ନୂଆଦିଲ୍ଲୀ: ବଡ଼ ଅଘଟଣରୁ ବର୍ତ୍ତିଲା ହେଲିକପ୍ଟର। ହାଇଓ୍ୱେରେ କଲା ଏମର୍ଜେନ୍ସି ଲ୍ୟାଣ୍ଡିଂ। ସିରସିରୁ କେଦାରନାଥ ଅଭିମୁଖେ ଉଡ଼ାଣ ଭରୁଥିବା ଏକ ହେଲିକପ୍ଟରକୁ ଯାନ୍ତ୍ରିକ କାରଣରୁ ରାଜପଥରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଏହି ଜରୁରୀକାଳୀନ ଅବତରଣ ସମୟରେ ହେଲିକପ୍ଟରରେ ଥିବା ସମସ୍ତ ୫ ଜଣ ଯାତ୍ରୀ ଏବଂ ପାଇଲଟ ସୁରକ୍ଷିତ ଥିଲେ।
ଦୁର୍ଘଟଣାରେ ହେଲିକପ୍ଟରର ପଛ ଭାଗ କ୍ଷତିଗ୍ରସ୍ତ ହୋଇଛି। ଧକ୍କା ଯୋଗୁଁ ରାଜପଥରେ ପାର୍କିଂ ହୋଇଥିବା ଏକ ଯାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘଟଣାର ସୂଚନା ପାଇବା ମାତ୍ରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣ (UCADA) ଏହି ଘଟଣାର ତଦନ୍ତ କରି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)କୁ ରିପୋର୍ଟ କରିଛି।
ଅଧିକାରୀମାନେ କହିଛନ୍ତି ଯେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଦୁର୍ଘଟଣା ସମୟରେ ହେଲିକପ୍ଟରଟି କେଦାରନାଥ ଯାତ୍ରାରେ ଥିଲା ଏବଂ ସମସ୍ତ ଯାତ୍ରୀ ତୀର୍ଥଯାତ୍ରୀ ବୋଲି କୁହାଯାଉଛି। ଅବତରଣ ପରେ ତୁରନ୍ତ ସମସ୍ତଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା।
ଚାରମ ଯାତ୍ରା ଆରମ୍ଭ ହେବା ପରେ ଏହା ଚତୁର୍ଥ ହେଲିକପ୍ଟର ଦୁର୍ଘଟଣା। ପୂର୍ବରୁ ମଧ୍ୟ କେଦାରନାଥ ହେଲିପ୍ୟାଡ୍ ନିକଟରେ ଏକ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ହୋଇଛି, ଯେଉଁଥିରେ ଦୁଇଜଣ ଏମ୍ସ ଡାକ୍ତର ଏବଂ ପାଇଲଟ୍ ଅଳ୍ପକେ ବଞ୍ଚି ଯାଇଥିଲେ। ପ୍ରଶାସନ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି।