ଦଳ ଛାଡିଲେ ବିଜେପି ଉପସଭାପତି, ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଗଲା ରାଜନୈତିକ ସମୀକରଣ

NEWS7
heavy-winter-in-odisha

ଚଣ୍ଡିଗଡ, ୧୬/୦୨ : ଦଳ ଛାଡିଲେ ଭାରତୀୟ ଜନତା ପାର୍ଟି ପଞ୍ଜାବର ଉପ ସଭାପତି ଅରବିନ୍ଦ ଖନ୍ନା ।୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଲା ଝଟକା । ସବୁଠୁ ବଡ କଥା ହେଲା ଦଳରେ ଯୋଗ ଦେବାର ୪ ବର୍ଷ ଭିତରେ ସେ ଇସ୍ତଫା ଦେଇଛନ୍ତି ।

ଅରବିନ୍ଦ ବିଜେପି ଛାଡି ଶିରୋମଣି ଅକାଳୀ ଦଳରେ ସାମିଲ ହୋଇଛନ୍ତି । ବିଜେପିରେ ସାମିଲ ହେବା ପୂର୍ବରୁ ସେ କଂଗ୍ରେସର ବିଧାୟକ ରହିଥିଲେ । ତେବେ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲ ରବିବାର ଅରବିନ୍ଦଙ୍କ ଘରକୁ ଯାଇଥିଲେ । ସେଠାରେ ଉଭୟ ନେତା ଅନେକ ସମୟ ଧରି ଆଲୋଚନା କରିଥିଲେ । ଏହାର କିଛି ସମୟ ପରେ ଅରବିନ୍ଦ ଅକାଳୀ ଦଳରେ ସାମିଲ ହୋଇଯାଇଥିଲେ ।

ଅକାଳୀ ଦଳରେ ସାମିଲ ହେଲା ପରେ ତାଙ୍କୁ ସଙ୍ଗରୁର ବିଧାନସଭା ଆସନରେ ପ୍ରଭାରୀ ନିଯୁକ୍ତ କରାଯାଇଛି । ପୂର୍ବତନ ବିଧାୟକ ତଥା ବ୍ୟବସାୟୀ ଅରବିନ୍ଦ ୨୦୨୨ରେ ବିଜେପିରେ ସାମିଲ ହୋଇଥିଲେ । ୨୦୦୨ରୁ ୨୦୧୨ ଯାଏଁ ଧୁରୀ ଆସନରୁ କଂଗ୍ରେସ ବିଧାୟକ ରହିଥିଲେ । ତାଙ୍କୁ ବିଜେପି ୨୦୨୨ରେ ସଙ୍ଗରୁର ବିଧାନସଭା ଆସନରେ ପ୍ରାର୍ଥୀ କରିଥିଲା । ଏହାପରେ ୨୦୨୪ ଲୋକସଭା ନିର୍ବାଚନରେ ସେ ସାଂସଦ ଭାବେ ଲଢିଥିଲେ । କିନ୍ତୁ ସଫଳତା ପାଇନଥିଲେ ।

ଏବେ ଅକାଳୀ ଦଳରେ ସାମିଲ ହେଲା ପରେ ଅରବିନ୍ଦ କହିଛନ୍ତି ଯେ, ତାଙ୍କର ଘର ଓ୍ୱାପସୀ ହୋଇଛି । ସେ ଅକାଳୀ ଦଳରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ଏବେ ସେ ଦଳରେ ପୁଣି ଥରେ ସାମିଲ ହୋଇଥିବାରୁ ଖୁସି ଲାଗୁଥିବା ପ୍ରକାଶ କରିଛନ୍ତି ।