LIVE TV

ଡାକ୍ତରଖାନାରେ ଜନ୍ମହେଲା ଶିଶୁକନ୍ୟା, ଖାଲି ହାତରେ ଘରକୁ ଫେରିଲେ ଦମ୍ପତି : ଶିଶୁବିକ୍ରି ଅଭିଯୋଗ ପରେ ଉଦ୍ଧାର

NEWS7
helper-injured-as-truck-hit-another-truck-in-salepur

ଯାଜପୁର ୨୫।୧୧: ନବଜାତ ଶିଶୁକୁ ବିକ୍ରି ଅଭିଯୋଗ । ଉଦ୍ଧାର କଲେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ । ଯାଜପୁର ଦଶରଥପୁର ବ୍ଲକର ଗୋପାଳପୁର ପଂଚାୟତ ଅଞ୍ଚଳରୁ ଆସିଛି ଏମିତି ଅଭିଯୋଗ । ୩ ଦିନର ଶିଶୁ କନ୍ୟାକୁ ଟଙ୍କା ନେଇ ବିକି ଦେଇଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ଅଙ୍ଗନଓ୍ବାଡି କର୍ମୀଙ୍କ ରିପୋର୍ଟ ଅନୁଯାୟୀ, ଗତ ୨୧ ତାରିଖରେ ଗୋପାଳପୁର ପଂଚାୟତ ଅଞ୍ଚଳର ପ୍ରସୂତୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । କିନ୍ତୁ ଉକ୍ତ ଦମ୍ପତି ଯେତେବେଳେ ଘରକୁ ଫେରିଥିଲେ ତାଙ୍କ ସହ ନବଜାତ ଶିଶୁଟି ନଥିଲା । ଯେଉଁଥି ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ଶିଶୁଟିକୁ ଯାଜପୁର ଅଂଚଳର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ଶୁଣିବାକୁ ମିଳିଥିଲା । ଯାହାକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଛାନଭିନ ଆରମ୍ଭ କରିବା ସହ ଯାଜପୁର ଅଞ୍ଚଳରୁ ଶିଶୁ କନ୍ୟାଟିକୁ ଉଦ୍ଧାର କରି ସାହା କେନ୍ଦ୍ରରେ ରଖିଛି । ଏ ନେଇ ଦଶରଥପୁର ଥାନାରେ ଅଭିଯୋଗ ହୋଇଛି ।

ସେପଟେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ଟିମ୍ ପ୍ରଶାସନକୁ ଭେଟି ଏହି ଘଟଣାର ତଦନ୍ତ କରାଯିବା ସହ ଆର୍ଥିକ ଅନଟନରେ ରହିଥିବା ପରିବାରକୁ ଆର୍ଥିକ ସହାୟତା ଦିଆଯିବା ସହ କିପରି ମେଡିକାଲରୁ ଶିଶୁକୁ ଅନ୍ୟ ଜଣେ ନେଲେ ତାର ତଦନ୍ତ ଦାବି କରାଯାଇଛି । ସେପଟେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଶିଶୁକୁ ଉଦ୍ଧାର କରି ତଦନ୍ତ କରୁଛି । ଆର୍ଥିକ ଅନଟନ କାରଣରୁ ଅନ୍ୟକୁ ହସ୍ତାନ୍ତର କରିଥିବା ପରିବାର କହୁଥିବା ବେଳେ ଏହାର ପ୍ରକୃତ କାରଣ ଖୋଜିବାକୁ ତଦନ୍ତ ଚାଲିଥିବା ଚାଇଲ୍ଡ ହେଲ୍ପ ଲାଇନ ଜିଲ୍ଲା ସଂଯୋଜକ କହିଛନ୍ତି ।