କେଦାର ଘାଟିରେ ବିତ୍ପାତ ରଚିଲା ବର୍ଷା, କେଦାରନାଥ ହାଇୱେ ବନ୍ଦ

Published By : Prameya-News7 Bureau | April 10, 2025 IST

ବାଂସବାଡା ୧୦।୪: କେଦାର ଘାଟିରେ ୧୦ ଏପ୍ରିଲ ଗୁରୁବାର ମଧ୍ୟାହ୍ନ ପରେ ହୋଇଥିବା ମୁଶଳଧାର ବର୍ଷା ବିତ୍ପାତ ରଚିଛି। କୁଆପଥର ସାଙ୍ଗକୁ ଭୀଷଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ବର୍ଷା ଯୋଗୁ ଅନେକ ଅଞ୍ଚଳର ନାଳ ନର୍ଦ୍ଦମା ଚୋକ୍ ହୋଇଯାଇଥିବା ବେଳେ ପାହାଡି ଝରଣା ଫୁଲିଛି। କୁସୁମଗାଡ଼-ଭୀରି ନାଳ ପାଣି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ଏହା ଛଡା ବର୍ଷା ଯୋଗୁ କେଦାରନାଥ ଜାତୀୟ ରାଜମାର୍ଗର ବାଂସବାଡା କ୍ଷେତ୍ରରେ ଭୂ-ସ୍ଖଳନ ହୋଇଛି। 

ସଡ଼କ ଉପରେ ପାହାଡରୁ ମାଟି ଓ ପଥର ପଡିବାରୁ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି। ଫଳରେ ରାସ୍ତାର ଦୁଇ ପଟରୁ ବାହନ ଧାଡି ଲାଗିଯାଇଛି। ଜାତୀୟ ରାଜମାର୍ଗ ବନ୍ଦ ହୋଇଯିବା ଯୋଗୁ ଯାତ୍ରୀ ଓ ସ୍ଥାନୀୟ ଲୋକେ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସୂଚନା ପାଇ ଜାତୀୟ ରାଜମାର୍ଗ ପ୍ରାଧିକରଣ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ମାଟି ପଥର ହଟାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ରହି ରହି ହେଉଥିବା ବର୍ଷା ରିଲିଫ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। 

ଭୀଷଣ ବର୍ଷାର ପ୍ରଭାବ ରୁଦ୍ରପ୍ରୟାଗ ନଗରରେ ମଧ୍ୟ ଦେଖିବାକୁ ମିଳିଛି। ବର୍ଷା ଯୋଗୁ ନାଳ ପାଣି ଓଭର ଫ୍ଲୋ ହୋଇ ରାସ୍ତାରେ ବହୁଛି। ଅନେକ ସ୍ଥାନରେ ପାଣି ଜମି ରହିଥିବାରୁ ରାସ୍ତା ଓ ଖାଲ ଜଣା ପଡୁ ନାହିଁ। ତଳିଆ ଅଞ୍ଚଳରେ ଥିବା ଘରେ ନାଳ ପାଣି ପଶିଛି। ତେବେ କୌଣସି ଠାରେ କୁଆପଥର ବର୍ଷା ଯୋଗୁ କେହି ହତାହତ ହୋଇଥିବାର ଖବର ନାହିଁ। ପ୍ରଶାସନ ପକ୍ଷରୁ କ୍ଷେତ୍ରରେ ସତର୍କତା ଜାରି କରାଯାଇଛି ଓ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। 

ପାଣିପାଗ ବିଜ୍ଞାନ ବିଭାଗ ଆଗାମୀ ୨୪ ଘଣ୍ଟାରେ ଭୀଷଣ ବର୍ଷାର ପୂର୍ବାନୁମାନ କରିଛନ୍ତି। ଏଣୁ ପ୍ରଶାସନ ଓ ଜନତା ସତର୍କ ହୋଇଯାଇଛନ୍ତି। ବର୍ଷା ଯୋଗୁ ବଢୁଥିବା ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ହେଲେ ଭୀଷଣ କ୍ଷୟକ୍ଷତି ହୋଇଛି। କେଦାରଘାଟି ସହିତ ଜିଲ୍ଲାର ଅନ୍ୟ ପାହାଡିଆ ଅଞ୍ଚଳରେ ଭୂ-ସ୍ଖଳନ ଓ ପାଣି ଭରିଯିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଏବେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏଣୁ ପରିସ୍ଥିତି ଖୁବ୍ ଶୀଘ୍ର ସ୍ୱଭାବିକ ହେବ ବୋଲି ଆଶା କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.