଅଭ୍ୟାସ, ଜାଣିନ୍ତୁ ବ୍ଲାକ୍‌ଆଉଟ୍ ରଣନୀତି କ’ଣ ?

Published By : Prameya-News7 Bureau | May 06, 2025 IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢ଼ିବାରେ ଲାଗିଛି । ଆତଙ୍କବାଦୀଙ୍କ ବିରୋଧରେ କୌଣସି ମୁହୂର୍ତ୍ତରେ ଆକ୍ସନ ନେଇପାରନ୍ତି ସରକାର । ଏହା ପୂର୍ବରୁ ବିଭିନ୍ନ ରାଜ୍ୟକୁ ମକ୍‌ଡ୍ରିଲ୍ ନିର୍ଦ୍ଦେଶ ଦେଇଛି ଗୃହମନ୍ତ୍ରାଳୟ । ମେ’ ୭ ତାରିଖରେ ଦେଶର ପ୍ରାୟ ୨୪୪ ଜିଲ୍ଲାରେ ସିଭିଲ୍ ଡିଫେନ୍ସ ଅଭ୍ୟାସ ହେବ । ଏଥିରେ ଓଡ଼ିଶାର ୧୨ଟି ଜିଲ୍ଲା ମଧ୍ୟ ସାମିଲ୍ ରହିଛି । ତେବେ ଏହି ସିଭିଲ୍ ଡିଫେନ୍ସ ମକଡ୍ରିଲ୍‌ର ଉଦ୍ଦେଶ୍ୟ କ’ଣ ଆସନ୍ତୁ ଜାଣିବା ।

ନାଗରିକ ପ୍ରତିରକ୍ଷା ଜିଲ୍ଲା କ’ଣ ? କିପରି ହୁଏ ସିଭିଲ୍ ଡିଫେନ୍ସ ମକଡ୍ରିଲ୍ ? ଯୁଦ୍ଧ ବେଳେ ବ୍ଲାକଆଉଟ୍ ରଣନୀତି କ’ଣ ? କାହିଁକି ବଜାଯାଏ ସାଇରନ୍ ? ସିଭିଲ୍ ଡିଫେନ୍ସ ମକଡ୍ରିଲ୍ ଯୁଦ୍ଧ ରଣନୀତିର ପ୍ରଥମ ସୋପାନ । ଯୁଦ୍ଧ ବେଳେ ଆକାଶମାର୍ଗରୁ ମିସାଇଲ୍ ମାଡ଼ କିମ୍ବା ଏୟାର ଷ୍ଟ୍ରାଇକ୍ ହେଲେ ସାଧାରଣ ନାଗରିକ କିପରି ଏହାର ମୁକାବିଲା କରିବେ ଓ ନିଜ ଜୀବନକୁ ସୁରକ୍ଷିତ ରଖିପାରିବେ ତା’ର ଅଭ୍ୟାସ ହୋଇଥାଏ । ମଲଡ୍ରିଲ୍‌ରେ ବାସ୍ତବିକ୍ ପରିସ୍ଥିତି ଭଳି ଏୟାର ଷ୍ଟ୍ରାଇକ୍‌ର ସାଇରନ୍ ବାଜିଥାଏ । ସହରରେ ବିଦ୍ୟୁତ୍ ସରବରାହ ବନ୍ଦ କରି ବ୍ଲାକଆଉଟ୍ କରାଯାଏ । ନାଗରିକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ରେସକ୍ୟୁ କରିଥାନ୍ତି ଏମର୍ଜେନ୍ସି ଟିମ୍ । ଯୁଦ୍ଧ ପରିସ୍ଥିତିର ମୁକାବିଲା କରିବା ପାଇଁ ନାଗରିକଙ୍କୁ ସଚେତନ କରାଯାଇଥାଏ । ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ରେସକ୍ୟୁ ଟିମ୍ । 

ସେହିପରି ନାଗରିକ ସୁରକ୍ଷା ଜିଲ୍ଲା କ’ଣ ? ଗୃହମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ,  ଏହା ବିଭିନ୍ନ ରାଜ୍ୟରେ କିଛି ସ୍ବତନ୍ତ୍ର ଚିହ୍ନଟ ହୋଇଥିବା ଜିଲ୍ଲା । ଯେଉଁଠି ଯୁଦ୍ଧ ଆଶଙ୍କା କରିଥାନ୍ତି ସରକାର । ଯୁଦ୍ଧ ଭଳି ବିପର୍ଯ୍ୟୟ ସ୍ଥିତିରେ ଏହି ସବୁ ଜିଲ୍ଲାର ନାଗରିକଙ୍କ ସୁରକ୍ଷା, ସହୟତା ଓ  ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଏ । ସେହିପରି ସିଭିଲ୍ ଡିଫେନ୍ସ ଜିଲ୍ଲାରେ ପ୍ରଶାସନ, ପୋଲିସ, ଅର୍ଦ୍ଧସାମରିକବଳ ଓ ସ୍ବୟଂ ସେବକ ସଂଘକୁ ଯୁଦ୍ଧ ଭଳି ସଂକଟ ସ୍ଥିତିର ମୁକାବିଲା ପାଇଁ ପ୍ରଶିକ୍ଷଣ ଦିଆଯାଇଥାଏ ।

କିପରି ହୁଏ ସିଭିଲ୍ ଡିଫେନ୍ସ ମକଡ୍ରିଲ୍ ? ଏଥିରେ କ’ଣ ସବୁ ପ୍ରଶିକ୍ଷଣ ଦିଆଯାଏ ? ମେ’ ୭ ତାରିଖରେ ଦେଶର ପ୍ରାୟ ୨୪୪ ଜିଲ୍ଲାରେ ନାଗରିକ ସୁରକ୍ଷା ଅଭ୍ୟାସ ହେବ । ଏଥିରେ ପବ୍ଲିକ୍ ଓ୍ବାର୍ଣ୍ଣଂ ସିଷ୍ଟମର ଯାଞ୍ଚ ହେବ । ସାଇରନ୍ ମାଧ୍ୟମରେ ସାଧାରଣ ଲୋକଙ୍କୁ ସତର୍କ କରାଯିବ । ସେହିପରି ଟେଲିଫୋନିକ୍ ଓ ରେଡିଓ ଲିଙ୍କ୍‌ର ପରୀକ୍ଷଣ କରାଯିବ । ଭାରତୀୟ ବାୟୁସେନା ସହ ହଟଲାଇନ୍ ଓ ରେଡିଓ ଯୋଗାଯୋଗର ମଧ୍ୟ ଯାଞ୍ଚ ହେବ । ସହରରେ ବ୍ଲାକଆଉଟ୍ ରଣନୀତି ପ୍ରସ୍ତୁତ କରାଯିବ । ଯୁଦ୍ଧ ସ୍ଥିତି ଭଳି ବିଜୁଳି ସରବରାହ ବନ୍ଦ କରି ବ୍ଲାକଆଉଟ୍ ପ୍ରକ୍ରିୟାର ଅଭ୍ୟାସ ହେବ । ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ସମ୍ଭାବ୍ୟ ଆକ୍ରମଣରୁ ସୁରକ୍ଷିତ ରଖିବା ପାଇଁ  କେମୋଫ୍ଲାଜ୍ ଅଭ୍ୟାସ ମଧ୍ୟ କରାଯିବ ।

ଏହା ସହିତ ଅଗ୍ନିଶମ ବାହିନୀ, ରେସକ୍ୟୁ ଟିମ୍, ରକ୍ଷଣାବେକ୍ଷଣ କର୍ମଚାରୀ ଏବଂ ସିଭିଲ୍ ୱାର୍ଡେନଙ୍କ ମୁତୟନ ଓ ସେମାନଙ୍କ କାର୍ଯ୍ୟକୁ ନିରୀକ୍ଷଣ କରିବେ ସୁରକ୍ଷା ଅଧିକାରୀ । ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ, ଏହି ରଣନୀତିର ମଧ୍ୟ ପରୀକ୍ଷା ହେବ । 

ସିଭିଲ୍ ଡିଫେନ୍ସ ମକଡ୍ରିଲ୍ ବେଳେ ସାଧାରଣ ଲୋକଙ୍କୁ ଶାନ୍ତି ରକ୍ଷା କରିବା ପାଇଁ ଅପିଲ୍ କରାଯାଇଛି । ସ୍ଥାନୀୟ ପ୍ରଶାସନକୁ ସମସ୍ତ ନିର୍ଦ୍ଦେଶକୁ ପାଳନ ପାଇଁ କହିଛନ୍ତି ସୁରକ୍ଷା ଅଧିକାରୀ । ଏହା ସହିତ ଜରୁରୀ ସାମଗ୍ରୀ ଯଥା ପାନୀୟଜଳ, ଔଷଧ ଓ ଏମର୍ଜେନ୍ସି ଲାଇଟ୍ ପାଖରେ ରଖିବାକୁ କୁହାଯାଇଛି । ସୋସିଆଲ୍ ମିଡିଆ ଗୁଜବରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ରହିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଦିନକୁ ଦିନ ଯୁଦ୍ଧ ଅଶଙ୍କା ବଢ଼ୁଥିବାରୁ ଗୃହମନ୍ତ୍ରାଳୟ ବିଭିନ୍ନ ନାଗରିକ ସୁରକ୍ଷା ଜିଲ୍ଲାକୁ ମକଡ୍ରିଲ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।... 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.